ରାଜନୀତି

ଦ୍ବିତୀୟ ପର୍ଯ୍ୟାୟ ଇସ୍ତାହାର ଜାରି କଲା ବିଜେପି: ୧୦ ଲକ୍ଷ ଟଙ୍କାର ବୀମା, ଛାତ୍ରଛାତ୍ରୀଙ୍କୁ ସହାୟତା

ନୂଆଦିଲ୍ଲୀ: ବିଜେପି ସାଂସଦ ଏବଂ ପୂର୍ବତନ ମନ୍ତ୍ରୀ ଅନୁରାଗ ଠାକୁର ଆଜି ବିଜେପିର ଦ୍ବିତୀୟ ପର୍ଯ୍ୟାୟ ଇସ୍ତାହାର ଜାରି କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି, ବିଜେପିର ଇସ୍ତାହାର ଦିଲ୍ଲୀର ବିକାଶ ପାଇଁ ଉଦ୍ଦିଷ୍ଟ। ଲୋକଙ୍କ କଲ୍ୟାଣ ପାଇଁ ବିଜେପି ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଘୋଷଣା କରିଛି। ସେହିପରି ଦୁର୍ଘଟଣା ହେଲେ ଘରୋଇ ସହାୟିକାଙ୍କ ପାଇଁ ବିଜେପି ୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବ ବୋଲି ଘୋଷଣା କରିଛି। ଇସ୍ତାହାରରେ ଘୋଷଣା କରାଯାଇଛି ଯେ ଘରୋଇ ସହାୟିକାଙ୍କ ପାଇଁ ଏକ କଲ୍ୟାଣକାରୀ ବୋର୍ଡ ପ୍ରତିଷ୍ଠା କରାଯିବ ଏବଂ ସେମାନଙ୍କୁ ମଧ୍ୟ ଦରମା ସହ ୬ ମାସର ମାତୃତ୍ବ ଛୁଟି ପ୍ରଦାନ କରାଯିବ। ସେମାନଙ୍କ ପିଲାଙ୍କୁ ସ୍କଲାରସିପ୍‌ ପ୍ରଦାନ କରା‌ଯିବ।

ବିଜେପି ମାଗଣା ଶିକ୍ଷା ବନ୍ଦ କରିଦେବ: ଆପ୍‌

ବି‌ଜେପି ଘୋଷଣା କରିଛି ଯେ ସରକାରୀ ଶିକ୍ଷାନୁଷ୍ଠାନରେ ଅଭାବ ଥିବା ପିଲାମାନଙ୍କୁ କେଜିଠାରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ପ୍ରଦାନ କରାଯିବ। ଅନୁରାଗ ଠାକୁର କହିଛନ୍ତି, ଥରେ ଆମ ସରକାର ଗଠନ ହେଲେ ଆମେ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ଦିଲ୍ଲୀ ଯୁବଗୋଷ୍ଠୀଙ୍କୁ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବୁ। ବି.ଆର୍‌ ଆମ୍ବେଦକର ଷ୍ଟାଇପେଣ୍ଡ୍‌ ଯୋଜନାରେ ଅନୁସୂଚିତ ଜାତିର ଛାତ୍ରମାନଙ୍କୁ ମାସିକ ୧ ହଜାର ଟଙ୍କାର ଷ୍ଟାଇପେଣ୍ଡ୍‌ ଦିଆଯିବ । ଏହା ସହିତ ବିଜେପି ମଧ୍ୟ ଅଟୋ ଟାକ୍ସି ଡ୍ରାଇଭରଙ୍କୁ ୧୦ ଲକ୍ଷ ଟଙ୍କାର ଜୀବନ ବୀମା ଦେବାପାଇଁ ଘୋଷଣା କରିଛି। ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ବୀମା ଏବଂ ସେମାନଙ୍କ ପିଲାଙ୍କୁ ସ୍କଲାରସିପ୍‌ ପ୍ରଦାନ କରିବାପାଇଁ ଏକ କଲ୍ୟାଣକାରୀ ବୋର୍ଡ ଗଠନ କରିବ ବୋଲି ଇସ୍ତାହାରରେ ପ୍ରତିଶ୍ରୁତି ଦେଇଛି। ଦୁର୍ନୀତି ନେଇ ଦଳ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରୁଛି ବୋଲି ଦଳର ଇସ୍ତାହାରରେ ଦର୍ଶାଯାଇଛି। ଅନ୍ୟପକ୍ଷେ ବିଜେପିର ଇସ୍ତାହାର ଉପରେ ପ୍ରତିକ୍ରିୟା ରଖି ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ବିଜେପି ଦିଲ୍ଲୀରେ ମାଗଣା ଶିକ୍ଷା‌ ଏବଂ ମାଗଣା ଚିକିତ୍ସା ବନ୍ଦ କରିଦେବାକୁ ଯୋଜନା କରୁଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button