ଅଧାପନ୍ତରିଆ ପୋଲ କାମ ପାଇଁ ହୀନସ୍ତା ଏଠାକାର ଲୋକେ, ବାଟ ଚାଲିବା ମୁସ୍କିଲ
କଣ୍ଟାବାଞ୍ଜି: ରାସ୍ତା ପାଇଁ ଲୋକେ ହୀନସ୍ତା । କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ଅଧାପନ୍ତରିଆ ରାସ୍ତା ଯୋଗୁଁ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ସରକାର ଯୋଜନା ଏଠି ବ୍ୟତିକ୍ରମ ଦେଖିବାକୁ ମିଳିଛି । ଆମେ କହୁଛୁ ତୁରେକେଲା ବ୍ଲକର ଉପାନ୍ତରେ ଥିବା ବଡ଼ବାଙ୍କୀ ଗାଁ କଥା । ଅଧାପନ୍ତରିଆ ରାସ୍ତା ପୋଲ କାମ ଯୋଗୁଁ ବାଟ ଚାଲିବା ମୁସ୍କିଲ ।
ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକର ଉପାନ୍ତ ମାଓ ପ୍ରବଣ ଅଞ୍ଚଳ ବଡବାଙ୍କି ପଂଚାୟତ । ବଡବାଙ୍କି ପଂଚାୟତ ସଦର ଗ୍ରାମଠାରୁ ରଣାପଡାରୁ ସଗ୍ରିଆ ପଡା ରାସ୍ତାର ମଝିରେ ବହିଯାଇଛି ଡୁମେରମୁଣ୍ଡା ନାଳ । ବର୍ଷା ଦିନରେ ପ୍ରବଳ ବର୍ଷା ପାଣି ଯାଇଥାଏ । ଫଳରେ ନାଳର ପୂର୍ବ ଦିଗରେ ଥିବା ସଗ୍ରିଆ ପଡା ଓ ରଣା ପଡା ମଧ୍ୟରେ ବିଛିନ୍ନ ହୋଇଥାଏ । ନାଳର ପୂର୍ବ ଦିଗରେ ରହିଛି ମାଝିପଡା ସରକାରୀ ପ୍ରାଥମିକ ବିଦ୍ୟାଳୟ । ଫଳରେ ବର୍ଷା ଦିନେ ଅଧ୍ୟୟନରତ ଛାତ୍ରୀଛାତ୍ର ନାଳ ଉପରେ ପୋଲ ନଥିବାରୁ ଶିକ୍ଷାଦାନରୁ ବଞ୍ଚିତ ହୋଇଥାନ୍ତି । ଅନେକ ସମୟରେ ରୋଗୀଙ୍କୁ ନେବା ପାଇଁ ମଧ୍ୟ ବହୁତ ଅସୁବିଧା ହୋଇଥାଏ । ଆମ୍ବୁଲାନ୍ସ ମଧ୍ୟ ଏହି ରାସ୍ତାରେ ଆସେ ନାହିଁ । ଲୋକେ ଏହି ନାଳ ପାର୍ କଲେ ରୋଗୀଙ୍କୁ ଡାକ୍ତରଖାନା ନେଇଥାନ୍ତି ।
ଗତ ୨୦୨୪ ଜୁଲାଇ ମାସର ପ୍ରବଳ ବର୍ଷାରେ ଅଧ୍ୟୟନରତ ଛାତ୍ରୀଛାତ୍ର ସ୍କୁଲକୁ ଯିବା ବେଳେ ବିପଦର ସମ୍ମୁଖିନ ହୋଇଥିଲେ । ତେବେ ଏହି ନାଳ ଉପରେ ପୋଲ ନିର୍ମାଣ ପାଇଁ ୨୦୨୩ ରେ ବିଜୁ କେବିକେ ଯାଜନାରେ ୯ଲକ୍ଷ ୩ ହଜାର ଟଙ୍କା ମଞ୍ଜୁର ହୋଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ହେଲେ ପ୍ରଶାସନିକ ଅଧିକାରୀ ଓ ଠିକାଦାରଙ୍କ ମନମୁଖୀ କାମ ପାଇଁ ଆଜି ପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଯାହା ଦ୍ୱାରା ଲୋକେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ଅଧପନ୍ତରିଆ ପୋଲ ନିର୍ମାଣ କରି ବନ୍ଦ କରାଯାଇଛି । ଏପରିକି ଅଧପନ୍ତରିଆ ପୋଲ ନିର୍ମାଣ କରି ସମସ୍ତ ଟଙ୍କା ବିଲ୍ କରି ଉଠାଣ କରାଯାଇଥିବା ଗ୍ରାମବାସୀଙ୍କଠାରୁ ଅଭିଯୋଗ ହେଉଛି । ଅନେକ ଥର ବିଭାଗୀୟ ଅଧିକାରୀ, ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିବା କହିଛନ୍ତି ସ୍ଥାନୀୟ ସରପଞ୍ଚ । ଏ ନେଇ ଆମେ ତୁରେକେଲା ବିଡ଼ିଓଙ୍କ ପ୍ରତିକ୍ରିୟା ନେଇଥିଲୁ । ସେ କହିଥିଲେ ମୁଁ ଏବେ ଏହି ବ୍ଲକକୁ ନୂଆ ହୋଇ ଆସିଛି ଓ ଆପଣଙ୍କ ମାଧ୍ୟମରେ ଏହି ବ୍ରିଜ୍ କଥା ଜାଣିଲି । ମୁଁ ନିଜେ ଯାଇ କିଭଳି ଶୀଘ୍ର ଏହି କାମ ସମ୍ପୂର୍ଣ୍ଣ ହେବ ତାହା ଚେଷ୍ଟା କରିବି । ତେବେ ରାସ୍ତା ପାଇଁ ହୀନସ୍ତା ବଡବାଙ୍କି ପଂଚାୟତ ବାସୀ । ରଣାପଡାରୁ ସଗ୍ରିଆ ପଡା ରାସ୍ତାର ନୂତନ ପୋଲ ନିର୍ମାଣ ଅଧପନ୍ତରିଆ । ଏହି ଖବର ପଦାରେ ପଡିବା ପରେ କେବେ ସମ୍ପୂର୍ଣ୍ଣ ହେବ କାମ ଦେଖିବାକୁ ବାକି ରହିଲା ।