ନୂଆ ରୂପ ପାଇବ କପିଳେଶ୍ବର ମନ୍ଦିର: ଦେଢ଼ ବର୍ଷ ପରେ ଏଏସ୍ଆଇ ନିଦ ଭାଙ୍ଗିଲା

ପୁରୁଣା ଭୁବନେଶ୍ବର: କପିଳେଶ୍ବର ମନ୍ଦିରକୁ ଜାତୀୟ ସ୍ମାରକୀ ଘୋଷଣା କରିବାର ପ୍ରାୟ ଦେଢ଼ ବର୍ଷ ପରେ ଏଏସ୍ଆଇର ନିଦ ଭାଙ୍ଗିଛି। ୪୬ ଲକ୍ଷଟଙ୍କା ବ୍ୟୟରେ ମନ୍ଦିରର ଉନ୍ନତିମୂଳକ କାମ ପାଇଁ ଶୁଭ ଦିଆଯାଇଛି। ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଏକାମ୍ର ବିଧାୟକ ବାବୁ ସିଂ ଏହି ଉନ୍ନତୀକରଣ କାର୍ଯ୍ୟର ଭିତ୍ତପ୍ରସ୍ତର ସ୍ଥାପନ କରିଛନ୍ତି। ସାଂସଦ କହିଛନ୍ତି ୩ ମାସ ପରେ ଏହି ମନ୍ଦିରର ଉନ୍ନତୀକରଣ ପାଇଁ ଆଉ ୧ କୋଟି ଟଙ୍କାର ଅନୁଦାନ ଆସିବ। ପ୍ରଥମ ପର୍ଯ୍ୟାୟରେ ୪୬ ଲକ୍ଷ ଟଙ୍କାରେ ଆବଶ୍ୟକ କାର୍ଯ୍ୟ କରାଯିବ। ଦ୍ବିତୀୟ ପର୍ଯ୍ୟାୟରେ ସାମନ୍ତରାପୁର ଠାରୁ କପିଳେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉନ୍ନତୀକରଣ ହେବ। ମନ୍ଦିରକୁ ଆସିବାରେ କୌଣସି ସମସ୍ୟା ରହିବନି।
ଦେଢ଼ ବର୍ଷ ପରେ ଏଏସ୍ଆଇ ନିଦ ଭାଙ୍ଗିଲା
୪୬ ଲକ୍ଷ ଟଙ୍କାରେ ହେବ ଉନ୍ନତୀକରଣ
ଏହି କାର୍ଯ୍ୟକ୍ରମରେ ଏଏସଆଇ ବିଭାଗୀୟ ଅଧିକାରୀ, ସ୍ଥାନୀୟ ଗ୍ରାମବାସୀ, ମନ୍ଦିରର ସେବାୟତ, ନିଯୋଗ ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ବିଳମ୍ବରେ ହେଲେ ମଧ୍ୟ ଉନ୍ନତୀକରଣ ହେବାକୁ ଯାଉଥିବାରୁ ସେବାୟତ ଓ ସ୍ଥାନୀୟ ବାସିନ୍ଦା ଖୁସିବ୍ୟକ୍ତ କରିଥିଲେ। ଏକାଦଶ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ମୁଖ୍ୟ ମନ୍ଦିର ସହ ଅନ୍ୟ ସମସ୍ତ ମନ୍ଦିରରୁ ପଥର ଓ ପାଣି ଗଳୁଥିଲା। ସେବାୟତଙ୍କ ଦାବି ପରେ ଏହା ଏଏସ୍ଆଇ ଅଧୀନକୁ ଯାଇଥିଲା। କିନ୍ତୁ ଦେଢ଼ ବର୍ଷ ହେବ କିଛି ହୋଇନଥିଲା। ଯାହାକୁ ନେଇ ସେବାୟତମାନେ ଅସନ୍ତୋଷ ପ୍ରକାଶ କରିଥିଲେ।




