ଖେଳ

ଅଶ୍ବିନଙ୍କୁ ପ୍ରଶଂସିକାଙ୍କ ପ୍ରେମପତ୍ର

ଚେନ୍ନାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସଦ୍ୟ ଅବସର ନେଇଥିବା କିବଂଦନ୍ତି ଭାରତୀୟ ଅଫ୍‌ସ୍ପିନର ଆର ଅଶ୍ବିନଙ୍କୁ ମିଳିଛି ପ୍ରେମପତ୍ର। ଏହି ଆବଗଭରା ପତ୍ର ଆଉ କିଏ ନୁହନ୍ତି, ପତ୍ନୀ ପ୍ରୀତି ହିଁ ତାଙ୍କ ପାଖକୁ ଲେଖିଛନ୍ତି। ଏଥି‌ରେ ଅଶ୍ବିନଙ୍କୁ ସେ ସ୍ନେହ ଓ ଭଲପାଇବା ଅଜାଡ଼ି ଦେଇଥିଲା ବେଳେ ପ୍ରଶଂସିକାରୁ ପତ୍ନୀ ପାଲଟିବାର ରୋମାଣ୍ଟିକ୍ କାହାଣୀର ସମ୍ୟକ୍ ସୂଚନା ମଧ୍ୟ ଦେଇଛନ୍ତି।

ପ୍ରୀତି ନିଜ ପତ୍ରର ଶିରୋନାମ ‘ଜଣେ ପ୍ରଶଂସିକାଙ୍କ ପ୍ରେମ ଚିଠି’ ରଖିଛନ୍ତି। ସେ ଲେଖିଛନ୍ତି, ଶ୍ରଦ୍ଧାର ଅଶ୍ବିନ, କ୍ରିକେଟ୍‌ କିଟ୍ ବ୍ୟାଗ୍ ସଜାଡ଼ିବାର ସାମାନ୍ୟତମ କଳା ଜାଣି ନଥିବା ଜଣେ ଝିଅ ଦିନେ ସାରା ବିଶ୍ବର କ୍ରିକେଟ୍ ଷ୍ଟାଡିୟମ୍‌ରେ ତୁମକୁ ଅନୁସରଣ କରୁଥିଲା। ତୁମକୁ ଦେଖୁଥିଲା, ଉତ୍ସାହିତ କରୁଥିଲା, ତୁମଠୁ ଅନେକ କିଛି ଶିଖୁଥିଲା। ମୋ ପାଇଁ ଏହା କୌଣସି ସୁଖଦ ସ୍ବପ୍ନଠାରୁ କିଛି କମ୍ ନଥିଲା, ନାହିଁ ମଧ୍ୟ। ହୃଦୟର ଗଭୀରତମ କୋଣରୁ ଭଲ ପାଉଥିବା ଖେଳ ‘କ୍ରିକେଟ୍‌’ର ଯାଦୁଗରୀ ଦୁନିଆକୁ ଅତି ନିକଟରୁ ଦେଖିବାର ସୁଯୋଗ ଓ ସମ୍ମାନ କେବଳ ତୁମ ପାଇଁ ହିଁ ସମ୍ଭବ ହୋଇପାରିଛି। କ୍ରିକେଟ୍ ପଡ଼ିଆରେ ସଫଳତା ସାଉଁଟିବା ଲାଗି କେତେ ଅଧ୍ୟବସାୟ, ଏକାଗ୍ରତା ଓ ଶୃଙ୍ଖଳା ଦରକାର ତାହା ମୁଁ ତୁମଠୁ ହିଁ ଜାଣିଛି ଓ ଦେଖିଛି। ତୁମ ପାଇଁ କେବେ କେବେ ଏସବୁ ମଧ୍ୟ ଯଥେଷ୍ଟ ହୋଇନଥାଏ।

ଯୋଜନା ଭିତରେ ରହିବାକୁ ତୁମକୁ ହିଁ କାହିଁକି ଏତେସବୁ କରିବାକୁ ପଡ଼ୁଥିଲା, ସେ ପ୍ରଶ୍ନ ମୋ ମନ ଭିତରେ ଏବେବି ଉଙ୍କି ମାରୁଛି। ଆମେ ଏହି ବିଷୟରେ ଅନେକ ଥର କଥା ବି ହୋଇଛେ। ତୁମେ ବହୁତ କିଛି କରିଛ। ଏବେ କାନ୍ଧରେ ଥିବା ବୋଝକୁ ଓହ୍ଲାଇ ପରିବାର ସହ ଖୁସିରେ ରହିବାର ସମୟ ଆସିଯାଇଛି। ନିଜ ଇଚ୍ଛାରେ ଜିଇଁବାକୁ ଚେଷ୍ଟାକର। ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଖାଅ। ଟିକେ ମୋଟା ହୋଇଗଲେ ବି ଚଳିବ। ପରିବାର ପାଇଁ ସମୟ ଦିଅ। ସାମାଜିକ ଗଣମାଧ୍ୟମରେ ମିମ୍ ଛାଡ଼, ବୋଲିଂର ନୂଆ ଶୈଳୀ ସୃଷ୍ଟି କର, ଯାହା ବି କର, ଜୀବନକୁ ଭରପୂର ଉପଯୋଗ କର। ତୁମ ସହିତ ମୁଁ ଅନେକ ସ୍ମରଣୀୟ ମୁହୂର୍ତ୍ତ କାଟିଛି, ଆଗକୁ କାଟିବି ବୋଲି ଆଶା ବି ରଖିଛି। ବହୁତ ବହୁତ ଭଲପାଇବା ପ୍ରିୟତମ।

Related Articles

Leave a Reply

Your email address will not be published. Required fields are marked *

Back to top button