ରାଜ୍ୟ

ପୁଣି ବିମାନବନ୍ଦରରୁ ୭ କୋଟିର ଗଞ୍ଜେଇ ଜବତ

ଭୁବନେଶ୍ବର: ଆଜି ପୁଣି ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପ୍ରାୟ ୭କୋଟି ଟଙ୍କା ମୂଲ୍ୟର ଜର୍ମାନୀ ପ୍ରସ୍ତୁତ ଦାମୀ ଗଞ୍ଜେଇ (ମାରିଜୁଆନା) ଜବତ କରାଯାଇଛି। କଷ୍ଟମ୍‌ସ ବିଭାଗ ହାତରେ ଧରାପଡ଼ିଥିବା କେରଳୀ ଯୁବକଙ୍କ ବ୍ୟାଗ୍‌ରୁ ଖାଦ୍ୟ ପୁଡ଼ିଆରେ ଭର୍ତ୍ତି ହୋଇଥିବା ଏହି ନିଶା ସାମଗ୍ରୀ ମିଳିଛି। ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଫେରିଥିବା ଏହି ଚାଲାଣକାରୀକୁ ଅଟକ ରଖି କଷ୍ଟମ୍‌ସ ବିଭାଗ ଖୋଳତାଡ଼ ଚଳାଇଛି। ଦୁଇ ସପ୍ତାହ ଭିତରେ ଏହି ବିମାନବନ୍ଦରରେ ଏହା ତୃତୀୟ ଘଟଣା। କଷ୍ଟମ୍‌ସ ବିଭାଗ ହାତରେ ୨ ମହିଳା ଓ ଜଣେ ଯୁବକ ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୭କୋଟି ଟଙ୍କା ମୂଲ୍ୟର ଏହି ଦାମୀ ଗଞ୍ଜେଇ ଜବତ କରାଯାଇଛି। ସେହିଭଳି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ) ଜାଲରେ ଜଣେ ଯୁବକ ଛନ୍ଦି ହୋଇଥିଲା ଏବଂ ତା’ଠାରୁ ୪କୋଟିର ଏହି ନିଶା ମିଳିଛି। ତେଣୁ ଅନ୍ତର୍ଜାତୀୟ ବଜାରର ମାରିଜୁଆନା ମାଫିଆମାନେ ଏବେ ଭୁବନେଶ୍ବରକୁ ସେମାନଙ୍କ ଟାର୍ଗେଟ୍‌ କରିଥିବା ଅନୁମାନ କରାଯାଉଛି।

