ଚା’ ଏକ ସ୍ୱାସ୍ଥ୍ୟକର ପେୟ ପଦାର୍ଥ’… ଆମେରିକା FDA ଦେଲା ସବୁଜ ସଙ୍କେତ
କୋଟି କୋଟି ଭାରତୀୟଙ୍କ ପାଇଁ ଚା’ ଏକ ଆରାମଦାୟକ ପେୟ ପଦାର୍ଥ । କିନ୍ତୁ ଏହାକୁ ଅନେକ ସମୟରେ ‘ଅସ୍ୱାସ୍ଥ୍ୟକର ପାନୀୟ’ ଶ୍ରେଣୀରେ ରଖାଯାଏ । ତେବେ ବର୍ତ୍ତମାନ ଏହାକୁ ନେଇ ବିଚାରଧାରାରେ ପରିବର୍ତ୍ତନ ଆସୁଛି । ଆମେରିକାର ଖାଦ୍ୟ ଏବଂ ଡ୍ରଗ୍ ପ୍ରଶାସନ (FDA) ଚା’କୁ ଏକ ସ୍ୱାସ୍ଥ୍ୟବର୍ଦ୍ଧକ ପେୟ ପଦାର୍ଥ ରୂପେ ମାନ୍ୟତା ଦେଇଛି । ଏଫଡିଏର ଏହି ନିଷ୍ପତ୍ତିକୁ ନର୍ଥ ଇଷ୍ଟର୍ଣ୍ଣ ଟି ଆସୋସିଏସନ (NETA) ଏବଂ ଇଣ୍ଡିଆନ ଟି ଆସୋସିଏସନ (ITA) ସ୍ୱାଗତ ଜଣାଇଛନ୍ତି ।
କ୍ୟାମେଲିଆ ସିନେସିସ୍ (Camellia sinensis)ରୁ ତିଆରି ଚା’କୁ ଏକ ସୁସ୍ଥ ପାନୀୟ ରୂପେ ସ୍ୱୀକୃତି ପ୍ରଦାନ କରିଛି FDA । ଏଫଡିଏର ମାନ୍ୟତା ପରେ ଏବେ ଉତ୍ପାଦନକାରୀମାନେ ଚା’ ଉତ୍ପାଦଗୁଡ଼ିକୁ ସ୍ଵେଚ୍ଛାକୃତ ଭାବେ ଲେବଲ୍ କରିପାରିବେ, ଯାହାକି ଚା’ ଉଦ୍ଦ୍ୟୋଗ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲ୍ ଷ୍ଟୋନ୍ ।
ସାରା ବିଶ୍ୱରେ ଭାରତୀୟମାନେ ହେଉଛନ୍ତି ଚା’ର ସବୁଠାରୁ ବଡ଼ ଗ୍ରାହକ । ଏକ ରିପୋର୍ଟ ଅନୁସାରେ, ଭାରତୀୟ ପ୍ରତି ବର୍ଷ ୧.୨ ବିଲିୟନ କିଲୋଗ୍ରାମରୁ ଅଧିକ ଚା’ ସେବନ କରନ୍ତି । ଚା’ ସ୍ୱାସ୍ଥ୍ୟ ପାଇଁ ଭଲ ନା ଖରାପ, ତାହାକୁ ନେଇ ଅନେକ ଭ୍ରାନ୍ତ ଧାରଣା ରହିଛି । କିନ୍ତୁ ବର୍ତ୍ତମାନ FDAରୁ ‘ସ୍ୱାସ୍ଥ୍ୟପ୍ରଦ’ ଟ୍ୟାଗ୍ ମିଳିବା ପରେ ସମସ୍ତ ନକାରାତ୍ମକ ଚିନ୍ତାଧାରା ଦୂର ହୋଇଯାଇଛି ।
ଡିସେମ୍ବର ୧୯ରେ ଆମେରିକା FDA ‘ସ୍ୱାସ୍ଥ୍ୟକର’ ପୋଷକ ତତ୍ତ୍ୱ ସାମଗ୍ରୀର ଦାବିକୁ ଅପଡେଟ୍ କରି ଏକ ଅନ୍ତିମ ନିୟମ ଜାରି କରିଛି । ଯେଉଁ ଖାଦ୍ୟପଦାର୍ଥ ଡାଏଟ୍ ଆଧାରିତ ସୁପାରିଶ ହିସାବରେ ରହିଥିବ, ତାହାକୁ ଚିହ୍ନଟ କରିବାରେ ଗ୍ରାହକମାନଙ୍କୁ ଏଥିରୁ ସାହାଯ୍ୟ ମିଳିପାରିବ । ଏହି ଅପଡେଟର ଏକ ଅଂଶ ଭାବରେ କ୍ୟାମେଲିଆ ସିନେସିସରୁ ପ୍ରସ୍ତୁତ ଚା’ ବର୍ତ୍ତମାନ ‘ହେଲଦି’ ବର୍ଗ ପାଇଁ ପ୍ରଜୁଯ୍ୟ ହୋଇଛି ।
ଆମେରିକାର ଚା’ ଆସୋସିଏସନ ସଭାପତି ପିଟର ଏଫ୍. ଗୋଗୀ ଏହି ମାନ୍ୟତାକୁ ବିଶ୍ୱ ଚା’ ଶିଳ୍ପ ପାଇଁ ଏକ ଭଲ ଖବର ବୋଲି କହିଛନ୍ତି । ଏହିପରି NETA ପରାମର୍ଶଦାତା ତଥା ଟି ବୋର୍ଡ ଅଫ୍ ଇଣ୍ଡିଆର ପୂର୍ବତନ ଉପାଧ୍ୟକ୍ଷ ବିଦ୍ୟାନନ୍ଦ ବୋରକାକୋଟି ନିଜର ଉତ୍ସାହ ବ୍ୟକ୍ତ କରିଛନ୍ତି ।
ସେ କହିଛନ୍ତି, ଆମେ ଏଫଡିଏର ମାନ୍ୟତା ପାଇ ଖୁସି । ବିଶ୍ୱ ରିସର୍ଚ୍ଚ ଚା’ର ସ୍ୱାସ୍ଥ୍ୟ ଉପକାରିତାକୁ ଦର୍ଶାଉଛି । ଚା’କୁ ଏକ ସ୍ୱାସ୍ଥ୍ୟକର ଏବଂ ଜୀବନଶୈଳୀ ପାନୀୟ ଭାବରେ ପ୍ରୋତ୍ସାହିତ କରିବାକୁ ଆମେ ଭାରତ ସରକାରଙ୍କୁ ଅନୁରୋଧ କରୁଛୁ । ତେବେ ଏଜେନ୍ସି ସ୍ପଷ୍ଟ କରିଛି ଯେ ଅନ୍ୟ ଉଦ୍ଭିଦରୁ ପ୍ରସ୍ତୁତ ହର୍ବାଲ ଚା’ ଉପରେ ‘ସ୍ୱାସ୍ଥ୍ୟକର’ ଦାବି ପ୍ରଯୁଜ୍ୟ ନୁହେଁ, ଯେଉଁଥିରେ କାମୋମାଇଲ, ପେପରମିଣ୍ଟ, ଅଦା, ଲାଭେଣ୍ଡର, ହିବିସ୍କସ୍, ବଟରଫ୍ଲାଇ ପି ଫ୍ଲାୱାର ଏବଂ ମସଲା ଚା’ ଅନ୍ତର୍ଭୁକ୍ତ ।