IBN ଓଡ଼ିଶା ବ୍ୟୁରୋ

ନାଡ଼ି ବଉଳ ଓ ଫେଣି ବଉଳ

ଗୋଟିଏ ଲୋକପ୍ରିୟ ଓଡ଼ିଆ ଶିଶୁଗୀତିରେ କୁହାଯାଇଛି- ‘ଅାମ୍ବ ବଉଳଇ ଫଗୁଣ ମାସେ, ଦିଗ ଚହଟଇ ତା’ର ସୁବାସେ।’’ କିନ୍ତୁ ଶ୍ରୀମନ୍ଦିରରେ ଆମ୍ବ ବଉଳକୁ ନେଇ ପୌଷ ଅମାବାସ୍ୟାରେ ହିଁ ସ୍ବତନ୍ତ୍ର ନୀତି ପାଳିତ ହୋଇଥାଏ। ଏଣୁ ଏହି ଅମାବାସ୍ୟାର ନାମ ‘ବଉଳ ଅମାବାସ୍ୟା’। ଏହା ପୌଷମାସର ଏକ ପ୍ରମୁଖ ନୀତି। ଏହି ଦିନର ନୀତି ଅନୁସାରେ, ସେଦିନ ସକାଳ ଧୂପ ପୂଜାରେ କୋଠଭୋଗ ରୋଷଶାଳାରେ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଗଇଁଠା ଓ ପିଠା ଭୋଗ ଲାଗେ। ଏହି ଗଇଁଠା ଓ ପିଠା ଲୁଣି ଓ ମିଠା ଭେଦରେ ଦୁଇ ପ୍ରକାରର। ଚାଉଳ ଚୂନାରେ ଖୁଦିନଡ଼ିଆ ମିଶାଯାଇ, ଲୁଣ ପଡ଼ି, ଲୁଣି ଗଇଁଠା ଓ ପିଠା ଏବଂ ଲୁଣ ପରିବର୍ତ୍ତେ ମିଠା ପଡ଼ି ମିଠା ଗଇଁଠା ଓ ପିଠା ପ୍ରସ୍ତୁତ ହୁଏ। କିନ୍ତୁ ଏହା ବଉଳ ଗଇଁଠା ଓ ବଉଳ ପିଠା ନୁହେଁ।

ଏହି ଧୂପରେ ଲାଗି ହେଉଥିବା ଅନ୍ୟ ଦୁଇପ୍ରକାରର ପିଠା ହେଉଛି ବଉଳ ଅମାବାସ୍ୟାର ସ୍ବତନ୍ତ୍ର ଭୋଗ। ଏହାର ନାମ ‘ନାଡ଼ି ବଉଳ’ ଓ ‘ଫେଣି ବଉଳ’। ସରାମାନଙ୍କରେ ବିରିରେ ତିଆରି ନାଡ଼ି ଭଙ୍ଗାଯାଇ, ତାହା ଉପରେ ଆମ୍ବ ବଉଳ ଦେଇ ଯେଉଁ ‘ମୂର୍ତ୍ତୁମୂଳ’ କରାଯାଏ, ତାହା ‘ନାଡ଼ିବଉଳ’। ସେହିପରି, ଚାଉଳଚୂନାକୁ ଘିଅରେ ଭଜାଯାଇ, ତାହାକୁ ସରାରେ ରଖି, ତାହା ଉପରେ ଆମ୍ବ ବଉଳ ଦେଇ ଯେଉଁ ‘ମୂର୍ତ୍ତୁମୂଳ’ କରାଯାଏ, ତାହା ‘ଫେଣି ବଉଳ’। ଏହି ଭୋଗ ଶେଷ ହେବା ପରେ, ଭୋଗମାନ ପନ୍ତିରେ ଥାଇ ଭୋଗ ଆଳତି ହୁଏ। ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରଥ ତିନି ବାଡ଼ରେ ବନ୍ଦାପନା କରନ୍ତି।
ବଉଳ ଅମାବାସ୍ୟାରେ କିନ୍ତୁ ଓଡ଼ିଶାର ଘରେ ଘରେ ବଉଳ ଗଇଁଠା ପ୍ରସ୍ତୁତ ହୋଇ ଭୋଗ ଲାଗିଥାଏ। ବିଶ୍ବାସ ଅଛି ଯେ ଆମ୍ବ ଗଛକୁ ଏହି ଭୋଗ ଦେଲେ ଆମ୍ବଗଛ ଭଲ ବଉଳ ଓ ବହୁତ ଆମ୍ବ ଦେଇଥାଏ। କେତେକ ଅଞ୍ଚଳରେ ଆମ୍ବ ବଉଳ ପଡ଼ିଥିବା ଖିରି ମଧ୍ୟ ବଉଳ ଅମାବାସ୍ୟାରେ ଗୃହ ଦେବତାଙ୍କୁ ଲାଗି କରାଯାଇଥାଏ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button