ରାଜ୍ୟ

ରାଜଭବନ ଛକରେ ଦୁର୍ଘଟଣା ମାମଲା: ବାତରୋଗୀ କାର୍‌ ଚଳାଉଥିଲା କେମିତି?

ଭୁବନେଶ୍ବର: ଗତକାଲି ଅପରାହ୍ଣରେ ରାଜଭବନ ଛକରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଚାଲିଗଲା। ଆଜି ଏହି ମାମଲାରେ ପୁଲିସ କାର୍‌ ଚାଳକ ଲଲାଟେନ୍ଦୁ ବାରିକ(୪୦)କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ତାକୁ ଜାମିନ ମିଳିଯାଇଛି। ସେ ଜଣେ ବାତରୋଗୀ ବୋଲି ଜଣାପଡ଼ିଛି। କାର୍‌ ଚଳାଉଥିବା ବେଳେ ହଠାତ୍ ତାକୁ ବାତ ମାରିବାରୁ ସେ ଭାରସାମ୍ୟ ହରାଇଥିଲା ଏବଂ ଏହି ଦୁର୍ଘଟଣା ଘଟିଥିଲା ବୋଲି ଜଣାପଡ଼ିଛି। କିନ୍ତୁ ଜଣେ ବାତରୋଗୀ କିଭଳି କାର୍‌ ଚଳାଉଥିଲା ଏବଂ ପରିବାର ଲୋକେ କିଭଳି ତାକୁ କାର୍‌ ଚଳାଇବାକୁ ଛାଡ଼ିଦେଇଥିଲେ, ତାହାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିପାଇଁ ଯେଉଁ ଦୁଇ ଦୁଇଟି ଜୀବନ ଅକାଳରେ ଝଡ଼ିଗଲା, ସେଥିପାଇଁ କିଏ ଦାୟୀ ରହିବ? ଏଥିପାଇଁ କ’ଣ ଭାଗ୍ୟକୁ ଦୋଷ ଦିଆଯିବ କି? ଏଭଳି ପ୍ରଶ୍ନସବୁକୁ ନେଇ ଆଜି ରାଜଧାନୀରେ ଆଲୋଡନ ଖେଳିଯାଇଛି।

