ରାଜ୍ୟ

ବଢ଼ୁଛି ଫିଟ୍‌ନେସ୍‌ କ୍ରେଜ୍‌: ଜିମ୍‌ରୁ ପାର୍କ, ସବୁଠି ଭିଡ଼

ଭୁବନେଶ୍ୱର: ଶରୀରକୁ ଫିଟ୍ ରଖିବା ପାଇଁ ଜିମ୍‌ ଟ୍ରେଡ୍‌ମିଲ୍‌ରେ ଦୌଡ଼ିବା ସହିତ ସାଇକେଲିଂ କରିବା ଏବଂ ଭାର ଉଠାଇବା ଆଦିରେ ସୀମିତ ଥିଲା। କିନ୍ତୁ ବର୍ତ୍ତମାନ ଲଥିରେ ବ୍ୟାପକ ପରିବର୍ତ୍ତନ ହୋଇ ବ୍ୟାୟାମଗୁଡ଼ିକ ରୂପାନ୍ତରିତ ହେବାଲେ ଲାଗିଛି। ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟର ବିକାଶକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଏହି କ୍ରମରେ ବର୍ତ୍ତମାନ ଜିମ୍ ସେଣ୍ଟରଗୁଡ଼ିକରେ ‘ଜୁମ୍ବା’, ‘ଜାଜ୍’, ‘ଯୋଗ’, ‘ପାଇଲେଟ୍ସ’ ଏକ୍ସରସାଇଜ୍‌ର ମାତ୍ରା ବଢ଼ିବାରେ ଲାଗିଛି। ବିଭିନ୍ନ ଗୀତର ତାଳେ ତାଳେ ଏକ୍ସରସାଇଜ ସହିତ କିଭଳି ମାନସିକ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ତାକୁ ଗୁରୁତ୍ୱ ଦିଆଯାଉଛି। ଏହାବ୍ୟତୀତ ଏରୋବିକ୍, ଷ୍ଟେନ୍ଟେନିଂ, ବୁଟ କ୍ୟାମ୍ପ୍‌, ଜୁଡୋ, କାଡିଓଟ୍ରେନିଂ ଓ ଏସ୍ଆରଟିର ମଧ୍ୟ ଚାହିଦା ବଢ଼ିବାରେ ଲାଗିଛି। ଏନେଇ ‘ଏଡି ଫିଟନେସ୍‌ର ପ୍ରୋପାଗେଟ’ର ବିଶ୍ୱଜିତ ମଲ୍ଲିକଙ୍କ କହିବା ଅନୁଯାୟୀ ବର୍ତ୍ତମାନ କିଶୋର ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ମହିଳା ଓ ପୁରୁଷ ସମସ୍ତେ ନିଜକୁ ଫିଟ୍ ରଖିବାକୁ ଚାହୁଛନ୍ତି। ପୁଣି ଅସନ୍ତୁଳିତ ଜୀବନଶୈଳୀ ଯୋଗୁଁ ରୋଗଗ୍ରସ୍ତ ହୋଇ କିଛି ଲୋକ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଜିମ୍‌ ଆସୁଛନ୍ତି। ତେଣୁ ବୟସ ଅନୁସାରେ ସମସ୍ତଙ୍କ ପାଇଁ ଆଧୁନିକ ଧରଣ ଏକ୍ସରସାଇଜ୍ କରାହେଉଛି।

