ରାଜ୍ୟ

ସମନ୍ୱୟ ଅଭାବରୁ ରେଳ ଷ୍ଟେସନ ରାସ୍ତା ମରଣଯନ୍ତା: ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ

ଭୁବନେଶ୍ୱର: ଆସନ୍ତା ଜାନୁଆରି ୮ତାରିଖରୁ ରାଜଧାନୀରେ ହେବ ପ୍ରବାସୀ ଭାରତୀୟ ସମ୍ମିଳନୀ। ଏଥିରେ ଦେଶ ତଥା ଦେଶ ବାହାରର ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ହେଲେ ଯାତ୍ରୀ ପରିବହନର ପ୍ରମୁଖ ସ୍ଥଳ ରେଳ ଷ୍ଟେସନ ସଂଲଗ୍ନ ରାସ୍ତା ଅବସ୍ଥା ଶୋଚନୀୟ ସ୍ଥିତିରେ ରହିଛି। ବିଶ୍ୱସ୍ତରୀୟ ରେଳ ଷ୍ଟେସନକୁ ଯିବା ରାସ୍ତା ମରଣଯନ୍ତା ପାଲଟିଛି। କେଉଁଠି ପିଚୁ ଉଠି ବାଲି ଦେଖାଗଲାଣି ତ କେଉଁଠି ଲୁହା ରଡ ବାହାରି ଆସିଛି। ଯେଉଁଆଡ଼େ ଚାହିଁଲେ ଖାଲଖମା। ଚାଲିବା ବେଳେ ଟିକିଏ ଅନ୍ୟ ମନସ୍କ ହେଲେ ପଡ଼ିବା ସୁନିଶ୍ଚିତ। ପରିମଳ ବ୍ୟବସ୍ଥା ନାହିଁ କହିଲେ ଚଳେ। ଚାରିଆଡ଼େ କୁଢ଼ କୁଢ଼ ଆବର୍ଜନା। ଆବର୍ଜନା ଗଦାରେ ଡ୍ରେନ ପୋତି ହୋଇ ପଡ଼ିଲାଣି। ଷ୍ଟେସନ ପରିସରରେ ଥିବା ମୋ’ ବସ୍‌ ଷ୍ଟାଣ୍ଡ ଭିତରେ ଶୌଚାଳୟ ଥିଲେ ମଧ୍ୟ ଏହାର ପରିସର ଶୌଚାଳୟ ପାଲଟିଛି। ମାତ୍ର ପୂର୍ତ୍ତ ବିଭାଗ ଓ ବିଏମ୍‌ସି ମଧ୍ୟରେ ସମନ୍ବୟର ଅଭାବରୁ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି।

କେବଳ ରେଳ ଷ୍ଟେସନକୁ ଯାଉଥିବା ମୁଖ୍ୟ ରାସ୍ତାର ସ୍ଥିତି ନୁହେଁ ବରଂ ଷ୍ଟେସନକୁ ସଂଯୋଗ କରିଥିବା ଅନ୍ୟ ତିନୋଟି ରାସ୍ତାର  ସ୍ଥିତି ମଧ୍ୟ ଶୋଚନୀୟ। କେବଳ ସେତିକି ନୁହେଁ  ବର୍ଷ ତଳେ ମୋ ବସ୍‌ଷ୍ଟାଣ୍ଡର ନବୀକରଣ କରାଯାଇଥିଲା। ବସ୍‌ଷ୍ଟାଣ୍ଡରେ ପିଚୁ ପଡ଼ି ପେଭର୍‌ ବ୍ଲକ୍‌ ମଧ୍ୟ ପଡ଼ିଥିଲା। ହେଲେ ଷ୍ଟାଣ୍ଡ୍‌ର ଚାରିପଟେ ମଧ୍ୟ ସ୍ଥାନେ ସ୍ଥାନେ ଖାଲ ରହିଛି। ଏପରିକି ପେଭର୍‌ ବ୍ଲକ୍‌ ମଧ୍ୟ ଉଠିଗଲାଣି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଦୀର୍ଘ ତିନି ବର୍ଷ ହେଲାଣି ଏ ରାସ୍ତା ମରାମତି ହୋଇନାହିଁ। ଏନେଇ ଷ୍ଟେସନର ଅଟୋ ଚାଳକ ସଂଘ ପକ୍ଷରୁ ବାରମ୍ୱାର ଅଭିଯୋଗ କରାଯାଉଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ। ବର୍ଷା ହେଲେ ତ ସ୍ଥିତି ଆହୁରି ଶୋଚନୀୟ ହୋଇପଡ଼ୁଛି। ଚାଳକଙ୍କ କହିବା ଅନୁଯାୟୀ ରାସ୍ତାରେ ଗାଡ଼ି ଚଳାଇବା ବେଳେ ପଡ଼ି ଯିବାର ଭୟ ରହୁଛି। ବିଶେଷ କରି ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଯାତ୍ରୀଙ୍କୁ ନେବା ଆଣିବାରେ ଅସୁବିଧା ହେଉଛି। ପୁଣି ରାସ୍ତା କଡ଼ରେ ଜବରଦଖଲ ଯୋଗୁଁ ମୋ’ ବସ୍‌ ଗଲେ ଯାତ୍ରୀ ଯିବାକୁ ବି ସ୍ଥାନ ରହୁନି। ଏନେଇ କର୍ପୋରେଟର କବିତା ସ୍ୱାଇଁଙ୍କ କହିବା ଅନୁଯାୟୀ ଷ୍ଟେସନର ପ୍ରବେଶ, ପ୍ରସ୍ଥାନ ଓ ବସ୍‌ଷ୍ଟାଣ୍ଡର ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି। ଆବର୍ଜନା ବିଏମସି ପକ୍ଷରୁ ହଠାଯାଉଛି। ହେଲେ କିଛି ଅମାନିଆ ଶୁଣୁନାହାନ୍ତି। ସେହିପରି ଏନେଇ ପୂର୍ତ୍ତ ବିଭାଗର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ରାସ୍ତା ସମ୍ପର୍କରେ ଆଲୋଚନା ହୋଇଛି। ଖୁବଶୀଘ୍ର ପଦକ୍ଷେପ ନିଆଯିବ।

Related Articles

Leave a Reply

Your email address will not be published. Required fields are marked *

Back to top button