ରାଜ୍ୟ

ପୁରୁଷବନ୍ଧୁଙ୍କୁ ଆକ୍ରମଣ ଓ ଯୁବତୀକୁ ଉଠାଇନେବା ମାମଲା: ଅପହରଣ ପଛରେ ପ୍ରତିଶୋଧ

ଭୁବନେଶ୍ବର: ବିଳମ୍ବିତ ରାତିରେ ପୁରୁଷବନ୍ଧୁଙ୍କୁ କଟୁରିରେ ହାଣି ଗୁରୁତର କରିବା ସହ ତାଙ୍କ ଆଗରୁ ଯୁବତୀଙ୍କୁ ଅପହରଣ କରିନେବା ମାମଲାରେ କମିସନରେଟ୍‌ ପୁଲିସକୁ ସଫଳତା ମିଳିଛି। ପାଖାପାଖି ୩ ସପ୍ତାହ ପରେ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ମୈତ୍ରୀବିହାର ଥାନା ପୁଲିସ ସମସ୍ତ ୪ ଅପହର୍ତ୍ତାଙ୍କୁ ଧରିଛି ଏବଂ ଅପହରଣରେ ବ୍ୟବହୃତ କାର୍‌ ଓ ୨ଟି ରକ୍ତଭିଜା କଟୁରି ଜବତ କରିଛି। ଅଭିଯୁକ୍ତମାନଙ୍କ ମଧ୍ୟରେ ଥିବା ନାବାଳକକୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯାଇଛି। ଅନ୍ୟ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ କ୍ୟାପିଟାଲ୍‌ ଥାନା ପିଚୁପଡ଼ିଆ ବସ୍ତିରେ ରହୁଥିବା ଢେଙ୍କାନାଳ ରାସୋଳ ଖଳିବାରି ଗାଁର ମୁଖ୍ୟ ଖଳନାୟକ ପ୍ରଣବ ନାୟକ ଓରଫ ପ୍ରୀତିଶ, ସେହି ଥାନା ଅଧୀନ ମାମଙ୍ଗଳା ବସ୍ତିରେ ରହୁଥିବା ଯାଜପୁର ବିଂଝାରପୁରର ଚନ୍ଦନ ମଲ୍ଲିକ ଓରଫ ଚନ୍ଦୁ ଓ ରବି ଟକିଜ୍‌ ଅଞ୍ଚଳରେ ରହୁଥିବା ବାଲୁଗାଁ ହରିଜନସାହିର ରାହୁଲ ନାୟକ ଓରଫ ଟୁକୁ।

ଆଜି ଡିସିପି ପିନାକ ମିଶ୍ର ସୂଚନା ଦେଇ କହିଛନ୍ତି ‌ଯେ ପୂର୍ବରୁ ମୁଖ୍ୟ ଅଭିଯୁକ୍ତ ପ୍ରଣବ କଟକ ମଧୁପାଟଣା ଥାନା ଅଞ୍ଚଳରେ ରହୁଥିଲା। ଯୁବତୀଙ୍କ ଘର ମଧ୍ୟ ସେହି ଅଞ୍ଚଳରେ। ଏହାପରେ ପ୍ରଣବ ଭୁବନେଶ୍ବର ଚାଲିଆସିଥିଲା ଏବଂ କ୍ୟାପିଟାଲ୍‌ ଥାନା ଅଞ୍ଚଳରେ ରହୁଥିଲା। ସେ ଏଠାରେ ବିଭିନ୍ନ ଆପରାଧିକ ମାମଲାରେ ଜଡ଼ିତ ରହିଛି। ଭୁବନେଶ୍ବରର ବିଭିନ୍ନ ଥାନାରେ ତା’ ନାଁରେ ହତ୍ୟା ଉଦ୍ୟମ, ଚୋରି, ଲୁଟ୍‌, ରାହାଜାନୀ ଭଳି ୭ ସଂଗିନ୍‌ ମାମଲା ରହିଛି। ଏହା ଭିତରେ ଯୁବତୀଜଣକ ଭୁବନେଶ୍ବର ପଟିଆ ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରୁଥିଲେ। ପ୍ରଣବ ତାଙ୍କୁ ରାଜଧାନୀରେ ଆଶିଷ ସିଂଙ୍କ ସହ ଦେଖିଥିଲା। ଏମିତିକି ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ବୁଲାବୁଲି କରୁଥିବା ଦେଖିଥିଲା। ତେଣୁ ସେ ରାଗି ଯାଇଥିଲା। ଡିସେମ୍ବର ୨୩ ରାତିରେ ସେ ଟୁକୁ, ରାହୁଲ ଓ ନାବାଳକକୁ କାର୍‌ରେ ଧରି ଆଶିଷ ଓ ଯୁବତୀଙ୍କୁ ପିଛା କରିଥିଲା। ମୈତ୍ରୀବିହାର ଥାନା ଲୁମ୍ବିନୀବିହାର ରାସ୍ତାରେ ନିଛାଟିଆ ସ୍ଥାନ ଦେଖି ସେମାନେ ଆଶିଷଙ୍କୁ କଟୁରିରେ ହାଣି ଗୁରୁତର କରିବା ପରେ ଯୁବତୀଙ୍କୁ କାର୍‌ରେ ଉଠାଇ ନେଇଥିଲେ। ମାତ୍ର ଖଣ୍ଡଗିରି ନିକଟରେ ପୁଲିସ ବ୍ଲକିଂଚେକିଂ ଦେଖି ସେମାନେ ଯୁବତୀଙ୍କୁ କାର୍‌ରୁ ଫୋପାଡ଼ି ପଳାଇଥିଲେ। ପରେ ଯୁବତୀଜଣକ ଅଟୋ ଯୋଗେ କଟକ ପଳାଇଥିଲେ। ସେପଟେ ପିସିଆର୍‌ ଆଶିଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। ଯୁବତୀଙ୍କ ସୂଚନା ଆଧାରରେ ପୁଲିସ ମୁଖ୍ୟ ଅଭିଯୁକ୍ତ ପ୍ରଣବକୁ ଚିହ୍ନଟ କରିଥିଲା। କିନ୍ତୁ ଘଟଣା ପରଠୁ ସେ ରାଜଧାନୀ ଛାଡ଼ି ବାହାରକୁ ପଳାଇଥିବାରୁ ପୁଲିସ ତାକୁ ଗିରଫ କରିବା ବିଳମ୍ବ ହୋଇଥିଲା। ପ୍ରଣବକୁ ଢେଙ୍କାନାଳରୁ ଗିରଫ କରିବା ପରେ ପୁଲିସ ଅନ୍ୟମାନଙ୍କୁ ଭୁବନେଶ୍ବରରୁ ହିଁ ଉଠାଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button