ରାଜ୍ୟ

ସେନା କର୍ମଚାରୀଙ୍କ ଘରେ ଲୁଟ୍, କୁକୁରକୁ ଧରି ଖୋଜାଖୋଜି କରୁଛି ପୋଲିସ

ମାଣ ବସାଇବା ପାଇଁ ଗାଁ ଘରକୁ ଯାଇଥିଲେ ପରିବାରର ସମସ୍ତ ସଦସ୍ୟ । ଆଉ ସବୁ କାମ ସରିବା ପରେ ଘରୁ ପଳାଇଥିଲେ ସବୁ । ଘର ପୂରା ଖାଲି ଥିଲା । ଆଉ କେହି ନଥିବାର ସୁଯୋଗ ନେଇ ଘରେ ପଶିଲେ ଚୋର । ଘରେ ଯାହା ଥିଲା ସବୁ ନେଇ ଛୁ ମାରିଲେ । ସକାଳୁ ପଡ଼ୋଶୀ ଦେଖନ୍ତି ତ ଘର କବାଟ ଭଙ୍ଗା ହୋଇ ପଡ଼ିଛି । ସଙ୍ଗେ ସଙ୍ଗେ ଘର ମାଲିକଙ୍କୁ ଖବର ଦେଲେ । ଆଉ ଖବର ପାଇ ମାଲିକ ବି ଘରେ ପହଞ୍ଚିଲେ । କିନ୍ତୁ ସେତେବେଳକୁ ଘରେ ଆଉ କିଛି ବାକି ନଥିଲା । ଏଇ ଦେଖୁ ନାହାନ୍ତି ଜିନିଷ ପତ୍ର କେମିତି ଖେଳା ହୋଇପଡ଼ିଛି । ସେପଟେ ସନ୍ଧାନୀ କୁକୁରକୁ ଧରି ପୋଲିସ ଖୋଜାଖୋଜି କରିବାରେ ବ୍ୟସ୍ତ । ଜଣେ ସେନା କର୍ମଚାରୀଙ୍କ ଘରେ ହୋଇଛି ଏଭଳି ଲୁଟ୍ ।

ଅସ୍ତରଙ୍ଗ ଥାନା ଅନ୍ତର୍ଗତ ହିରାଦେଇପୁର ଗାଁର ପୂର୍ବତନ ସେନା କର୍ମଚାରୀ ମଦନ ମୋହନ ମଲିକଙ୍କ ଘରୁ ଗତ ୨୦ ତାରିଖ ବିଳମ୍ବିତ ରାତିରେ ଡକାୟତି ହୋଇଥିବା ସେ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମଦନମୋହନ ମଲିକଙ୍କ ଅଭିଯୋଗ ଆଧାରରେ ଅସ୍ତରଙ୍ଗ ଥାନା ପୋଲିସ ଏକ ଚୋରି ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ପୋଲିସ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ ସହିତ ଡଗ ସ୍କ୍ବାର୍ଡର ସହାୟତା ନିଆଯାଇଛି । ଚୋରି ହୋଇଥିବା ସ୍ଥାନରେ ଛାନଭିନ ଆରମ୍ଭ କରିଛି ଅସ୍ତରଙ୍ଗ ପୋଲିସ । ଡକାୟତି ହୋଇଥିବା ଘର ମଧ୍ୟରେ ଆସବାବ ପତ୍ର ଏଣେ ତେଣେ ପଡି ରହିବା ସହିତ ଡକାୟତମାନେ ଘର ଭିତରେ ରହିଥିବା ଆଲମୀରା ଭାଙ୍ଗି ସେଥିରେ ରହିଥିବା ଏକ ସୁନାର ହାର ,ଗୋଟିଏ କାନ ଫୁଲ ସହିତ ଗୋଟିଏ ରୂପାର ପାଉଁଜି ନେଇଯାଇଥିବା ଅଭିଯୋଗ କରିଛନ୍ତି ଘର ମାଲିକ ମଦନମୋହନ ମଲିକ । ଚୋରିହୋଇଥିବା ସୁନା ଗହଣାର ଓଜନ ୨୧ ଗ୍ରାମ ରହିଥିବା ବେଳେ ରୂପା ପାଉଁଜିର ଓଜନ ୬ ଗ୍ରାମ ରହିଥିବା କହିଛନ୍ତି ଅଭିଯୋଗ କାରୀ । ଡଗ ସ୍କ୍ବାର୍ଡ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ସନ୍ଧାନୀ କୁକୁର ବିଭିନ୍ନ ସ୍ଥାନରେ ବୁଲି ସନ୍ଧାନ କରିଥିବା ଦେଖିବାକୁ ମିଳିଥିଲା ।

ପୂର୍ବତନ ସେନାକର୍ମଚାରୀ ମଦନ ମୋହନ ବାବୁ କଟକରେ ରହୁଥିବା ବେଳେ ମାଣ ବସାଇବା ପାଇଁ ଗାଁରେ ରହିଥିବା ଘରକୁ ଆସିଥିଲେ ଏବଂ ମାଣ ବସାଇ ଗତ ୧୫ ତାରିଖରେ କଟକକୁ ଫେରିଯାଇଥିଲେ । ଘରେ କେହି ନଥିବାର ସୁଯୋଗ ନେଇ ଡକାୟତମାନେ ଘରର ତଳ ଭାଙ୍ଗି ଘରେ ପଶିଥିଲେ ଏବଂ ଡକାୟତି କରି ସହଜରେ ଫେରାର ହୋଇଯାଇଥିଲେ । ତେବେ ପଡୋଶୀମାନେ ଘର ତାଲା ଭଙ୍ଗାଯାଇଥିବା ଦେଖି ଘର ମାଲିକଙ୍କୁ ଖବର ଦେଇଥିଲେ । ଖବର ପାଇ ଘର ମାଲିକ ଘରକୁ ଆସିଥିଲେ ଏବଂ ଘରେ ଚୋରି ହୋଇଥିବା ଜାଣିବାକୁ ପାଇଥିଲେ ।

ସେନା କର୍ମଚାରୀଙ୍କ ଘରକୁ ବି ଏ ଚୋରମାନେ ଛାଡ଼ୁ ନାହାନ୍ତି । ଏ ଚୋରଙ୍କୁ ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହିଁ ଗାଁରୁ ଚୋରି କମିବ । ଆଉ ଲୋକେ ଶାନ୍ତିରେ ରହିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button