ରାଜ୍ୟ

ପଥ ଉତ୍ସବ: ନଚେଇଲେ ଅର୍ଚ୍ଚନା, ସୁଜ୍ଞାନୀ ଓ ରୁକୁ ସୁନା

ଚନ୍ଦ୍ରଶେଖରପୁର: ସକାଳ ୬ଟା ବେଳକୁ ଇନ୍‌ଫୋସିଟି ସିଲିକନ ରାସ୍ତା ପାଲଟିଥିଲା ଜନ ସମୁଦ୍ର। ଶୀତକୁ ଖାତିର ନକରି ଉତ୍ତର ଭୁବନେଶ୍ବରବାସୀ ଆସି ଏକାଠି ହୋଇଥିଲେ ରାସ୍ତା ଉପରେ। ଅବସର ଥିଲା ବିଏମ୍‌ସିର ପଥ ଉତ୍ସବର। କାର୍ଯ୍ୟକ୍ରମକୁ ରଙ୍ଗାରଙ୍ଗ କରିବା ପାଇଁ ମଧ୍ୟ ବିଏମ୍‌ସି ପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିଲା। ହଜାର ହଜାର ଲୋକ ଏକାଠି ହୋଇ ଭରପୂର ମଜା ନେଇଥିଲେ।

ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏକାମ୍ର ବିଧାୟକ ବାବୁ ସିଂ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କହଁର, ଏସବିଆଇ ଚିଫ୍ ଜେନେରାଲ ମ୍ୟାନେଜର ଦୀନେଶ ପୃଥ୍ୱୀ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ଓ ଅଧ୍ୟକ୍ଷା ଏବଂ ଉତ୍ତର ଜୋନ୍‌ର ସମସ୍ତ କର୍ପୋରେଟର, ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ ଓ ରତ୍ନାକର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସ୍ୱାଗତ ଅଭିଭାଷଣ ଦେଇଥିଲେ ସାଂସ୍କୃତିକ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ତଥା ୧ନମ୍ବର ଵାର୍ଡର କର୍ପୋରେଟର ମିହିର କୁମାର ରାଉତ। ଶେଷରେ ଗୀତ ଗାଇ ଧନ୍ୟବାଦ ଦେଇଥିଲେ ୬ନମ୍ବର ଵାର୍ଡର କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ। ପରେ ପରେ ଜଲୱା ଦେଖାଇଥିଲେ କଣ୍ଠଶିଳ୍ପୀ ଅର୍ଚ୍ଚନା ପାଢ଼ୀ, ରୁକୁ ସୁନା ଏବଂ ସୁଜ୍ଞାନୀ ମହାପାତ୍ର। ଇମ୍ଫୋସିଟି-ସିଲିକନ ରାସ୍ତାରେ ପାଖାପାଖି ଏକ କିଲୋମିଟର ଉଭୟ ପାଖରେ ଏକାଧିକ ମଞ୍ଚ ପ୍ରସ୍ତୁତ କରାଯାଇ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ସିଜଲର୍ସ ଡ୍ୟାନ୍ସ ଗ୍ରୁପର ଧମାକାଦାର ନୃତ୍ୟର ତାଳେ ତାଳେ ଝୁମିଥିଲେ ଦର୍ଶକ। ଏହାର ମୁଖ୍ୟ ଆକର୍ଷଣ ଥିଲେ ଡିଜେ ଭବେଶ କୁମାର। ରାସ୍ତାର ଉଭୟ ପାର୍ଶ୍ୱରେ ଚାଲିଥିବା ରଙ୍ଗୋଲି, ଝୋଟି, ଲୋକନୃତ୍ୟ, ଯୋଗ, ସ୍କେଟିଂ, ପେଣ୍ଟିଂ, ଜୁମ୍ବା, ପ୍ଲାସ ମବ୍ ଇତ୍ୟାଦି ସହ ଛୋଟ ଛୋଟ ପିଲାମାନଙ୍କ ପାଇଁ ଖେଳକୁଦର ବ୍ୟବସ୍ଥା ହୋଇଥିଲା। ସେହିପରି ଦ୍ୱିତୀୟ ମଞ୍ଚରେ ସଙ୍ଗୀତ ଓ ନୃତ୍ୟର ଧୁମ୍ ମଚାଇଥିଲେ କଳାକାର।

