ରାଜ୍ୟ

ପୁଅ ଆଗରେ ବାପାଙ୍କୁ ଟାଣିନେଲା କୁମ୍ଭୀର – Ibnodisha

[ad_1]

ରାଜନଗର: ରାଜନଗର ଅଞ୍ଚଳରେ କୁମ୍ଭୀର ଆକ୍ରମଣ ଏବେ ଆତଙ୍କ ସୃଷ୍ଟି କରିଛି। ଗତକାଲି ପେଣ୍ଠ ବେଳାଭୂମିକୁ ଯାଇଥିବା ରାସ୍ତା ଉପରେ କୁମ୍ଭୀର ବୁଲୁଥିବା ବେଳେ ଆଜି ବ୍ରାହ୍ମଣୀ ନଦୀ କୂଳରୁ ପୁଅ ସାମ୍ନାରେ ବାପାଙ୍କୁ ଟାଣି ନେଇଛି କୁମ୍ଭୀର। ବାପାଙ୍କୁ ରକ୍ଷା କରିବା ପାଇଁ ପୁଅ ଡଙ୍ଗା ଆହୁଲାରେ କୁମ୍ଭୀରକୁ ଆକ୍ରମଣ କରିଥିଲେ ମଧ୍ୟ କୁମ୍ଭୀର ମୁହଁରୁ ବାପାଙ୍କୁ ରକ୍ଷା କରି ପାରି ନାହାନ୍ତି। ସଂପୃକ୍ତ ବ୍ୟକ୍ତିଙ୍କୁ ବି ନଈରୁ ଏଯାଏ ଉଦ୍ଧାର କରାଯାଇ ପାରିନାହିଁ। ଗଲା ଅଢେଇ ମାସ ଭିତରେ କୁମ୍ଭୀର ମୁହଁରେ ୫ ଜଣଙ୍କ ପ୍ରାଣ ଗଲାଣି।

ସୂଚନା ଅନୁଯାୟୀ ରାଜନଗର ବ୍ଲକ୍‌ ରାଜପୁର ପଞ୍ଚାୟତ ରାଜପୁର ଗାଁର ଅଭୟ ରାଉତ (୬୦ବର୍ଷ) ମଇଁଷି ରଖି ପରିବାର ପ୍ରତିପୋଷଣ କରନ୍ତି। ତାଙ୍କ ଘର ଠାରୁ ମାତ୍ର ୧୫୦ ଫୁଟ୍‌ ଦୂରରେ ବ୍ରାହ୍ମଣୀ ନଈ ବହି ଯାଇଥିବା ବେଳେ ନଦୀ ସେପଟେ ଥିବା ବିଲରେ ସେ ମଇଁଷି ରଖନ୍ତି। ଆଜି ଦିନ ପ୍ରାୟ ୧୦ ଟା ବେଳେ ଅଭୟ ଖାଇ ସାରି ଡିଙ୍ଗି ଯୋଗେ ନଦୀର ଆରପାର୍ଶ୍ବକୁ ଯାଇଥିଲେ। ଡିଙ୍ଗିରେ ତାଙ୍କର ବଡପୁଅ ଅନିଲ ଓ ଗାଁର ବିଭୂତି ସ୍ବାଇଁ ଥିଲେ। ନଦୀ ଆର ପାର୍ଶ୍ବରେ ପହଁଚିବା ପରେ ଅଭୟ ପ୍ରଥମେ ଡଙ୍ଗାରୁ ଓହ୍ଲାଇ ନଈ କୂଳରେ ଗୋଡ଼ ଧୋଉଥିଲେ। ଏହି ସମୟରେ ହଠାତ୍ ଏକ ବିରାଟକାୟ କୁମ୍ଭୀର ଅଭୟଙ୍କୁ ଆକ୍ରମଣ କରିଥିଲା। ଅଭୟଙ୍କ ଚିତ୍କାର ଶୁଣି ଡଙ୍ଗାରେ ଥିବା ପୁଅ ଅନିଲ ଡଙ୍ଗା ଆହୁଲାରେ କୁମ୍ଭୀରକୁ ପିଟିବାକୁ ଲାଗି ଥିଲେ। ଆହୁଲା ବାଡିଟି ସରୁ ଥିବାରୁ ତାହା ଭାଙ୍ଗିଯାଇଥିଲେ ବି ସେ ସମୟରେ କୁମ୍ଭୀର ଅଭୟଙ୍କୁ ଛାଡି ଦେଇଥିଲା। ହେଲେ ପର ମୁହୂର୍ତ୍ତରେ ପୁଣି ଆକ୍ରମଣ କରି ଅଭୟଙ୍କୁ ନଦୀ ମଧ୍ୟକୁ ଟାଣି ନେଇଥିଲା। ସେମାନଙ୍କ ଚିତ୍କାର ଶୁଣି ନଦୀ ଏପଟେ ଥିବା ଗାଁ ଲୋକେ ଭୁଟୁଭୁଟି ଓ ଡିଙ୍ଗି ସାହାଯ୍ୟରେ ଖୋଜାଖୋଜି ଆରମ୍ଭ କରିଥିଲେ। ଖବର ପାଇ ରାଜନଗର ରେଞ୍ଜ ଅଫିସର୍‌ ଚିତ୍ତରଂଜନ ବେଉରାଙ୍କ ନେତୃତ୍ବରେ ବନବିଭାଗ ଟିମ୍ ଓ ଅଗ୍ନିଶମବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ ମଧ୍ୟ ଅଭୟଙ୍କ ପତ୍ତା ମିଳି ପାରି ନାହିଁ। କୁମ୍ଭୀର ଟାଣି ନେବାର କିଛି ସମୟ ପରେ ଏପଟେ ଭୁଟୁଭୁଟି ମାଧ୍ୟମରେ ଅଭୟଙ୍କୁ ଖୋଜାଖୋଜି ଜାରି ରହିଥିବା ବେଳେ ସେପଟେ ନଦୀରେ କୁମ୍ଭୀର ଭାସୁଥିବା ଘଟଣା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା।

