IBN ଓଡ଼ିଶା ବ୍ୟୁରୋ

ବାସ୍ତୁ ବିଚାର: କେଉଁଠି ରଖିବେ ନୂଆ କ୍ୟାଲେଣ୍ଡର୍‌

ନୂଆବର୍ଷ ଆସୁଛି। ଆଉ ଦୁଇଦିନ ପରେ ୨୦୨୫ ମସିହାରେ ଆମେ ପାଦ ଥାପିବା। ଯଦି ଆପଣ ନୂଆବର୍ଷର କ୍ୟାଲେଣ୍ଡର୍‌ ଘରକୁ ଆଣିବା ପାଇଁ ଚିନ୍ତା କରୁଛନ୍ତି, ତା’ହେଲେ ତାହାର ସ୍ଥାନ ନିରୂପଣ ଲାଗି ବାସ୍ତୁ ସମ୍ବନ୍ଧୀୟ କିଛି ବିଶେଷ କଥା ଜାଣିବା ନିହାତି ଜରୁରି। ବାସ୍ତୁଶାସ୍ତ୍ରରେ ଘରେ ନୂଆ କ୍ୟାଲେଣ୍ଡର୍‌ ଲଗାଇବା ପାଇଁ କିଛି ନିୟମ ରହିଛି, ଯାହା ପାଳନ କରିବା ଦ୍ୱାରା ପରିବାର ଲୋକଙ୍କ ଜୀବନରେ ସୌଭାଗ୍ୟ ଆସିଥାଏ ବୋଲି ବିଶ୍ବାସ ରହିଛି।

ବାସ୍ତୁ ଅନୁଯାୟୀ ଘରେ କ୍ୟାଲେଣ୍ଡର୍‌ ଟାଙ୍ଗିଲେ ପୂରା ବର୍ଷ ଭାଗ୍ୟ ଆପଣଙ୍କ ସହିତ ରହିବ। ଯଦି ଆପଣ ବାସ୍ତୁ ସମ୍ବନ୍ଧୀୟ ନିୟମ ନମାନି ଘରର ଭୁଲ୍‌ ସ୍ଥାନରେ କ୍ୟାଲେଣ୍ଡର୍‌ ଲଗାଉଛନ୍ତି, ତା’ହେଲେ ଅନେକ ସମସ୍ୟାର ସାମ୍ନା କରିପାରନ୍ତି ବୋଲି କୁହାଯାଏ। କେଉଁ ଦିଗରେ, କିଭଳି କ୍ୟାଲେଣ୍ଡର୍‌ ରଖିବା ଉଚିତ ସେ ନେଇ ବାସ୍ତୁବିତ୍‌ କ’ଣ କହନ୍ତି ଆସନ୍ତୁ ଜାଣିବା।

