ବଉଳପାଟ ଓ ପାଞ୍ଚି

ଆମ ଶାସ୍ତ୍ରୀୟମାନ୍ୟତାପ୍ରାପ୍ତ ଓଡ଼ିଆ ଭାଷାର ଦୁଇଟି ଅନ୍ତରଙ୍ଗ, ସାଂସ୍କୃତିକ ଶବ୍ଦ ହେଉଛି- ‘ବଉଳପାଟ’ ଓ ‘ପାଞ୍ଚି’। ‘ପାଞ୍ଚି’ ହେଉଛି- ବିବାହ ବେଦିରେ ବର ପିନ୍ଧୁଥିବା ହଳଦିଆ ବା ନାଲିଧଡ଼ିଆ ଲୁଗାଯୋଡ଼। ବ୍ରତବେଦିରେ ନବବ୍ରହ୍ମଚାରୀ ପିନ୍ଧୁଥିବା ଏହି ଧରଣର ଲୁଗାଯୋଡ଼କୁ ମଧ୍ୟ ପାଞ୍ଚି କୁହାଯାଏ। ସଂଭବତଃ ଏହାର ଲମ୍ବ ପାଞ୍ଚ ହାତ ହୋଇଥିବାରୁ ଏହାକୁ ‘ପାଞ୍ଚି’ କୁହାଯାଇଥାଏ ବୋଲି ଗୋଟିଏ ମତ ଅଛି।
ସେହିପରି, ବିବାହବେଦିରେ କନ୍ୟା ପିନ୍ଧୁଥିବା ଶାଢ଼ିର ନାମ ବଉଳପାଟ। ଏହି ଶାଢ଼ିର ରଙ୍ଗ ମୁଖ୍ୟତଃ ହଳଦିଆ ହୋଇଥାଏ। ସମ୍ଭବତଃ ଆମ୍ବ ବଉଳର ରଙ୍ଗ ସହ ସାମ୍ୟ ଥିବାରୁ ଏହାର ନାମ ‘ବଉଳପାଟ’ ହୋଇଛି।
ଏହି ବଉଳପାଟ ଓ ପାଞ୍ଚିକୁ ନେଇ ବିବାହ ବିଧିରେ ଏକ ବିଶେଷ କୃତ୍ୟ ହୋଇଥାଏ। ଏହାକୁ ‘ଗଇଣ୍ଠାଳ’ ବା ‘ବାହା ଗଇଣ୍ଠାଳ’ କୁହାଯାଏ। ଏଥିରେ, ବିବାହ କର୍ମର ଏକ ବିଶେଷ ବିଧାନ ରୂପେ ବର ପିନ୍ଧିଥିବା ‘ପାଞ୍ଚି’ର ଉତ୍ତରୀୟ ସହିତ କନ୍ୟା ପିନ୍ଧିଥିବା ବଉଳପାଟର ଓଢ଼ଣିକୁ ଏକାଠି ମିଶାଇ ଗଣ୍ଠି ପକାଇ ଦିଆଯାଏ। ଏହା ‘ବାହା ଗଇଣ୍ଠାଳ’। ବିଧି ଅନୁସାରେ, ବିବାହ ପରବର୍ତ୍ତୀ ଶୁକ୍ଳ ଦ୍ବିତୀୟା ଦିନ ବର ଓ କନ୍ୟାଙ୍କର ଚନ୍ଦ୍ର ବନ୍ଦାପନା ପରେ ଏହି ଗଇଣ୍ଠାଳ ଫିଟାଯାଇଥାଏ। ତେବେ, କେତେକ ଅଞ୍ଚଳରେ ସପ୍ତମଙ୍ଗଳା ଦିନ ଏହି ଗଇଣ୍ଠାଳ ଫିଟାଯାଉଥିବା ବେଳେ, ଅନ୍ୟ କେତେକ ଅଞ୍ଚଳରେ ବିବାହର ଏକବର୍ଷ ପରେ ଯାଇ ଏହି ଗଇଣ୍ଠାଳ ଫିଟା ନୀତି ଅନୁଷ୍ଠିତ ହୋଇଥାଏ।
ଶ୍ରୀମନ୍ଦିରର ରୁକ୍ମିଣୀ ବିବାହ ନୀତିରେ ଏହା ଏକ ସ୍ବତନ୍ତ୍ର ବିଧି ରୂପେ ପାଳିତ ହୁଏ। ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ଦିନ ରୁକ୍ମିଣୀ ହରଣ ଓ ରୁକ୍ମିଣୀ ବିବାହ ନୀତି ଅନୁଷ୍ଠିତ ହେଉଥିବା େବଳେ, ଜ୍ୟେଷ୍ଠ ପୂର୍ଣ୍ଣିମା ଦିନ ସ୍ନାନନୀତି ଅନୁଷ୍ଠିତ ହୋଇଥାଏ। ସ୍ନାନଯାତ୍ରା ଦିନ ଅଣସର ନୀତି ଆରମ୍ଭ ହୋଇ ତା’ ପରେ ଶ୍ରୀଗୁଣ୍ଡିଚା ଯାତ୍ରା ହେଉଥିବାରୁ, ଶ୍ରୀଜଗନ୍ନାଥ ଗୁଣ୍ଡିଚାଘରୁ ଫେରିବା ପରର ନୀଳାଦ୍ରି ବିଜେ ଦିନ ହିଁ ରୁକ୍ମିଣୀ ବିବାହର ଏହି ଗଇଣ୍ଠାଳ ଫିଟାଯାଇଥାଏ।