ପୋଲିସକୁ ଚକମା ଦେଉଥିଲେ ଯାଆଁଳା ଭାଇ…! ଜଣେ ରହୁଥିଲା ସିସିଟିଭି ସାମ୍ନାରେ, ଅନ୍ୟ ଜଣେ କରୁଥିଲା ଚୋରି

ମଧ୍ୟପ୍ରଦେଶର ରେୱା ଜିଲ୍ଲା ମଉଗଞ୍ଜରେ ଏକ ଅଜବ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ । ଏହି ଘଟଣାର ମାଷ୍ଟରମାଇଣ୍ଡ ଦୁଇ ଯାଆଁଳା ଭାଇଙ୍କ କାହାଣୀ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଦୀର୍ଘ ଦିନ ଧରି ଏହି ଅଞ୍ଚଳରେ ନାନା ଚୋରି ଘଟଣାକୁ ନେଇ ପୋଲିସ ହରଡ଼ଘଣାରେ ପଡ଼ିଥିଲା । ଯେତେବେଳେ ଅପରାଧୀଙ୍କ ବିଷୟରେ ସତ ଜଣାପଡ଼ିଥିଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ଚୋରି କରିବା ପାଇଁ ଯାଆଁଳା ଭାଇ ଏକ ଅଜବ ଉପାୟ ଆପଣାଇଥିଲେ । ଜଣେ ଭାଇ ସହରର କୌଣସି ସାର୍ବଜନୀନ ସ୍ଥାନରେ ଲାଗିଥିବା ସିସିଟିଭି ସାମ୍ନାରେ ଠିଆ ହେଉଥିଲା ଏବଂ ଅନ୍ୟ ଜଣେ ଚୋରି କରୁଥିଲା । ପୋଲିସକୁ ବିଭ୍ରାନ୍ତ କରିବା ପାଇଁ ଯାଆଁଳା ଭାଇ ଏଭଳି କାରନାମା କରୁଥିଲେ । ଦୁହେଁ ସମାନ ରଙ୍ଗ ଏବଂ ଡିଜାଇନର ପୋଷାକ ମଧ୍ୟ ପିନ୍ଧୁଥିଲେ ।
ପୋଲିସ କୌଣସି ଚୋରି ଘଟଣାରେ ଜଣଙ୍କୁ ଧରୁଥିବା ବେଳେ ଅନ୍ୟ ଜଣେ ପ୍ରମାଣ ଭାବରେ ସିସିଟିଭି ରେକର୍ଡିଂ ଦେଖାଇ ଚତୁରତାର ସହ ବର୍ତ୍ତି ଯାଉଥିଲା । ଯାଆଁଳା ଭାଇ ଏକାଠି ରହୁ ନ ଥିଲେ । ଏକ ଚୋରି ଘଟଣାରେ ପୋଲିସ ଜଣେ ଭାଇଙ୍କୁ ଗିରଫ କରିଥିବା ବେଳେ ସତ ସାମ୍ନାକୁ ଆସିଥିଲା । ଗିରଫ ଭାଇକୁ ହାଜତରୁ ମୁକ୍ତ କରିବା ପାଇଁ ଅନ୍ୟ ଜଣେ ଭାଇ ଯେତେବେଳେ ଥାନାରେ ପହଞ୍ଚିଥିଲେ, ପୋଲିସ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା ।
ଲକ୍ଅପ୍ ଭିତରେ ଥିବା ଅଭିଯୁକ୍ତ କିପରି ବାହାରକୁ ଆସିଲେ, ସେ ନେଇ ପୋଲିସ ଦ୍ୱନ୍ଦ୍ୱରେ ପଡ଼ିଥିଲା । ଧୀରେ ଧୀରେ ସବୁକିଛି ଜଣାପଡ଼ିବା ପରେ ଯାଆଁଳା ଭାଇଙ୍କ ରହସ୍ୟ ପଦାକୁ ଆସିଥିଲା ।
ଏସପି ରସନା ଠାକୁର କହିଛନ୍ତି ଯେ ଡିସେମ୍ବର ୨୩ ତାରିଖ ରାତିରେ ମଉଗଞ୍ଜ ଥାନା ଅଞ୍ଚଳରେ ଏକ ଚୋରି ଘଟଣା ଘଟିଥିଲା । ଘରର ଆଲମାରି ଏବଂ ବାକ୍ସ ଭାଙ୍ଗି ଲକ୍ଷାଧିକ ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିଲା ।
ଏହି ମାମଲାରେ ପୋଲିସ ତିନି ଅଭିଯୁକ୍ତ ରବି ଶଙ୍କର ବିଶ୍ୱକର୍ମା, ଜଗନ୍ନାଥ କେଭଟ ଓ ସୌରଭ ବର୍ମାଙ୍କୁ ଗିରଫ କରିଥିଲା । ତେବେ ସୌରଭଙ୍କ ଯାଆଁଳା ଭାଇ ହେଉଛନ୍ତି ସଞ୍ଜୀବ ବର୍ମା । ସଞ୍ଜୀବ ତାଙ୍କ ଭାଇ ସୌରଭଙ୍କୁ ବଞ୍ଚାଇବା ପାଇଁ ସିସିଟିଭି କ୍ୟାମେରାର ସାହାରା ନେଇ ପୋଲିସକୁ ବିଭ୍ରାନ୍ତ କରୁଥିଲେ ।




