ରାଜସ୍ଥାନ: ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ କାରକେଡରେ ଜିପ୍ ଓଲଟିଲା, ୪ ପୋଲିସ କର୍ମଚାରୀ ଆହତ
ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ବସୁନ୍ଧରା ରାଜେଙ୍କ କାରକେଡରେ ଯାଉଥିବା ଏକ ପୋଲିସ ଜିପ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗାଡ଼ିଟି ରାସ୍ତାରେ ଓଲଟି ପଡ଼ିବାରୁ ୪ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପାଲି ଜିଲ୍ଲାର ରୋହଟ ଏବଂ ପଣିହାରୀ ଚୌରାହେ ନିକଟରେ ଘଟିଛି ।
ମିଳିଥିବା ସୂଚନା ମୁତାବକ, ଏଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ପୂର୍ବତନ ସିଏମଙ୍କ କାରକେଡରେ ପଛରେ ଯାଉଥିବା ଏକ ପୋଲିସ୍ ଜିପ୍ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଜିପରେ ଥିବା ଅନେକ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ସେମାନେ ହେଲେ ରୁପାରାମ, ଭାଗ ଚାନ୍ଦ, ସୂରଜ, ନବୀନ ଓ ଜିତେନ୍ଦ୍ର ।
କୁହାଯାଉଛି ଯେ ବସୁନ୍ଧରା ରାଜେ ପାଲି ଜିଲ୍ଲାର ବାଲିରେ କ୍ୟାବିନେଟ୍ ମନ୍ତ୍ରୀ ଓଟାରାମ ଦେୱାସୀଙ୍କ ମାଆଙ୍କ ଦେହାନ୍ତରେ ସମବେଦନା ଜଣାଇବା ପରେ ତାଙ୍କ ଗାଁ ମୁଣ୍ଡାରାରୁ ଯୋଧପୁର ଫେରୁଥିଲେ । ଏହି ସମୟରେ ରାସ୍ତାରେ ହଠାତ୍ ଜଣେ ବାଇକ୍ ଚାଳକ ପଶିଆସିଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ବସୁନ୍ଧରାଙ୍କୁ ଏସ୍କଟ୍ କରୁଥିବା ପୋଲିସ ଗାଡ଼ିଟି ଓଲଟି ପଡ଼ିଥିଲା ।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ବସୁନ୍ଧରା ରାଜେ ସଙ୍ଗେ ସଙ୍ଗେ ଗାଡ଼ିରୁ ଓହ୍ଲାଇ ଆହତ ପୋଲିସ କର୍ମଚାରୀଙ୍କ ନିକଟରେ ପହଞ୍ଚିଥିଲେ । ଏହାପରେ ସେମାନଙ୍କୁ ଆମ୍ବୁଲାନ୍ସରେ ବାଲି ଡାକ୍ତରଖାନା ପଠାଇଥିଲେ । ସେଠାରେ ଆହତମାନଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ପୋଲିସ କର୍ମଚାରୀମାନେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ ।
ସେପଟେ ବସୁନ୍ଧରା ରାଜେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ଏଥିରେ ସେ ଆହତ ପୋଲିସ କର୍ମଚାରୀମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।
କହି ରଖୁଛୁ, ଏହା ପୂର୍ବରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା ମଧ୍ୟ ମୁଣ୍ଡାରା ଗାଁରେ ମନ୍ତ୍ରୀଙ୍କ ଘରକୁ ଯାଇଥିଲେ । ସେଠାରେ ସେ ମନ୍ତ୍ରୀଙ୍କ ମା’ଙ୍କ ନିଧନରେ ଶୋକବ୍ୟକ୍ତ କରି ଫେରିଥିଲେ ।