ବ୍ୟାଙ୍କକ୍‌ରୁ ଆଣୁଥିଲେ କେରଳ ଯୁବକ
୩ ତୁହାରେ ୪ଜଣଙ୍କଠୁ ମିଳିଛି ୨୧କୋଟିର ନିଶା

ଧରାପଡ଼ିଥିବା ୨ ବଙ୍ଗୀୟ ମହିଳା ଓ ୨ କେରଳୀ ଯୁବକ ଭୁବନେଶ୍ବର ପାଇଁ ଏହି ନିଶା ଚାଲାଣ କରୁଥିଲେ କି ନା, ତାହା ସ୍ପଷ୍ଟ ହୋଇନାହିଁ। ଭୁବନେଶ୍ବର ଭଳି ବିମାନବନ୍ଦର ଦେଇ ମାଫିଆମାନେ ଭାରତର ଅନ୍ୟ ସହରକୁ ଚାଲାଣ କରୁଥିବା ସନ୍ଦେହ କରାଯାଉଛି। ଆଜି ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ମାରିଜୁଆନା ଆସୁଛି ବୋଲି କଷ୍ଟମ୍‌ସ ବିଭାଗ ନିକଟରେ ଖବର ପହଞ୍ଚିଥିଲା। ତେଣୁ ବିଭାଗୀୟ ସ୍କ୍ବାଡ୍‌ ବିମାନବନ୍ଦରରେ ଉକ୍ତ ବିମାନର ଯାତ୍ରୀମାନଙ୍କ ଲଗେଜ୍‌ କଡ଼ାକଡ଼ି ଯାଞ୍ଚ କରିଥିଲା। ସେହି କେରଳୀ ଯୁବକଙ୍କ ବ୍ୟାଗ୍‌ରେ ଥିବା ୭ଟି କନ୍ନଫ୍ଲେକ୍ସ ପ୍ୟାକେଟ୍‌ ଅଧିକାରୀମାନଙ୍କ ସନ୍ଦେହ ବଢ଼ାଇଥିଲା। ଯାଞ୍ଚ କଲା ପରେ ସେତକ ଦାମୀ ଗଞ୍ଜେଇ ମାରିଜୁଆନା ବୋଲି ଜଣାପଡ଼ିଥିଲା। ୭ଟିଯାକ ପ୍ୟାକେଟ୍‌ରେ ୭କେଜି ନିଶା ଥିଲା। ତୁରନ୍ତ ତଦନ୍ତକାରୀ ସ୍କ୍ବାଡ୍‌ ସେହି କେରଳୀ ଯୁବକଙ୍କୁ କାବୁ କରି ନେଇଥିଲେ। ଯୁବକଜଣକ ଟୁରିଷ୍ଟ ଭିସାରେ ବୁଲିବାକୁ ଥାଇଲାଣ୍ଡ ଯାଇଥିଲେ ବୋଲି ଜଣାପଡ଼ିଛି। ସେ ଏହି ରୢାକେଟ୍‌ର ଏକ ଅଂଶବିଶେଷ ନା କେହି ମାଫିଆ ତାଙ୍କୁ ଅର୍ଥ ପ୍ରଲୋଭନ ଦେଖାଇ ଫସାଇଛି, ସେନେଇ ଖୋଳତାଡ଼ ଜାରି ରହିଛି। ପୂର୍ବରୁ ଜଣେ କେରଳୀ ଯୁବକ ବ୍ୟାଙ୍କକ୍‌ରୁ ଫେରିବା ବେଳେ ଧରାପଡ଼ିଥିଲେ। ଆଜି ମଧ୍ୟ ସେହି କେରଳର ଯୁବକ ବ୍ୟାଙ୍କକ୍‌ରୁ ଫେରିବା ବେଳେ ଜାଲରେ ପଡ଼ିଛନ୍ତି। ତେଣୁ ଏହି ଚାଲାଣକାରୀମାନେ ମାରିଜୁଆନା ଚାଲାଣ ରୢାକେଟ୍‌ର ସଦସ୍ୟ ବୋଲି ଅନୁମାନ କରାଯାଉଛି।

ଚଳିତ ମାସ ୪ ତାରିଖ ଦିନ କୋଲକାତାର ଦୁଇ ମହିଳା ନାସିରା ଖାତୁନ ଓ ଆବିଦା ଖାତୁନ୍‌ କଷ୍ଟମ୍‌ସ ଅଧିକାରୀଙ୍କ ହାବୁଡ଼ରେ ପଡ଼ିଥିଲେ। ସେମାନଙ୍କଠାରୁ ୧୦ କେଜି ଓଜନର ମାରିଜୁଆନା ମିଳିଥିଲା। ସେମାନେ ମାଲେସିଆ କ୍ବାଲାଲମ୍ପୁରରୁ ବିସ୍କୁଟ୍‌ ପ୍ୟାକେଟ୍‌ରେ ଏହି ନିଶା ଭର୍ତ୍ତି କରି ଆସୁଥିଲେ। ସେହିପରି ୧୪ ତାରିଖ ଦିନ ବ୍ୟାଙ୍କକ୍‌ରୁ ଫେରୁଥିବା କେରଳୀ ଯୁବକଙ୍କୁ ଡିଆର୍‌ଆଇ ସ୍କ୍ବାଡ୍‌ ମାଡ଼ିବସିଥିଲା ଏବଂ ତା’ଠାରୁ ୪ କେଜିର ନିଶା ମିଳିଥିଲା। ଏହା ପୂର୍ବରୁ ବେଙ୍ଗାଲୁରୁ ଓ ଚେନ୍ନାଇ ବିମାନବନ୍ଦରରୁ ବିପୁଳ ପରିମାଣର ମାରିଜୁଆନା ଜବତ କରାଯାଇଥିଲା। ତେଣୁ ମାଫିଆମାନେ ଭୁବନେଶ୍ବର ଭଳି ଛୋଟ ସହର ଓ ବିମାନବନ୍ଦରକୁ ସୁରକ୍ଷିତ ଗଳାବାଟ ବୋଲି ଧରିନେଇଛନ୍ତି ବୋଲି ଅନୁମାନ କରାଯାଉଛି। ଭୁବନେଶ୍ବର ଦେଇ ଟ୍ରେନ୍‌ ବା ସଡ଼କ ପଥରେ ଅନ୍ୟ ମେଟ୍ରୋ ସହରକୁ ଏହି ଦାମୀ ନିଶା ଚାଲାଣ କରାଯାଉଛି ବୋଲି କୁହାଯାଉଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button