ଚନ୍ଦ୍ରରେ ପ୍ରଜ୍ଞା ପାଇଲା ଅମ୍ଳଜାନର ସନ୍ଧାନ – Ibnodisha
[ad_1]
ଗନ୍ଧକ, ଆଲୁମିନିୟମ, କ୍ୟାଲ୍ସିୟମ, ଲୌହ, କ୍ରୋମିୟମ, ଟାଇଟାନିୟମ, ମାଙ୍ଗାନିଜ, ସିଲିକନ ବି ମିଳିଛି; ଜାରି ରହିଛି ଉଦଯାନର ଅନୁସନ୍ଧାନ
ବେଙ୍ଗାଲୁରୁ: ଭାରତର ଚନ୍ଦ୍ରଯାନ ଅଭିଯାନକୁ ମଙ୍ଗଳବାର ଏକ ଗୁରୁତ୍ବପୂର୍ଣ୍ଣ ସଫଳତା ମିଳିଛି। ବିଶ୍ବର ପ୍ରଥମ ଦେଶ ଭାବେ ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନର ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞା ଅବତରଣ କରିବା ପରେ ବିଭିନ୍ନ ସମୟରେ ସେମାନେ ଭିନ୍ନ ଭିନ୍ନ ସୂଚନା ପ୍ରଦାନ କରିବାରେ ଲାଗିଛନ୍ତି। ପୂର୍ବରୁ ଚନ୍ଦ୍ରପୃଷ୍ଠର ତାପମାତ୍ରା ସଂପର୍କରେ ସୂଚନା ପ୍ରଦାନ କରିଥିବା ରୋଭର ଆଜି ଚନ୍ଦ୍ରର ଦକ୍ଷିଣ ମେରୁରେ ଗନ୍ଧକ (ସଲଫର)ର ସନ୍ଧାନ ପାଇଛି। ଏଥିରେ ଥିବା ଲେଜର-ଇଣ୍ଡ୍ୟୁସ୍ଡ ବ୍ରେକ୍ଡାଉନ୍ ସ୍ପେକ୍ଟ୍ରୋସ୍ପୋପ୍ (ଲିବ୍ସ) ଉପକରଣ ଚନ୍ଦ୍ରର ଦକ୍ଷିଣମେରୁରେ ଗନ୍ଧକ ଥିବା ସ୍ପଷ୍ଟ କରିଛି। କେବଳ ଗନ୍ଧକ (ସଲ୍ଫର) ନୁହେଁ, ରୋଭର ପ୍ରଜ୍ଞା ଚନ୍ଦ୍ରପୃଷ୍ଠରେ ଆହୁରି ଅନେକ ଉପାଦାନର ସନ୍ଧାନ ପାଇଥିବା ପ୍ରାଥମିକ ବିଶ୍ଳେଷଣରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରେ ରହିଛି ଆଲୁମିନିୟମ, କ୍ୟାଲ୍ସିୟମ, ଲୌହ, କ୍ରୋମିୟମ ଓ ଟାଇଟାନିୟମ। ଚନ୍ଦ୍ରପୃଷ୍ଠରେ ମାଙ୍ଗାନିଜ, ସିଲିକନ ଓ ଅମ୍ଳଜାନ ମଧ୍ୟ ରହିଛି। ଉଦଜାନ (ହାଇଡ୍ରୋଜେନ) ଅଛି କି ନା ତା’ ଉପରେ ଅନୁସନ୍ଧାନ ଚାଲିଛି। ତାହା ଯଦି ମିଳିଯାଏ, ତେବେ ଚନ୍ଦ୍ରରେ ଜଳ ଥିବା ସ୍ପଷ୍ଟ ହୋଇଯିବ ବୋଲି ଇସ୍ରୋ କହିଛି।
ଲିବ୍ସ ହେଉଛି ରୋଭର ପ୍ରଜ୍ଞାରେ ଲାଗିଥିବା ଏକ ବୈଜ୍ଞାନିକ କୌଶଳ ଯାହା ଚନ୍ଦ୍ର ମୃତ୍ତିକାରେ କି କି ଉପାଦାନ ରହିଛି ତାହାର ବିଶ୍ଳେଷଣ କରି ତଥ୍ୟ ପଠାଇଥାଏ। ଏହି ଯନ୍ତ୍ର ଦ୍ବାରା ଚନ୍ଦ୍ରର ପୃଷ୍ଠଦେଶରେ ଥିବା ମୃତ୍ତିକା ବା ପ୍ରସ୍ତର ଉପରକୁ ଉଚ୍ଚ ଶକ୍ତିସମ୍ପନ୍ନ ଲେଜର ତରଙ୍ଗ ଫୋକସ କରାଯାଇଥାଏ। ଏହା ଏକ ଉତ୍ତପ୍ତ ପ୍ଲାଜ୍ମା ସୃଷ୍ଟି କରେ। ଏହି ପ୍ଲାଜ୍ମା ଆଲୋକକୁ ବିଶ୍ଳେଷଣ କରି ଉପାଦାନ ସମ୍ବନ୍ଧରେ ଜାଣିହୁଏ। କାରଣ ପ୍ଲାଜ୍ମା ଅବସ୍ଥାରେ ପ୍ରତ୍ୟେକ ଉପାଦାନ ଏକ ନିର୍ଦ୍ଦିଷ୍ଟ ଗୁଣସମ୍ପନ୍ନ ତରଙ୍ଗଦୈର୍ଘ୍ୟର ଆଲୋକ ପ୍ରତିଫଳନ କରନ୍ତି। ସେଥିରୁ ବସ୍ତୁର ଔପାଦାନିକ ସଂରଚନା ଜଣାପଡ଼େ ବୋଲି ଇସ୍ରୋ କହିଛି। ଲିବ୍ସ ଉପକରଣଟି ବେଙ୍ଗାଲୁରୁସ୍ଥିତ ଇସ୍ରୋର ଇଲେକ୍ଟ୍ରୋ-ଅପ୍ଟିକ୍ସ ସିଷ୍ଟମ୍ସର ପ୍ରୟୋଗଶାଳାରେ ପ୍ରସ୍ତୁତ ହୋଇଛି।
[ad_2]