IBN ଓଡ଼ିଶା ବ୍ୟୁରୋ

ଆପ୍‌ର ‘ଅସାଧୁ’ତାଲିକା‌ରେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମାତ୍ର ଅଳ୍ପ ଦିନ ବାକିଥିବାବେଳେ ଆପ୍‌ ଏହାର ପୋଷ୍ଟର ଲଢ଼େଇ ଜୋରଦାର କରିଛି। କଂଗ୍ରେସ ଏବଂ ବିଜେପିକୁ ଟା‌ର୍ଗେଟ୍‌ କରି ଆପ୍‌ର ଏକ ପ୍ରଚାର ପୋଷ୍ଟର୍‌ ଜାରି ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଏହି ପୋଷ୍ଟରରେ ଅସାଧୁ ବ୍ୟକ୍ତି ଭାବେ ଉଲ୍ଲେଖ କରାଯାଇଛି। କଂଗ୍ରେସ ଓ ଆପ୍‌ର ଇଣ୍ଟିମେଣ୍ଟ ସହଯୋଗୀ ହୋଇଥିଲେ ସୁଦ୍ଧା ପୋଷ୍ଟରରେ ଆପ୍‌ ରାହୁଲଙ୍କୁ ଅସାଧୁ ବ୍ୟକ୍ତି ଭାବେ ଚିତ୍ରଣ କରିବା ଦିଲ୍ଲୀ ରାଜନୀତିକୁ ସରଗରମ କରିଛି। ପୋଷ୍ଟର୍‌ରେ ଏକ ଟ୍ୟାଗଲାଇନ୍‌ ରହିଛି ଏବଂ ତାହା ହେଉଛି କେଜ୍ରିୱାଲଙ୍କ ସଚ୍ଚୋଟତା ସବୁ ‘ବେଇମାନ’ଙ୍କ ପାଇଁ ଭାରୀ ପଡ଼ିଯିବ। ପୋଷ୍ଟରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦିଲ୍ଲୀ ବିଜେପି ନେତାମାନେ ଅଛନ୍ତି। ସେମାନଙ୍କ ଫଟୋ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଫଟୋ ମଧ୍ୟ ପୋଷ୍ଟରରେ ସ୍ଥାନ ପାଇଥିବାରୁ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଉଲ୍ଲେଖଯୋଗ୍ୟ, ରାହୁଲ ଗାନ୍ଧୀ ନିକଟରେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କ ଶାସନ ଟ୍ରାକ୍‌ ରେକର୍ଡକୁ ନେଇ ତାଙ୍କ ଉପରେ ବର୍ଷିଥିଲେ। ରାହୁଲ କହିଥିଲେ ଯେ ସେ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ‌ନେତ୍ରୀ ଶିଲା ଦିକ୍ଷୀତଙ୍କ ଭଳି ହୋଇପାରିବେନି। ଦିଲ୍ଲୀ ବାସିନ୍ଦା ଏବେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷୀତଙ୍କ ବିକାଶ ମଡେଲ ଚାହାନ୍ତି ବୋଲି ରାହୁଲ କହିଥିଲେ।