ପାରମ୍ପରିକ ନୃତ୍ୟକୁ ଅଣଦେଖା
ପଥ ଉତ୍ସବରେ ଲୋକକଳାର ଝଲକ ଦେଖିବାକୁ ମିଳିଥିଲା। ହେଲେ ଲୋକକଳା ରଣପା, ମାଲଖମ୍ବ ଓ ଭାରତ ଲୀଳା ହେଉଥିବା ସ୍ଥାନରେ କୌଣସି ମାଇକ୍ ବ୍ୟବସ୍ଥା ନଥିଲା। ଫଳରେ କଳାକାରମାନେ ଉଚ୍ଚସ୍ବରରେ ଗୀତ ବୋଲି ନୃତ୍ୟ କରୁଥିଲେ ମଧ୍ୟ ସେମାନଙ୍କ ନିକଟରେ ଦର୍ଶକ ଦେଖିବା ପାଇଁ ଅଟକୁ ନଥିଲେ। ସମସ୍ତେ ଡିଜେ ମଞ୍ଚ ପାଖରେ ଭିଡ଼ କରୁଥିଲେ।
ପରୀକ୍ଷାର୍ଥୀ ହନ୍ତସନ୍ତ
ପଥ ଉତ୍ସବ ଚାଲିଥିବା ସ୍ଥାନରେ ସିଲିକନ୍ ଓ ସ୍ଥିତିପ୍ରଜ୍ଞା ନାମକ ଦୁଇଟି ଶିକ୍ଷାନୁଷ୍ଠାନରେ ଆଜି ସକାଳ ସାଢ଼େ ୯ଟାରେ ପରୀକ୍ଷା ଥିଲା। ତେଣୁ ଏଠାକୁ ଶହଶହ ପରୀକ୍ଷାର୍ଥୀ ଆସିଥିଲେ। ରାସ୍ତାବନ୍ଦ ଥିବାରୁ କିମସ୍ ହସ୍ପିଟାଲ ନିକଟରେ ଗାଡ଼ି ପାର୍କିଂ କରି ପରୀକ୍ଷାର୍ଥୀମାନେ ଚାଲିଚାଲି କେନ୍ଦ୍ରକୁ ଆସିଥିଲେ। ଏହି ସମୟରେ ସୁରକ୍ଷାକର୍ମୀମାନଙ୍କ ସହ ଅଭିଭାବକମାନଙ୍କର ବଚସା ହୋଇଥିଲା।

ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ଭୁବନେଶ୍ୱର ଗଟ୍ ଟ୍ୟାଲେଣ୍ଟ। ଏହି ମଞ୍ଚରେ ପ୍ରତିଭାଧାରୀ ବ୍ୟକ୍ତିମାନେ ସଙ୍ଗୀତ, ନୃତ୍ୟ, ପପ୍, ଯୋଗାସନ, ବାଦ୍ୟଯନ୍ତ୍ର, କବିତା, ଗଳ୍ପ ଆଦି କ୍ଷେତ୍ରରେ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ। ଏଥିରେ ଭାଗ ନେଇଥିବା ପ୍ରତିଭାଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଓଡ଼ିଶା ହେରିଟେଜ୍ କୁଇଜ୍ ପ୍ରତିଯୋଗିତା, ଫ୍ୟାସନ ସୋ, ପରିମଳ ସଚେତନତା, ଵେଷ୍ଟ ଟୁ ଆର୍ଟ, ଫୋକ୍‌ ଓ ଡଲ୍ ଡ୍ୟାନ୍ସ, କ୍ୟୁବ୍, କିଡୋ କିଙ୍ଗଡମ୍, ଫେସ୍ ପେଣ୍ଟିଂ ଓ ବାସ୍କେଟ ବଲ୍ ଆଦି ସମସ୍ତଙ୍କୁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇଥିଲା। ସବୁଠାରୁ ଆକର୍ଷଣୀୟ ଥିଲା ଫୁଡ୍ ଫେଷ୍ଟିଭାଲ। ଲୋକେ ଶୀତୁଆ ସକାଳରେ ଶୀତ ଦିନିଆ ପିଠା, ମିଠା ସହ ଚଟପଟା ଖାଦ୍ୟର ମଜା ଉଠାଇ ଥିଲେ। ପଥପ୍ରାନ୍ତ ନାଟକ, ପାରମ୍ପରିକ ଖେଳ ଯଥା: ପୁଚି, ଗିଲିଦଣ୍ଡା, ବାଘଚାଲି, ରେସଲିଂ, ୩୬୦ ଡିଗ୍ରି ଫଟୋ, ମ୍ୟାଜିକ୍ ସୋ, ଫଟୋଗ୍ରାଫି, ବେଲୁନ୍ ଆର୍ଟ, ପଟ୍ଟଚିତ୍ର, ବ୍ୟାୟାମ ଆଦି ବହୁ ପ୍ରକାର ଖେଳକୁଦ, ନୃତ୍ୟ, ଗୀତରେ ବୁଡ଼ିରହିଥିଲେ ଦର୍ଶକ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button