ସେହିପରି କିଛି ଲୋକଙ୍କ ପାଇଁ ଜିମ୍‌ର ବିକଳ୍ପ ସାଜିଛି ଘରୋଇ ଏକ୍ସରସାଇଜ ଓ ପାର୍କ। ବିଶେଷ କରି ସକାଳେ ଓ ସନ୍ଧ୍ୟାରେ ବନ୍ଧୁଙ୍କ ଦେଖା ସହିତ ଏକ୍ସରସାଇଜ କରିହେଉଥିବାରୁ ଅଧିକାଂଶ ପାର୍କ ମୁହାଁ ହେଉଛନ୍ତି। କିଏ ପାର୍କରେ ଦୌଡ଼ୁଛନ୍ତି ତ କିଛି ସେଠାରେ ଥିବା ମୁକ୍ତାକାଶ ବ୍ୟାୟାମଶାଳାରେ ଏକ୍ସରସାଇଜ କରୁଛନ୍ତି। ଆଉ କିଛି ଯୋଗାସନ କରିବାକୁ ଯାଉଛନ୍ତି। ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପାର୍କଗୁଡ଼ିକ ବାହାରେ ସ୍ୱାସ୍ଥ୍ୟକର ପାନୀୟ ଯେପରିକି ଅଳାଁ, ଘିକୁଆଁରୀ, ଲେମନ ଗ୍ରାସ, ବିଟ୍ ଜୁସ ଆଦି ମିଳୁଛି। ରାଜଧାନୀର ଆଇଜି ପାର୍କ, ଫରେଷ୍ଟ ପାର୍କ, ମଧୂସୂଦନ ପାର୍କ, କେଳୁଚରଣ ପାର୍କ ସମେତ ବିଭିନ୍ନ ଵାର୍ଡଗୁଡ଼ିକରେ ଥିବା ମିନି ପାର୍କରେ ମଧ୍ୟ ଲୋକଙ୍କ ଭିଡ଼ ଜମୁଛି। ସେହିପରି ସାମାଜିକ ଗଣମାଧ୍ୟମରେ ଭିଡିଓ ଓ ଆପ୍ ଯେପରିକି ‘ଲାଇକ ଟ୍ରେନିଂ କ୍ଲବ’, ‘୭ ମିନିଟ୍ ଵାର୍କଆଉଟ’, ‘ମାଇ ଫିଟନେସ୍‌ ପାଲ’, ‘ପେଲୋଟନ୍‌’, ‘ସିକ୍ସ ପ୍ୟାକ୍ ଇନ୍‌ ଥାର୍ଟି ଡେଜ୍’ ଆଦିଗୁଡ଼ିକରେ ମଧ୍ୟ ବର୍ତ୍ତମାନ ଏକ୍ସରସାଇଜ ଭିଡିଓ ଭାଇରାଲ ହେଉଛି।

ଯଦିଓ ଫିଟନେସ୍‌ ପାଇଁ ଲୋକଙ୍କ ପାଗଳାମି ବଢ଼ୁଛି, ହେଲେ ଜିମ୍‌ରେ ହୃଦ୍‌ଘାତ ହେବା ବର୍ତ୍ତମାନ ଏକ ସାଧାରଣ ଘଟଣା ପାଲଟିଲାଣି। ଏ କ୍ଷେତ୍ରରେ ସିନେ ତାରକା, ଯୁବ ଆଥଲେଟ୍‌ଙ୍କ ସଂଖ୍ୟା ଅଧିକ। ପ୍ରଶଂସକମାନଙ୍କ ପାଇଁ ଫିଟନେସ୍‌ ମଡେଲ୍‌ ସାଜୁସାଜୁ ଅଭିନେତା ସିଦ୍ଧାନ୍ତ ବୀର ସୂର୍ଯ୍ୟବଂଶୀ ହୁଅନ୍ତୁ ବା ଷ୍ଟାଣ୍ଡଅପ୍ କମେଡିଆନ୍ ରାଜୁ ଶ୍ରୀବାସ୍ତବ, ସାଉଥ ସୁପରଷ୍ଟାର ପୁନିତ୍ ରାଜକୁମାର, ବିଗବସ୍ ବିଜେତା ସିଦ୍ଧାର୍ଥ ଶୁକ୍ଳା ଆଦି ହୃଦ୍‌ଘାତର ଶିକାର ହୋଇଛନ୍ତି। ଏନେଇ କେୟାର ହସ୍ପିଟାଲ୍‌ର କ୍ଲିନିକାଲ୍‌ କାଡିଓଲୋଜିଷ୍ଟ୍‌ ସନ୍ଦୀପ ମହାନ୍ତିଙ୍କ କହିବା ଅନୁଯାୟୀ ସ୍ୱାସ୍ଥ୍ୟକର ହୃଦୟ ପାଇଁ ବ୍ୟାୟାମର ସୀମା ବୟସ ଓ ଶାରୀରିକ ଗଠନ ଉପରେ ନିର୍ଭର କରେ। ସାଧାରଣତଃ ମଧ୍ୟମ ତୀବ୍ରତାରେ ବ୍ୟାୟାମ ପ୍ରତି ସପ୍ତାହରେ ୧୫୦ ମିନିଟ୍‌ରୁ ୩୦୦ ମିନିଟ୍‌ ଅଥବା ଉଚ୍ଚ ତୀବ୍ରତାରେ ୭୫ରୁ ୧୫୦ ମିନିଟ୍‌ କରିହେବ। ଏହାର ସମୟ ସୀମା ବଢ଼ିଲେ ଏହା ହୃଦୟ ଉପରେ ପ୍ରଭାବ ପକାଏ ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button