ରାଜ୍ୟ

ବିଷାକ୍ତ ମଦମୃତ୍ୟୁ ମାମଲାକୁ ଭୁଲିଗଲେ: ସରିଗଲାଣି ଦୁଇମାସିଆ ବିଜ୍ଞପ୍ତି ଅବଧି

ବ୍ରହ୍ମପୁର: ଗତ ଅ‌ଗଷ୍ଟରେ ଗଞ୍ଜାମ ଜିଲ୍ଲା ଚିକିଟିରେ ଘଟିଥିବା ବିଷାକ୍ତ ମଦମୃତ୍ୟୁ ମାମଲାକୁ ରାଜ୍ୟ ସରକାର ଭୁଲିଯାଇଥିବା ମନେ ହେଉଛି। କାରଣ ଘଟଣାର ତଦନ୍ତ ପ୍ରକ୍ରିୟା ପାଦେ ବି ଘୁଞ୍ଚିନି। ଏପରିକି ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଉନି। ରାଜସ୍ବ ପର୍ଷଦ ସଦସ୍ୟ ତଦନ୍ତ କରିବେ ବୋଲି ରାଜ୍ୟ ସରକାର ଗତ ସେପ୍ଟେମ୍ବର ୨୬ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଦୁଇ ମାସ ଭିତରେ ତଦନ୍ତ ସାରି ରିପୋର୍ଟ ଦାଖଲ କରିବାକୁ କୁହାଯାଇଥିଲା। ଇତିମଧ୍ୟରେ ୩ ମାସ ବିତିବାକୁ ବସିଲାଣି। ହେଲେ ବାସ୍ତବରେ ତଦନ୍ତ ପ୍ରକ୍ରିୟା କେଉଁଠି ଅଟକିଛି, ଏହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ମୃତକଙ୍କ ପରିବାରବର୍ଗ ଏବେବି ନ୍ୟାୟ ଓ ସରକାରୀ ସହାୟତାକୁ ଅନାଇ ବସିଛନ୍ତି।

ସରିଗଲାଣି ଦୁଇମାସିଆ ବିଜ୍ଞପ୍ତି ଅବଧି
ଘଟଣାସ୍ଥଳ ମାଡ଼ିନାହାନ୍ତି ରାଜସ୍ବ ପର୍ଷଦ ସଦସ୍ୟ

ଗତ ଅଗଷ୍ଟ ମାସ ୧୯ରେ ଚିକିଟି ଏନ୍‌ଏସି ଅଧୀନ ଜେନାପୁର ଓ କରବାଲୁଆ ଗ୍ରାମର କିଛି ଲୋକ ମାଉନ୍ଦପୁର ଗ୍ରାମକୁ ଯାଇ ଦେଶୀମଦ ପିଇଥିଲେ। ରାତିରେ ପ୍ରାୟ ୨୩ ଜଣ ଅସୁସ୍ଥ ହୋଇ ପଡ଼ିଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣା ସେତେବେଳେ ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସେତେବେଳେ ଆର୍‌ଡିସିସ୍ତରୀୟ ତଦନ୍ତ କରାଯିବ ବୋଲି ଘୋଷଣା କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ରାଜସ୍ବ ପର୍ଷଦ ସଭ୍ୟ ତଦନ୍ତ କରି ରିପୋର୍ଟ ଦେବେ ବୋଲି କହିଥିଲେ। ବର୍ତ୍ତମାନ ଏହି ବିଜ୍ଞପ୍ତିର ଅବଧି ଶେଷ ହୋଇସାରିଛି। ସେପଟେ ରାଜସ୍ବ ପର୍ଷଦ ସଦସ୍ୟ ଚିକିଟି ଆସି ତଦନ୍ତ କରିବା ସାଧାରଣ ଲୋକ ଜାଣିବା ତ ଦୂର କଥା, ଚିକିଟି ବିଡିଓ, ତହସିଲଦାର ଓ ପୁଲିସ ମଧ୍ୟ ଜାଣିନାହାନ୍ତି। ତଦନ୍ତ ଏକପ୍ରକାର ଶୀତଳଭଣ୍ଡାରକୁ ଚାଲିଯାଇଥିବା ସାଧାରଣରେ ଆଲୋଚନା ହେଉଛି। ଏହି ଘଟଣାରେ ପୁଲିସ ଓ ଅବକାରୀ ବିଭାଗ ପର୍ଯ୍ୟାୟକ୍ରମେ ୭ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। କିନ୍ତୁ ନକଲି ମଦ କାରବାର ଚଳାଇଥିବା ମାଷ୍ଟର୍‌ମାଇଣ୍ଡ୍‌କୁ ଏଯାବତ୍ ଧରିପାରି ନାହିଁ। ସେପଟେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ଏକ ତଦନ୍ତ ରିପୋର୍ଟ ଦାଖଲ କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button