ରାଜ୍ୟ

ଖଣ୍ଡଗିରି ମେଳା ପାଇଁ ବିଏମ୍‌ସିର ପ୍ରସ୍ତୁତି ବୈଠକ: ସାଧୁସନ୍ଥଙ୍କ ପାଇଁ ଅସ୍ଥାୟୀ ଛାମୁଣ୍ଡିଆ

ଖଣ୍ଡଗିରି: ପ୍ରସିଦ୍ଧ ମାଘମେଳା ଓ ଖଣ୍ଡଗିରି ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ବିଏମସି ମୁଖ୍ୟାଳୟର ଏକାମ୍ର ହଲ୍‌ରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଡେପୁଟି ମେୟର ମଞ୍ଜୁଲତା କହଁର, ସାଂସ୍କୃତିକ କମିଟି ଅଧ୍ୟକ୍ଷ ମିହିର କୁମାର ରାଉତ, କମିସନର ରାଜେଶ ପ୍ରଭାକର ପାଟିଲ, ଅତିରିକ୍ତ କମିସନର ରତ୍ନାକର ସାହୁ, ସସ୍ମିତା ସାହୁ ଓ ଶୁଭେନ୍ଦୁ କୁମାର ସାହୁ, ମୁଖ୍ୟ ବିତ୍ତ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ନାଏକ, ଜୋନାଲ କମିସନର କୈଳାସ ଚନ୍ଦ୍ର ଦାସ ଉପସ୍ଥିତ ଥିଲେ। ଏହାସହ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟର, ବିଏମ୍‌ସିର ବରିଷ୍ଠ ଅଧିକାରୀ, ଜୋନାଲ କମିସନର, ପୁଲିସ ଅଧିକାରୀ, ଅଗ୍ନିଶମ ବିଭାଗ, ଵାଟକୋ ସହ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ଜାଗମରା ଅନନ୍ତ କେଶରୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା, ବିଭିନ୍ନ ଯାତ୍ରା କମିଟିର କର୍ମକର୍ତ୍ତା, ଖଣ୍ଡଗିରି ମାଘମେଳା କମିଟିର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ। ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥି‌ଲେ।

ବଞ୍ଜାରାଙ୍କ ଅନୁପ୍ରବେଶ ଉପରେ କଟକଣା

ଦ୍ୱିଗୁଣିତ ହେଲା ଅନନ୍ତ କେଶରୀଙ୍କ ଅନୁଦାନ ରାଶି
ଚଳିତ ବର୍ଷ ଜାଗମରାର ଆରାଧ୍ୟ ଦେବତା ଅନନ୍ତ କେଶରୀଙ୍କ ଉତ୍ସବ ପାଇଁ ବିଏମ୍‌ସି ପକ୍ଷରୁ ୪ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରାଯାଇଛି। ବିଗତ ବର୍ଷ ମାନଙ୍କରେ ଏହି ରାଶି ୨ଲକ୍ଷ ଟଙ୍କା ଥିଲା। ସେହିପରି ସାମିଲ ହେବାକୁ ଥିବା ହଜାରେରୁ ଅଧିକ ସାଧୁସନ୍ଥଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ, ଆଲୋକ ଓ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ। ୧୦ଟି ଆମ୍ବୁଲାନ୍ସ ଓ ଅଗ୍ନିଶମ ଗାଡ଼ି ମୁତୟନ ହେବ। ସବୁଠାରୁ ବଡ଼ କଥା ହେଉଛି ମେଳାରେ ଚୋରି କରିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରିବା, ଅପରିଷ୍କାର କରୁଥିବା ବଞ୍ଜାରାଙ୍କୁ ମେଳାଠାରୁ ଦୂରେଇ ରଖିବାକୁ ଆଲୋଚନା ହୋଇଛି। ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ କମିସନରେଟ ପୁଲିସକୁ କୁହାଯାଇଛି।

ପାର୍କିଂସ୍ଥଳରୁ ଦର୍ଶକଙ୍କୁ ଆଣିବ ସ୍ବତନ୍ତ୍ର ବସ୍‌
ଯାତ୍ରା ସମୟରେ ଗାଡ଼ି ପାର୍କିଂ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ଏଣୁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। ଆବଶ୍ୟକ ପଡ଼ିଲେ ଦୁଇରୁ ତିନି କିଲୋମିଟର ଦୂରରେ ପାର୍କିଂ ସ୍ଥାନ ନିରୂପଣ କରି, ସେଠାରୁ ଦେଖଣାହାରୀଙ୍କୁ ବସ୍ ଯୋଗେ ଖଣ୍ଡଗିରି ମେଳାସ୍ଥଳକୁ ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ରାସ୍ତା ଜାମରୁ ରକ୍ଷା ପାଇଁ ଏକ ସମୟରେ ଯାତ୍ରା ନ ସାରିବାକୁ ଯାତ୍ରାଦଳ ତଥା ସଂପୃକ୍ତ କମିଟିଙ୍କୁ ଅବଗତ କରାଯାଇଛି। ବିଏମ୍‌ସିର ଖାଦ୍ୟ ନିରାପତ୍ତା ଟିମ୍ ମଧ୍ୟ ମେଳାରେ ଉପସ୍ଥିତ ରହିବେ। ସେମାନେ ଦୈନିକ ରାସ୍ତା ପାର୍ଶ୍ୱରେ ବିକ୍ରି ହେଉଥିବା ଖାଦ୍ୟର ମାନ ଓ ଗୁଣବତ୍ତା ଯାଞ୍ଚ କରିବେ।

