IBN ଓଡ଼ିଶା ବ୍ୟୁରୋ

ଜନ୍ମଗତ ନାଗରିକତା ଅଧିକାର: ଟ୍ରମ୍ପଙ୍କ ଆଦେଶ ଉପରେ ରୋକ୍

ୱାସିଂଟନ: ଦେଶରେ ସ୍ୱୟଂଚାଳିତ ଜନ୍ମଗତ ନାଗରିକତ୍ବ ଅଧିକାରକୁ ରଦ୍ଦ କରୁଥିବା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଆମେରିକାର ଜନୈକ ଫେଡେରାଲ ବିଚାରପତି ରୋକ୍ ଲଗାଇଛନ୍ତି। ବିଚାରପତି ଏହି ଆଦେଶକୁ ସମ୍ପୂର୍ଣ୍ଣ ଅସାମ୍ବିଧାନିକ ବୋଲି କହିଛନ୍ତି। ଡେମୋକ୍ରାଟିକ୍ ନେତୃତ୍ୱାଧୀନ ୪ଟି ରାଜ୍ୟର ଅନୁରୋଧକୁ ସମ୍ମାନ ଜଣାଇ ଆମେରିକାର ଜିଲ୍ଲା ଜଜ୍ ଜନ୍‌ କଫେନର ଏକ ଅସ୍ଥାୟୀ ଆଦେଶ ଜାରି କରି ଟ୍ରମ୍ପ ପ୍ରଶାସନକୁ ଏହି ଆଦେଶ କାର୍ଯ୍ୟକାରୀ କରିବା ଉପରେ ରୋକ୍ ଲଗାଇଛନ୍ତି। ଜାନୁଆରି ୨୦ରେ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିବା ଟ୍ରମ୍ପ ସୋମବାର ଏହି ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଥିଲେ, ଯାହା କି ତାଙ୍କ କାର୍ଯ୍ୟକାଳର ପ୍ରଥମ ଦିନ ଥିଲା। ଟ୍ରମ୍ପଙ୍କ କାର୍ଯ୍ୟନିର୍ବାହୀ ଆଦେଶ ଅନୁଯାୟୀ ଫେବ୍ରୁଆରି ୨୦ ହେଉଛି ଜନ୍ମଗତ ନାଗରିକତା ପାଇବାର ଶେଷ ତାରିଖ।

ଡେମୋକ୍ରାଟିକ୍ ନେତୃତ୍ୱାଧୀନ ରାଜ୍ୟ ଓ ନାଗରିକ ଅଧିକାର ସଙ୍ଗଠନମାନେ ଅଦାଲତରେ ଜନ୍ମଗତ ନାଗରିକତା ରଦ୍ଦ କରିବାକୁ ଟ୍ରମ୍ପଙ୍କ ପ୍ରୟାସକୁ ଚ୍ୟାଲେଞ୍ଜ କରି ଏକାଧିକ ମାମଲା ଦାୟର କରିବାର ଗୋଟିଏ ଦିନ ପରେ ଫେଡେରାଲ ବିଚାରପତି ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଜନ୍‌ କଫେନର ଫେବ୍ରୁଆରି ୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ୱାସିଂଟନ, ଆରିଜୋନା, ଇଲିନୋଇସ୍ ଓ ଓରେଗନ୍ ଭଳି ରାଜ୍ୟମାନେ କହିଛନ୍ତି ଯେ ଟ୍ରମ୍ପଙ୍କ ଆଦେଶ ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନର ନାଗରିକତା ଧାରାରେ ଥିବା ଅଧିକାରର ଉଲ୍ଲଂଘନ। ଟ୍ରମ୍ପ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିବାର କିଛି ଘଣ୍ଟା ମଧ୍ୟରେ ଆମେରିକୀୟ ସିଭିଲ ଲିବର୍ଟିଜ୍ ୟୁନିୟନ, ପ୍ରବାସୀ ସଂଗଠନ ଓ ଜଣେ ଗର୍ଭବତୀ ମା’ ମାମଲା ଦାୟର କରିଥିଲେ।

ଯଦି ଟ୍ରମ୍ପଙ୍କ ଆଦେଶକୁ ଅନୁମତି ଦିଆଯାଏ ତେବେ ପ୍ରଥମ ଥର ପାଇଁ ଆମେରିକାରେ ବାର୍ଷିକ ଜନ୍ମ ହେଉଥିବା ୧୫୦,୦୦୦ରୁ ଅଧିକ ଶିଶୁଙ୍କୁ ନାଗରିକତା ଅଧିକାରରୁ ବଞ୍ଚିତ କରାଯିବ ବୋଲି ମାସାଚୁସେଟ୍ସର ଆଟର୍ଣ୍ଣି ଜେନେରାଲ ଆଣ୍ଡ୍ରିଆ ଜୋଏ କ୍ୟାମ୍ପବେଲଙ୍କ କାର୍ଯ୍ୟାଳୟ କହିଛି। ସାମ୍ବିଧାନିକ ଅଧିକାର ଛଡ଼ାଇ ନେବାର ଅଧିକାର ରାଷ୍ଟ୍ରପତି ଟ୍ରମ୍ପଙ୍କର ନାହିଁ ବୋଲି ସେ କହିଛନ୍ତି। ପରେ ନ୍ୟାୟ ବିଭାଗ ଏକ ବିବୃତି ଜାରି କରି କହିଛି ଯେ ରାଷ୍ଟ୍ରପତିଙ୍କ କାର୍ଯ୍ୟନିର୍ବାହୀ ଆଦେଶକୁ ଦୃଢ଼ତାର ସହ ରକ୍ଷା କରାଯିବ, ଯେଉଁଥିରେ ଆମେରିକା ସମ୍ବିଧାନର ଚତୁର୍ଦ୍ଦଶ ସଂଶୋଧନକୁ ସଠିକ୍ ଭାବରେ ବ୍ୟାଖ୍ୟା କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର କହିଛନ୍ତି ଯେ ତାଙ୍କ ପ୍ରଶାସନ ଫେଡେରାଲ ବିଚାରପତିଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ କରିବ।

Related Articles

Leave a Reply

Your email address will not be published. Required fields are marked *

Back to top button