ସ୍ଥାନୀୟ ଲୋକଙ୍କ କହିବା କଥା ହେଲା, ନଦୀରେ ସେମାନେ ସବୁବେଳେ କାରବାର କରିଥାନ୍ତି। ପୂର୍ବରୁ ନଦୀରେ କେବେ କୁମ୍ଭୀର ଦେଖି ଯାଉ ନଥିଲେ। ଗାଁଟି ନଦୀ କୂଳରେ ଅବସ୍ଥିତ ଥିବାରୁ ନଦୀର ଜୁଆର ଘର ନିକଟକୁ ଯାଏ। ଏବେ କିନ୍ତୁ କୁମ୍ଭୀର ଜଣଙ୍କୁ ଟାଣିନେବା ପରେ ସେମାନେ କିପରି ଚଳପ୍ରଚଳ କରିବେ, ତାହାକୁ ନେଇ ଚିନ୍ତାରେ ପଡିଛନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବଉଳା କୁମ୍ଭୀର ବର୍ଷା ଦିନେ ଜୁଆର ସମୟରେ ଉପର ମୁଣ୍ତକୁ ଉଠି ଆସିଥାନ୍ତି। ରାଜନଗରରେ ବାରମ୍ବାର କୁମ୍ଭୀର ଆକ୍ରମଣ ଘଟଣା ଘଟୁଥିବା ବେଳେ ଗତ ଅଢେଇ ମାସରେ କେନ୍ଦ୍ରାପଡା ଓ ଯାଜପୁରରେ ୫ଟି ଜୀବନ ଗଲାଣି। ବନବିଭାଗ ପକ୍ଷରୁ ନଦୀ କୂଳକୁ ଓ ନଦୀ ମଧ୍ୟକୁ ନଯିବା ପାଇଁ ଡାକବାଜି ଯନ୍ତ୍ର, ପ୍ରାଚୀରପତ୍ର ଓ ସଚେତନତା ନାଟକ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button