ନିୟୋଜିତ ହେବେ ୨୫୦ ଜଣ ଅବସରପ୍ରାପ୍ତ ସୈନ୍ୟ
ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ସହ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିସନରେଟ ପୁଲିସ ସହ ବିଏମ୍‌ସିର ୭ଟି ସ୍କ୍ୱାଡ୍‌ ଏବଂ ସ୍ୱତନ୍ତ୍ର ଭାବେ ୨୫୦ ଜଣ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯିବ। ଏହା ସହ ବିଏମ୍‌ସିର ସାଇନ୍ ଟିମ୍ ମଧ୍ୟ ପୁଲିସକୁ ସହାୟତା କରିବେ। ଯାତ୍ରା ଅଞ୍ଚଳରେ ପୁଲିସ, ମେଡିକାଲ ଟିମ୍, ଅଗ୍ନିଶମ ବିଭାଗ, ଵାଟକୋ, ବିଦ୍ୟୁତ୍ ଆଦି ଉପବିଭାଗର ସେବା ଶିବିର ରହିବାକୁ ସ୍ଥିର କରାଯାଇଛି। ବିଭିନ୍ନ ଅଞ୍ଚଳକୁ ଆଲୋକୀକରଣ କରିବା, ଅଧିକ ସଂଖ୍ୟକ ସିସିଟିଭି, ବ୍ୟାରିକେଡ୍ ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ବର୍ଜ୍ୟ ଉଠାଇବାକୁ ମେଳାସ୍ଥଳରେ ୨୪ ଘଣ୍ଟିଆ ସଫେଇ କର୍ମୀ ଓ ଗାଡ଼ି ରହିବା ସହ ଭ୍ରାମ୍ୟମାଣ ଶୌଚାଳୟ ବ୍ୟବସ୍ଥା କରାଯିବ। ଚଳିତ ବର୍ଷ ମେଳାରେ ୪ଶହରୁ ଅଧିକ ଷ୍ଟଲ ଖୋଲିବାକୁ ଯୋଜନା ହୋଇଛି। ଯେଉଁମାନଙ୍କର ବ୍ୟାବସାୟିକ ଅନୁମତି ପତ୍ର ଥିବ, ସେହିମାନଙ୍କୁ ଷ୍ଟଲ ପକାଇବା ପାଇଁ ପ୍ରୋତ୍ସାହିତ କରାଯିବ। ଭ୍ରାମ୍ୟମାଣ ବ୍ୟବସାୟୀଙ୍କଠାରୁ ଟ୍ରେଡ ଲାଇସେନ୍ସ ଫି’ ମଧ୍ୟ ଆଦାୟ କରାଯିବ। କୌଣସି ବ୍ୟବସାୟୀ ଥର୍ମକୁଲ, ନିଷିଦ୍ଧ ପଲିଥିନ୍‌ ବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକର ଉପଯୋଗ ନକରିବାକୁ କଡ଼ାକଡ଼ି କରାଯାଇଛି।

ଦୂର ହେବ ପାଣି ସମସ୍ୟା

ଖଣ୍ଡଗିରି ପାହାଡ଼ ଉପରକୁ ପାଣି ନେବା ସମସ୍ୟା ହେଉଥିବା‌ରୁ ଏହାର ସ୍ଥାୟୀ ସମାଧାନ କରିବା ପାଇଁ ଵାଟକୋକୁ ନିର୍ଦ୍ଦେଶ ଦିଆଯାଇଛି। ଵାଟକୋ, ବିଏମ୍‌ସି ଇଞ୍ଜିନିୟର ଓ ଜୋନାଲ କମିସନର ମିଳିତ ଭାବେ ସଂପୃକ୍ତ ଅଞ୍ଚଳର ଅନୁଧ୍ୟାନ କରିବା ସହ ପାହାଡ଼ ଉପରକୁ କିପରି ସ୍ଥାୟୀଭାବେ ପାନୀୟ ଜଳ ଯୋଗାଣ ହୋଇପାରିବ ସେ ନେଇ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ଅଞ୍ଚଳରେ ଥିବା ନଳକୂପଗୁଡ଼ିକୁ ମରାମତି କରିବା ପାଇଁ କୁହାଯାଇଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button