IBN ଓଡ଼ିଶା ବ୍ୟୁରୋ

ଖଲିସ୍ତାନୀଙ୍କ ଭୟରେ ‘ଇମର୍ଜେନ୍ସି’ ପ୍ରଦର୍ଶନ ବନ୍ଦ: ଉଦ୍‌ବେଗ ପ୍ରକାଶ କଲା ବିଦେଶ ମନ୍ତ୍ରାଳୟ

ଲଣ୍ଡନ: ବ୍ରିଟେନରେ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଫିଲ୍ମ ‘ଇମର୍ଜେନ୍ସି’ ପ୍ରଦର୍ଶନ ସମୟରେ ହିଂସାତ୍ମକ ଘଟଣାକୁ ନେଇ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଗଭୀର ଉଦ୍‌ବେଗ ପ୍ରକାଶ କରିଛି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ବ୍ରିଟିସ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। କଙ୍ଗନାଙ୍କ ଫିଲ୍ମ ‘ଇମର୍ଜେନ୍ସି’ର ପ୍ରଦର୍ଶନ ସମୟରେ ଉତ୍ତର-ପଶ୍ଚିମ ଲଣ୍ଡନରେ ଲୋକଙ୍କୁ ମୁଖାପିନ୍ଧା ଖଲିସ୍ତାନୀ ଆତଙ୍କବାଦୀମାନେ ଧମକ ଦେଇଛନ୍ତି ଏବଂ ଫିଲ୍ମ ବନ୍ଦ କରିବାକୁ ହଲ୍‌ କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରିଛନ୍ତି।ଏହାକୁ ନେଇ ବିରୋଧୀ କଞ୍ଜର୍ଭେଟିଭ୍ ପାର୍ଟିର ଜଣେ ସାଂସଦ ଗୃହମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏହି ପ୍ରସଙ୍ଗରେ ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଅନେକ ପ୍ରେକ୍ଷାଳୟରେ ଫିଲ୍ମ ‘ଇମର୍ଜେନ୍ସି’ ପ୍ରଦର୍ଶିତ ହେଉଥିଲା ଏବଂ ଏଥିରେ ବାଧା ସୃଷ୍ଟି ହୋଇଥିବା ଆମେ ଜାଣିବାକୁ ପାଇଛୁ। ବ୍ରିଟେନ ସରକାରଙ୍କ ସହ ଆଲୋଚନା କରିବା ସହ ଆମେ ଏଭଳି ଭାରତ ବିରୋଧୀ କାର୍ଯ୍ୟକଳାପ ନେଇ ଚିନ୍ତା ବ୍ୟକ୍ତ କରିଛୁ।

ଅଭିବ୍ୟକ୍ତିର ସ୍ୱାଧୀନତାକୁ ଚୟନମୂଳକ ଭାବରେ ବ୍ୟବହାର କରାଯିବା ଉଚିତ୍‌ ନୁହେଁ ଏବଂ ଯେଉଁମାନେ ଲୋକଙ୍କ ସ୍ବାଧୀନତା ଉପରେ ଆକ୍ରମଣ କରିଛନ୍ତି ସେମାନଙ୍କ ବିରୋଧରେ ପଦକ୍ଷେପ ନିଆଯିବା ଜରୁରୀ ବୋଲି ଜୟସ୍ବାଲ କହିଛନ୍ତି। ରବିବାର ରାତିରେ ଫିଲ୍ମର ସ୍କ୍ରିନିଂ ସମୟରେ ମୁଖାପିନ୍ଧା ଖଲିସ୍ତାନୀ ସମର୍ଥକମାନେ ‘ହାରୋ ଭିୟୁ ସିନେମା’ ଉପରେ ଆକ୍ରମଣ କରିବା ପରେ ଏଭଳି ପ୍ରତିକ୍ରିୟା ପ୍ରକାଶ ପାଇଛି। ଆକ୍ରମଣକାରୀମାନଙ୍କୁ ଖଲିସ୍ତାନ ସମର୍ଥକ ବୋଲି ଚିହ୍ନଟ କରାଯାଇଛି ଏବଂ ସେମାନେ ଭାରତ ବିରୋଧୀ ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣା ପରେ ସିନେମା ହଲ୍‌ରେ ଫିଲ୍ମର ପ୍ରଦର୍ଶନ ବନ୍ଦ ହୋଇଯିବାରୁ ଦର୍ଶକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବ୍ରିଟିସ ଶିଖ୍ ଗୋଷ୍ଠୀଙ୍କ ବିରୋଧ ଯୋଗୁଁ ବର୍ମିଂହାମ, ଓଲ୍‌ଭରହାମ୍ପଟନ୍ ଏବଂ ପଶ୍ଚିମ ଲଣ୍ଡନର କିଛି ଅଞ୍ଚଳରେ ଥିବା ସିନେମା ହଲ୍‌ଗୁଡ଼ିକରେ ‘ଇମର୍ଜେନ୍ସି’ ପ୍ରଦର୍ଶନ ବାତିଲ ହୋଇଛି। ବିକ୍ଷୋଭକାରୀମାନେ ଏହି ଚଳଚ୍ଚିତ୍ରକୁ ଶିଖ୍‌ ବିରୋଧୀ ପ୍ରଚାର ବୋଲି ଅଭିହିତ କରିଛନ୍ତି ଏବଂ ବ୍ରିଟେନର ବିଭିନ୍ନ ସିନେମା ହଲ୍‌ ସମ୍ମୁଖରେ ଅଧିକ ବିକ୍ଷୋଭ କରିବାକୁ ଯୋଜନା କରିଛନ୍ତି। ଫିଲ୍ମ ‘ଇମର୍ଜେନ୍ସି’ରେ କଙ୍ଗନା ରାଣାୱତ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହା ୧୯୭୫-୭୭ ମସିହାରେ ଭାରତରେ ଜରୁରୀକାଳୀନ ପରିସ୍ଥିତିର ରାଜନୈତିକ ଦିଗ ଉପରେ ଆଧାରିତ।

Related Articles

Leave a Reply

Your email address will not be published. Required fields are marked *

Back to top button