ରାଜ୍ୟ

ଥାନା ନିକଟରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୩ ଅଟକ

ବିଶ୍ରା: ବିଶ୍ରା ଥାନାଠାରୁ ମାତ୍ର ୨୦୦ ମିଟର ଦୂରରେ ଜଣେ ୧୫ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଛି। ଏ ନେଇ ରାଉରକେଲା ଉଦିତନଗର ଥାନାରେ ଅଭିଯୋଗ ପରେ ପୁଲିସ ୩ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ନାବାଳିକାଙ୍କ ପୁରୁଷ ବନ୍ଧୁ, ବିଶ୍ରା ଅଞ୍ଚଳର ଜଣେ ଯୁବକ ଓ ସେଠାକାର ଜଣେ ମାଛ ବେପାରୀ ଥିବା ସୂଚନା ମିଳିଛି। ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ।

ଅଭିଯୋଗ ଅନୁସାରେ, ରାଉରକେଲା ଉଦିତନଗର ଅଞ୍ଚଳରେ ସମ୍ପୃକ୍ତ ନାବାଳିକାଙ୍କ ଘର। ରାଉରକେଲାରେ ରହୁଥିବା ତାଙ୍କ ପୁରୁଷବନ୍ଧୁ ଓ ବିଶ୍ରା ଅଞ୍ଚଳର ଜଣେ ବନ୍ଧୁ ନାବାଳିକାଙ୍କୁ ପ୍ରଲୋଭିତ କରି ବିଶ୍ରା ସହରର ଗ୍ରିନ୍‌ ଗାର୍ଡେନକୁ ନେଇ ଆସିଥିଲେ ଏବଂ ସେଠାରେ ଏକ ଘରେ ତାଙ୍କୁ ରାତିସାରା ଦୁଷ୍କର୍ମ କରିଥିଲେ। ଏହାର ଫାଇଦା ଉଠାଇ ଉକ୍ତ ଘରେ ରହୁଥିବା ମାଛବେପାରୀ ମଧ୍ୟ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ତେବେ ନାବାଳିକାଙ୍କ ପ୍ରବଳ ରକ୍ତସ୍ରାବ ହେବାରୁ ତାଙ୍କ ପୁରୁଷବନ୍ଧୁ ଓ ବିଶ୍ରା ଅଞ୍ଚଳର ଯୁବକ ସେଠାରୁ ଫେରାର ହୋଇଯାଇଥିଲେ। ଉକ୍ତ ଘରେ ରହୁଥିବା ମାଛବେପାରୀ ତାଙ୍କୁ ବୁଧବାର ଅପରାହ୍‌ଣରେ ଏକ ଅଟୋରେ ବସାଇ ଘରକୁ ପଠାଇ ଦେଇଥିଲା। ଘର ଲୋକ ଜାଣିବା ପରେ ପୀଡ଼ିତାଙ୍କ ସହ ଉଦିତନଗର ଥାନାକୁ ଯାଇ ଅଭିଯୁକ୍ତଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ।

ଗୁରୁବାର ସକାଳେ ଉଦିତନଗର ପୁଲିସ ବିଶ୍ରା ପୁଲିସ ସହାୟତାରେ ଗ୍ରିନ୍‌ ଗାର୍ଡେନର ଯେଉଁ ଘରେ ଦୁଷ୍କର୍ମ ହୋଇଥିଲା ସେଠାରେ ରହୁଥିବା ସମ୍ପୃକ୍ତ ମାଛବେପାରୀ ଓ ବିଶ୍ରା ଅଞ୍ଚଳର ଯୁବକଙ୍କୁ ଉଠାଇ ନେଇଥିଲା। ପରେ ରାଉରକେଲାରୁ ନାବାଳିକାଙ୍କ ପୁରୁଷବନ୍ଧୁ ଧରାପଡ଼ିଥିଲା। ଡିଏସ୍‌ପି ନିର୍ମଳ ମହାପାତ୍ର ବିଶ୍ରା ଥାନାକୁ ଯାଇ ଅଭିଯୁକ୍ତଙ୍କୁ ପଚରାଉଚରା କରିଛନ୍ତି। ଶୁକ୍ରବାର ଅଭିଯୁକ୍ତ ଓ ନାବାଳିକାଙ୍କ ଡାକ୍ତରୀମାଇନା କରାଯିବା ସହିତ ୧୬୧ ଧାରାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯିବ। ଗଣଦୁଷ୍କର୍ମ ଘଟଣାକୁ ଡିଏସ୍‌ପି ଶ୍ରୀ ମହାପାତ୍ର ସ୍ବୀକାର କରିବା ସହ ତଦନ୍ତ ଜାରି ରହିଥିବା କହିଛନ୍ତି। ସୂଚନାଯୋଗ୍ୟ, ଗତ କିଛି ମାସ ମଧ୍ୟରେ ରାଉରକେଲା ଓ ଆଖପାଖ ଅଞ୍ଚଳରେ ଘଟିଥିବା ପ୍ରାୟ ଅଧଡଜନ ନାବାଳିକା ଗଣଦୁଷ୍କର୍ମ ଓ ଅସଦାଚରଣ ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିବା ସହ ଇସ୍ପାତ୍‌ସହରର ଛବିକୁ ମଳିନ କରିଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button