ଗତକାଲି ଅପରାହ୍ଣ ପ୍ରାୟ ବେଳେ ଲଲାଟେନ୍ଦୁ ପାୱାର୍‌ ହାଉସ୍‌ ଛକ ପଟୁ ଏଜି ଛକ ଦିଗରେ କାର୍‌ ଚଳାଇ ଯାଉଥିଲେ। ରାଜଭବନ ଛକରେ ହଠାତ୍ କାର୍‌ର ବେଗ ବଢ଼ିଯାଇଥିଲା ଏବଂ ଦୁଇ ଦୁଇଟି ବାଇକ୍‌କୁ ପିଟିଥିଲା। ଦୁଇଟିଯାକ ବାଇକ୍‌ ଗୋପବନ୍ଧୁ ଛକରୁ ଏଜି ଛକ ପଟକୁ ଆସୁଥିଲେ। ସେମାନେ ଗୋଲେଇ ଛକରେ ସତର୍କତାର ସହ ଗାଡ଼ି ଚଳାଉଥିଲେ ହେଁ ଦ୍ରୁତଗାମୀ କାର୍‌ ସେମାନଙ୍କୁ ପିଟିଥିଲା। ଦୁର୍ଘଟଣାରେ ଗୋଟିଏ ବାଇକ୍‌ରେ ଥିବା ୨ ସମ୍ପର୍କୀୟ ଭାଇ ଗୌରଚନ୍ଦ୍ର ନାୟକ ଓ ରବିଚନ୍ଦ୍ର ନାୟକଙ୍କ ମୃତ୍ୟୁ ହୋଇଯାଇଥିଲା ଏବଂ ଅନ୍ୟ ବାଇକ୍‌ ଆରୋହୀ ଗୁରୁତର ହୋଇପଡ଼ିଥିଲେ। ଏବେ ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପାଇଁ ଖୋଲା ଥିବାରୁ ଉକ୍ତ ଛକ ସ୍ବାଭାବିକ ଭାବେ ଜନଗହଳି ଥିଲା। ଏହି ଭୟଙ୍କର ଦୁର୍ଘଟଣା ପରେ ସେଠାରେ ଲୋକଙ୍କ ଭିତରେ କୋକୁଆଭୟ ଖେଳିଯାଇଥିଲା। କ୍ୟାପିଟାଲ ଥାନା ପୁଲିସ ତୁରନ୍ତ କାର୍‌ ଚାଳକ ଲଲାଟେନ୍ଦୁକୁ କାର୍‌ ଭିତରୁ ନେଇ ଯାଇଥିଲା ଏବଂ ଆହତମାନଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନେଇଥିଲା। ହସ୍ପିଟାଲ୍‌ରେ ଗୌରଚନ୍ଦ୍ର ଓ ରବିଚନ୍ଦ୍ରଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁଲିସ ସୂଚନାନୁସାରେ ଲଲାଟେନ୍ଦୁ ଜଣେ ବାତରୋଗୀ ଏବଂ ସେ ନିୟମିତ ଔଷଧ ସେବନ କରୁଛନ୍ତି। ହଠାତ୍ ବାତ ମାରିବାରୁ ସେ କାର୍‌କୁ ନିୟନ୍ତ୍ରଣ କରିପାରି ନଥିଲେ। କିନ୍ତୁ ପୁଲିସର ଏହି ମନ୍ତବ୍ୟ ସାଧାରଣରେ ହଜମ ହୋଇନାହିଁ। ଜଣେ ବାତରୋଗୀକୁ କିଏ, କିଭଳି କାର୍‌ ଚଳାଇବାକୁ ଦେଲା, ସେମାନଙ୍କୁ ଦାୟୀ କରାଯିବା ଉଚିତ ବୋଲି ଦାବି ହେଉଛି।

ଜୟଦେବବିହାର ଫ୍ଲାଏ ଓଭରରେ ଓଲଟିଲା ପିକ୍‌ଅପ୍‌ ଭ୍ୟାନ
ଭୁବନେଶ୍ବର: ରାଜଭବନ ଛକରେ ଅଘଟଣ ଘଟିବାର ୫ ଘଣ୍ଟା‌ ପରେ ଜାତୀୟ ରାଜପଥର ଜୟଦେବବିହାର ଫ୍ଲାଏ ଓଭରରେ ଏକ ସାଉଣ୍ଡ ବକ୍ସ ଓ ଲାଇଟ ବୋଝେଇ ଗାଡ଼ି ଓଲଟି ପଡ଼ିଥିଲା। ବରମୁଣ୍ଡାରୁ ରସୁଲଗଡ଼ ଆଡ଼କୁ ଆସୁଥିବା ଏହି ପିକ୍‌ଅପ୍‌ ଭ୍ୟାନ୍‌(ଓଡି ୦୨ ପି ୫୧୫୬) ଦ୍ରୁତଗତିରେ ଆଉ ଏକ ଗାଡ଼ିକୁ ଓଭରଟେକ୍‌ କରୁଥବା ବେଳେ ଭାରସାଭ୍ୟ ହରାଇ ଡିଭାଇଡର୍‌ରେ ପିଟି ହୋଇ ଯାଇଥିଲା। ରାସ୍ତାରେ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା। ଏଥିରେ ଡ୍ରାଇଭର ଓ ହେଲ୍‌ପର ଗୁରୁତର ଆହତ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାଉଣ୍ଡ ବକ୍ସ ଓ ଲାଇଟ ଭାଙ୍ଗିଯାଇଛି। ସହିଦନଗର ଥାନା ପୁଲିସ ଉଭୟଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି। ଦୁହିଁଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button