IBN ଓଡ଼ିଶା ବ୍ୟୁରୋ

୧୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ ମିଳିବ ଟିକସ ରିହାତି

ନୂଆଦିଲ୍ଲୀ: ବର୍ଷକୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆଗାମୀ ବଜେଟ୍‌ରେ ଆୟକରରେ ରିହାତି ମିଳିପାରେ। ମଧ୍ୟମ ଆୟବର୍ଗର ଲୋକଙ୍କୁ ଆଶ୍ବସ୍ତି ଦେବା ଏବଂ ଦେଶରେ ଖର୍ଚ୍ଚକୁ ବଢ଼ାଇବା ପାଇଁ ଏଭଳି ପଦକ୍ଷେପ ସରକାର ନେଇପାରନ୍ତି। ସରକାର ଆସନ୍ତାବର୍ଷ ଫେବ୍ରୁଆରି ୧ରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବଜେଟ୍‌ ଆଗତ କରିବେ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସରକାର ଯଦି ଆୟକରରେ ରିହାତି ଦିଅନ୍ତି ତା’ହେଲେ ମଧ୍ୟମ ଆୟବର୍ଗର ଲୋକେ ଏବଂ ସହରାଞ୍ଚଳରେ ବାସ କରୁଥିବା ଲୋକମାନଙ୍କ ଉପରେ ଥିବା ଟିକସଜନିତ ଚାପ କମିବ। ଯେଉଁମାନେ ୨୦୨୦ର ଟିକସ ବ୍ୟବସ୍ଥାକୁ ଆପଣାଇବେ ସେମାନଙ୍କୁ ଏହା ଫାଇଦା ଦେବ। ନୂଆ ଟିକସ ବ୍ୟବସ୍ଥାରେ ୩ ଲକ୍ଷରୁ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କ ଠାରୁ ୫ ପ୍ରତିଶତରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ହାରରେ ଆୟକର ଆଦାୟ କରାଯାଉଛି। ଗଣମାଧ୍ୟମକୁ କହିବା ପାଇଁ ଅନୁମତି ନଥିବା ଅଧିକାରୀଙ୍କ ସୂତ୍ରରୁ ଏହା ଜଣାଯାଇଛି। ତେବେ ହ୍ରାସର ମାତ୍ରା କେତେ ରହିବ ତାହା ନିଷ୍ପତ୍ତି ହୋଇନାହିଁ। ଫେବ୍ରୁଆରି ୧ରେ ବଜେଟ୍‌ ଉପସ୍ଥାପନ ଦିନର କିଛିଦିନ ପୂର୍ବରୁ ଏସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ଟିକସ ହ୍ରାସ ଦ୍ବାରା କେତେ ଆର୍ଥିକ ବୋଝ ସରକାରଙ୍କ ଉପରେ ପଡ଼ିବ ସେ ନେଇ କୁହାଯାଇ ନଥିଲେ ମଧ୍ୟ ଅଧିକରୁ ଅଧିକ ଲୋକ ନୂଆ ଟିକସ ବ୍ୟବସ୍ଥାକୁ ଆପଣାଇବେ ବୋଲି ଜଣେ ଅଧିକାରୀ କହିଛନ୍ତି।

ମଧ୍ୟମ ଆୟବର୍ଗର ଲୋକଙ୍କ ହାତରେ ଅଧିକ ନଗଦ ଅର୍ଥ ରହିଲେ ତାହା ଅର୍ଥନୀତିକୁ ଆଗକୁ ନେବାରେ ସହାୟକ ହେବ। ବିଶ୍ବର ପଞ୍ଚମ ବୃହତ୍ ଅର୍ଥନୀତିର ଅଭିବୃଦ୍ଧି ଚଳିତ ଆର୍ଥିକବର୍ଷର ଦ୍ବିତୀୟ ତ୍ରୟମାସ (ଜୁଲାଇ-ସେପ୍ଟେମ୍ବର)ରେ ବିଗତ ୭ଟି ତ୍ରୟମାସର ସର୍ବନିମ୍ନ ସ୍ତରକୁ ଖସିଆସିଛି। ବିଭିନ୍ନ ସାମଗ୍ରୀର ଦରଦାମ ଉଚ୍ଚା ରହିଥିବାରୁ ସେଗୁଡ଼ିକର ଚାହିଦା ବି କମିଛି। ଏଥିସହିତ ଉଚ୍ଚ ଟିକସ ପାଇଁ ମଧ୍ୟମ ଆୟବର୍ଗର ଲୋକଙ୍କ ଠାରୁ ସରକାର ରୋଷର ଶିକାର ହୋଇଛନ୍ତି। ସେମାନଙ୍କ ଆୟ ଯେଉଁ ମାତ୍ରାରେ ବଢ଼ୁଛି ଦରଦାମ ବୃଦ୍ଧି ତାହାଠାରୁ ଅଧିକ ରହୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button