l କ୍ୟାଲେଣ୍ଡର୍‌କୁ ସଦାସର୍ବଦା ଠିକ୍‌ ସ୍ଥାନରେ ରଖିବା ଉଚିତ। ଗୃହର ଦକ୍ଷିଣ ଓ ପୂର୍ବ କାନ୍ଥରେ ଏହା ସ୍ଥାନିତ ହେବା ଉଚିତ। ଏପରି କରିବା ଦ୍ୱାରା ଘରେ ସକାରାତ୍ମକ ଶକ୍ତି ବିସ୍ତାର ହୋଇଥାଏ ଏବଂ ହସଖୁସିର ବାତାବରଣ ମଧ୍ୟ ରହିଥାଏ।
l ପ୍ରତି ମାସ ଶେଷ ହେବାକ୍ଷଣି କ୍ୟାଲେଣ୍ଡର୍‌ର ପୃଷ୍ଠା ଓଲଟାଇବା ଦରକାର। କାରଣ ପ୍ରତି ମାସରେ ଆମେ କ୍ୟାଲେଣ୍ଡର୍‌ରୁ ରାଶି ନକ୍ଷତ୍ରର ଚଳଣ ମଧ୍ୟ ଜାଣିପାରୁ। ଶୁଭବାର, ନକ୍ଷତ୍ର, ତିଥି, ସମୟ, ଗୁରୁପୁଷ୍ୟା ଯୋଗ, ରବିପୁଷ୍ୟା ଯୋଗ, ଶନିପୁଷ୍ୟା ଯୋଗ ଆଦି ଆଜିକାଲି କ୍ୟାଲେଣ୍ଡର୍‌ରେ ସ୍ଥାନ ପାଉଛି। ତେଣୁ ମାସ ବଦଳିବା ସହ ପୃଷ୍ଠା ବଦଳାଇବା ଜରୁରି।
l କ୍ୟାଲେଣ୍ଡର୍‌ ଅନେକ ପ୍ରକାରର, ଯେପରି କାନ୍ଥ କ୍ୟାଲେଣ୍ଡର୍‌, ଟେବୁଲ୍‌ କ୍ୟାଲେଣ୍ଡର୍‌ ଓ ଡିଜିଟାଲ୍‌ କ୍ୟାଲେଣ୍ଡର୍‌। ଟେବୁଲ୍‌ କ୍ୟାଲେଣ୍ଡର୍‌କୁ ପଢ଼ା ଟେବୁଲ୍‌ର ସମ୍ମୁଖରେ ରଖିଲେ ତାହା ଶୁଭ ହୋଇଥାଏ। ଏହାସହିତ ଡାଇନିଂ ଓ ଡ୍ରଇଂ ହଲ୍‌ ଟେବୁଲ୍‌ର ପୂର୍ବଭାଗରେ ଏହା ରଖିବା ଉଚିତ।
l କ୍ୟାଲେଣ୍ଡର୍‌କୁ ଘରର ପ୍ରବେଶ ଦ୍ବାରରେ କେବେ ରଖିବେ ନାହିଁ। ଏହା ଅଶୁଭ ଫଳ ପ୍ରଦାନ କରେ। ଚିତ୍ରଗୁପ୍ତଙ୍କ ନିକଟରୁ ଏହା ସୃଷ୍ଟି ହୋଇଥିବାରୁ ଏହାକୁ ପ୍ରବେଶ ଦ୍ବାରରେ ରଖିବା ଉଚିତ ନୁହେଁ। ଝରକା କିମ୍ବା ଦ୍ବାର ଉପରେ କ୍ୟାଲେଣ୍ଡର୍‌ ରଖିବା ଅନୁଚିତ। କଳା ରଙ୍ଗର କ୍ୟାଲେଣ୍ଡର୍‌ ବ୍ୟବହାର କରିବା ଅଶୁଭ ହୋଇଥାଏ।
l ଏହା ସହିତ ଘରେ ପୁରୁଣା କ୍ୟାଲେଣ୍ଡର୍‌ କେବେ ବି ରଖିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଘରର ଅନେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ।
l ଘରେ ହିଂସାତ୍ମକ କିମ୍ବା ଦୁଃଖୀ ଚେହେରା ଛବି ଥିବା କ୍ୟାଲେଣ୍ଡର୍‌ ରଖନ୍ତୁ ନାହିଁ। ଏହା ମଧ୍ୟ ମନେରଖନ୍ତୁ ଯେ ପୁରୁଣା କ୍ୟାଲେଣ୍ଡର୍‌ ଉପରେ କେବେ ବି ଏକ ନୂତନ କ୍ୟାଲେଣ୍ଡର୍‌ ରଖିବେ ନାହିଁ। ଏଥିଯୋଗୁଁ ଘରେ ନକାରାତ୍ମକ ଶକ୍ତି ସଂଚାରିତ ହୁଏ। ପୁଣି ଘରେ କଟା ଫଟା କ୍ୟାଲେଣ୍ଡର୍‌ ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରେ ନକାରାତ୍ମକତା ସୃଷ୍ଟି ହୋଇଥାଏ।
l ଘରର ଉତ୍ତର ଦିଗରେ ଏକ ନୂତନ କ୍ୟାଲେଣ୍ଡର୍‌ ସହିତ ପ୍ରବାହିତ ନଦୀ କିମ୍ବା ବିବାହର ଫଟୋ ରଖିବା ଶୁଭ ବୋଲି ବିବେଚନା କରାଯାଏ। ଘରେ ସୁବର୍ଣ୍ଣ କିମ୍ବା ଧୂସର ରଙ୍ଗର କ୍ୟାଲେଣ୍ଡର୍‌ ରଖିବା ଦ୍ବାରା ସୁଖ ଓ ସମୃଦ୍ଧି ଆସିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button