ରାଜ୍ୟ

ସରକାରଙ୍କୁ ଡିଜିପିଙ୍କ ସ୍ବତନ୍ତ୍ର ବଜେଟ୍‌ ପ୍ରସ୍ତାବ: ତଦନ୍ତ ଅଧିକାରୀଙ୍କୁ ମିଳିବ କିଟ୍‌

ଭୁବନେଶ୍ବର: ପୁଲିସ ମାମଲାରେ ଉପଯୁକ୍ତ ତଦନ୍ତ ଅଭାବରୁ ବହୁ ସମସ୍ୟା ଉପୁଜୁଛି। କେତେବେଳେ ତଦନ୍ତ ବିଳମ୍ବିତ ହେଉଛି ତ କେତେବେଳେ ବାଟବଣା ହେଉଛି। ଏଥିପାଇଁ ରହିଆସିଥିବା କିଛି ବ୍ୟବସ୍ଥାଗତ ତ୍ରୁଟିରେ ସୁଧାର ଆଣିବାକୁ ପୁଲିସ ବିଭାଗ ଯୋଜନା କରିଛି। ତଦନ୍ତ ଅଧିକାରୀମାନଙ୍କୁ ପ୍ରୋତ୍ସାହନ ଦେବାକୁ ଏକ ସ୍ବତନ୍ତ୍ର ବଜେଟ୍‌ ଆବଶ୍ୟକ ବୋଲି ଡିଜିପି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି। ଡିଜିପି ୱାଇ ବି ଖୁରାନିଆଙ୍କ ସୂଚନାନୁସାରେ ତଦନ୍ତ ବାବଦ ଖର୍ଚ୍ଚ ବଢ଼ାଇବା ଜରୁରି ହୋଇପଡ଼ିଛି। ତଦନ୍ତ ଅଧିକାରୀମାନେ ବିଭିନ୍ନ ମାମଲାରେ ରାଜ୍ୟ ବାହାରକୁ ଯାଉଛନ୍ତି। ବହୁ ସମୟରେ ଅର୍ଥ ବାଧକ ସାଜୁଛି। ସମ୍ପ୍ରତି ଅପରାଧ ବଢ଼ିବଢ଼ି ଚାଲିଛି ଏବଂ ସେହି ଅନୁସାରେ ତଦନ୍ତ ଅଧିକାରୀମାନଙ୍କ ଉପରେ ଚାପ ବଢ଼ୁଛି। ସେଥିରେ ଅର୍ଥ ସମସ୍ୟା ବେଶି ଜଟିଳ। ଏଥିପାଇଁ ରାଜ୍ୟ ସରକାରଙ୍କୁ ସ୍ବତନ୍ତ୍ର ବଜେଟ୍‌ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ବଜେଟ୍‌କୁ ସରକାର ମଞ୍ଜୁରି ଦେଲେ, ତଦନ୍ତ ଅଧିକାରୀମାନଙ୍କୁ ତଦନ୍ତରେ ସହାୟତା ଦେବା ଭଳି କିଟ୍‌ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୦୦୦ରୁ ୨୫୦୦ ଜଣ ଏଏସ୍‌ଆଇ, ଏସ୍‌ଆଇ ଓ ଆଇଆଇସିଙ୍କୁ ବାଇକ୍‌, ଲାପ୍‌ଟପ୍‌, ସ୍ମାର୍ଟ ଫୋନ୍‌, ପେନ୍‌ ଡ୍ରାଇଭ୍ ଆଦି ଦିଆଯିବ। ମାର୍ଚ୍ଚ ୩୧ ସୁଦ୍ଧା ଏସବୁ ପ୍ରଦାନ କରାଯିବ। ସେହିପରି ୬୭୯ ଥାନାକୁ ୬୭୯ଟି ସ୍କର୍ପିଓ ଖୁବ୍‌ ଶୀଘ୍ର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button