ରାଜ୍ୟ

ଗଙ୍ଗନଗର ଛକରୁ ଜବରଦଖଲ ହଟିଲା

ଭୁବନେଶ୍ବର: ଶେଷରେ ଗଙ୍ଗନଗର ଛକରୁ ଜବରଦଖଲ ହଟିଛି। ଜିଏ ବିଭାଗର ନିର୍ଦ୍ଦେଶକ୍ରମେ ଆଜି ବିଡିଏି ସିଇଏମ୍‌ସି ଟିମ୍‌ ଦୁଇ ମହଲା କୋଠାକୁ ଭାଙ୍ଗିଛି। ଏହା ସହ ୧୫ଟି ସିମେଣ୍ଟ ଖୁଣ୍ଟ, ୭ଟି ଦୋକାନ ଘର ଓ ଶହେ ଫୁଟ୍‌ର ପାଚେରି ଉଚ୍ଛେଦ ହୋଇଛି। ଏଥିରେ ପ୍ରାୟ ୫ହଜାର ବର୍ଗଫୁଟ୍‌ ଅଞ୍ଚଳ ଅବରୋଧମୁକ୍ତ ହୋଇଛି। ଦୁଇଟି ବିଡିଏର ଓ ଗୋଟିଏ ବିଏମ୍‌ସିର ଜେସିବି ସାହାଯ୍ୟରେ ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଉଚ୍ଛେଦ କରାଯାଇଛି। ଜିଏ ବିଭାଗ ଏଠାରେ ଫଳକ ଲଗାଇ ପୁନଃ ଜବରଦଖଲ ନ କରିବାକୁ ସୂଚନା ଦେଇଛି। ଯୁଗ୍ମ କମିସନର ରଞ୍ଜନ କୁମାର ଜେନା, ଏନ୍‌ଫୋର୍ସମେଣ୍ଟ ଅଫିସର ଦେବରାଜ ‌ସେଠୀ, ଜିଏ ଓ ପିଜି ବିଭାଗ ସହକାରୀ ନିର୍ଦ୍ଦେଶକ ଅମିୟ କୁମାର ଦାସ, ବିଡିଏର ବିଭୁପ୍ରସାଦ ବେହେରା ପ୍ରମୁଖ କ୍ୟାପିଟାଲ୍‌ ଥାନା ପୁଲିସ ସହାୟତାରେ ଉଚ୍ଛେଦ କରିଥିଲେ।

୫୨ ନଂ ୱାର୍ଡର ଭୀମପୁର ମୌଜା ଖାତା ସଂଖ୍ୟା ୭୪୦ ପ୍ଲଟ୍‌ ନଂ ୪୯, ୫୦ ଓ ୫୧/୨୨୩୩ରେ ଥିବା ୬୧୦ ଡେସିମିଲ୍‌ ସରକାରୀ ଜମି ଜବରଦଖଲ ହୋଇଥିଲା। ସମ୍ପୃକ୍ତ ବ୍ୟକ୍ତି ଘରୋଇ ଜମି ଦର୍ଶାଇ ବିଏମ୍‌ସି ଠାରୁ ଘର ନିର୍ମାଣ ପ୍ଲାନ୍‌ ନେଇଥିଲେ। କିନ୍ତୁ ସରକାରୀ ଜାଗାରେ ନିର୍ମାଣ କରୁଥି‌ଲେ। ଦୁଇ ମହଲା ଘର ନିର୍ମାଣ ହେଉଥିଲେ ସୁଦ୍ଧା ସରକାରଙ୍କ ଜିଓ ଓ ପିଜି ବିଭାଗ ସମେତ ବିଏମ୍‌ସି ଓ ବିଡିଏ ଜାଣି ପାରୁନଥିଲେ। ଏ ନେଇ ଗତ ୨୩ ତାରିଖରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତତ୍‌ପରତା ପ୍ରକାଶ ପାଇଥିଲା। ଜିଏ ବିଭାଗ, ବିଡିଏ, ବିଏମ୍‌ସି ମିଳିତ ଭାବେ ଜାଗାକୁ ମାପଚୁପ କରିଥିଲେ। ସେତେବେଳେ ଏହା ସରକାରୀ ଜମି ବୋଲି ଜଣାପଡ଼ିଥିଲା। ଏହା ପରେ ଏହାକୁ ଉଚ୍ଛେଦ କରିବାକୁ ଯୋଜନା ହୋଇଥିଲା।

ଏଠାରେ ସୂଚାଇ ଦିଆଯାଇ ପାରେ, ଜିଏ ବିଭାଗ ଜବରଦଖଲ ଚିହ୍ନଟ କରିବା ପାଇଁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ଏକ ସ୍ବତନ୍ତ୍ର ଆପ୍‌ ‘ବ୍ଲୁଇସ୍‌’ ପ୍ରସ୍ତୁତ କରିଥିଲା। ଏହାକୁ ଏବେ ବିଡିଏ ପରିଚାଳନା କରୁଛି। ଏଥିପାଇଁ ବିଡିଏରେ ଏକ ବ୍ଲୁଇସ୍‌ ସେଲ୍‌ ଖୋଲିବା ସହ ଜଣେ ମ୍ୟାନେଜର ଓ ଦୁଇଜଣ ଡାଟାଏଣ୍ଟ୍ରି ଅପରେଟର ଅଛନ୍ତି। ଏମାନଙ୍କ ପାଇଁ ମାସକୁ ଦରମା ବାବଦକୁ ବିଡିଏ ୩ଲକ୍ଷରୁ ଊର୍ଦ୍ଧ୍ବ ଖର୍ଚ୍ଚ କରୁଛି। ଏହି ସେଲ୍‌ ମଧ୍ୟ ଜବରଦଖଲ ଚିହ୍ନଟ କରି ଉଚ୍ଛେଦ କରୁଛି। ହେଲେ କେବଳ କେତୋଟି ଜରିପାଲ କିମ୍ବା‌ ଗରିବଙ୍କ ଟିଣ ଛପର ଘର ଭାଙ୍ଗୁଛି। ଏଭଳି ସହର ମଝିରେ ନିର୍ମାଣକୁ ଚିହ୍ନଟ କରୁନାହିଁ। ଏଥିପାଇଁ ମୋଟା ଅଙ୍କର ହାତଗୁଞ୍ଜା କାରବାର ହେଉଥିବା ଅଭିଯୋଗ ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button