କେଜ୍ରିୱାଲଙ୍କୁ ପୂର୍ବରୁ ଦେଶ ବିରୋଧୀ କହିଥିବା କଂଗ୍ରେସ ନେତା ତଥା ଶିଲା ଦିକ୍ଷୀତଙ୍କ ପୁଅ ସନ୍ଦୀପ ଦିକ୍ଷୀତ ଏବଂ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନଙ୍କୁ ମଧ୍ୟ ଏହି ପୋଷ୍ଟରରେ ‘ଅସାଧୁ ବ୍ୟକ୍ତି’ ବୋଲି ଦର୍ଶାଯାଇଛି। କାଲ୍‌କାଜୀ ଆସନରେ କଂଗ୍ରେସ ପ୍ରାର୍ଥୀ ଅଳକା ଲାମ୍ବା କହିଛନ୍ତି, ଯଦି କେଜ୍ରିୱାଲଙ୍କର ସାହସ ଅଛି ତେବେ ସେ ଇଣ୍ଡି ମେଣ୍ଟ ଛାଡ଼ୁଛନ୍ତି ବୋଲି ଘୋଷଣା କରନ୍ତୁ। କଂଗ୍ରେସ ଦଳ ଦିଲ୍ଲୀରେ ୭ ଆସନ ପାଇଁ ଆପ୍‌ ସହ ମେଣ୍ଟ କରି ବଡ଼ ଭୁଲ୍‌ କରିଥିଲା। ଏଥିପାଇଁ କଂଗ୍ରେସକୁ ବହୁତ ବଡ଼ କ୍ଷତି ସହିବାକୁ ପଡ଼ିଥିଲା ବୋଲି ସେ କହିଛନ୍ତି। ଇତିମଧ୍ୟରେ ବିଜେପି ମଧ୍ୟ ସୋସିଆଲ ମିଡିଆରେ ଏକ ନୂଆ ପୋଷ୍ଟର ଜାରି କରିଛି। ଦିଲ୍ଲୀରେ ଶାସକ ଦଳ ଉପ‌ରେ ‘ଆପ୍‌ଦା’ ଆକ୍ରମଣ କରି ବିଜେପି କହିଛି ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ଲୋକମାନେ ଠକ, ଗୁଣ୍ଡା‌ ଏବଂ ଅପରାଧୀ ଭର୍ତ୍ତି ହୋଇଥିବା ଆପ୍‌-ଦା ଗ୍ୟାଙ୍ଗ୍‌କୁ ଏକ ଶିକ୍ଷା ଦେବେ। ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଫଳ ଆସିବ।

ସାହସ ଅଛି ଯଦି ଇଣ୍ଡି ମେଣ୍ଟ ଛାଡ଼: କଂଗ୍ରେସ

କେଜ୍ରିୱାଲଙ୍କ ଭଳି ମିଛୁଆ କେବେ ଦେଖିନି: ଶାହ
ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ଇସ୍ତାହାରର ତୃତୀୟ ଭାଗ ଜାରି କରିଛନ୍ତି। ଆପ୍‌ ଉପରେ ବର୍ଷି ଶାହ କହିଛନ୍ତି, ଦିଲ୍ଲୀ ନିର୍ବାଚନରେ ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ମିଛୁଆ ଏବଂ ପ୍ରତାରକଙ୍କଠାରୁ ଦୂରେଇ ରହିବା। ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରି ଶାହ କହିଛନ୍ତି, ମୋ ରାଜନୈତିକ କ୍ୟାରିୟର ମଧ୍ୟରେ ଏଭଳି ମିଛୁଆ କେବେ ଦେଖିନାହିଁ। ଶାହ କହିଛନ୍ତି, କେଜ୍ରିୱାଲ ତାଙ୍କ ବଚନ ବିରୋଧରେ ଯାଇ ସ୍କୁଲ୍‌, ମନ୍ଦିର ଏବଂ ଗୁରୁଦ୍ବାର ନିକଟରେ ବି ମଦ ଦୋକାନ ଖୋଲିଛନ୍ତି। ଶାହ ଆଜି ଘୋଷଣା କରିଛନ୍ତି ଯେ ଯଦି ଦିଲ୍ଲୀରେ ବିଜେପି ସରକାର ଗଠନ କରିବ ତେବେ ପୂର୍ବରୁ ଚାଲୁ ରହିଥିବା କୌଣସି କଲ୍ୟାଣକାରୀ ଯୋଜନା ବନ୍ଦ ହେବନାହିଁ। ଇସ୍ତାହାର ଜାରି କରି ଶାହ କହିଛନ୍ତି, ବିଜେପି ଦିଲ୍ଲୀରେ କ୍ଷମତାକୁ ଆସିଲେ ନିଯୁକ୍ତି ବୃଦ୍ଧି କରିବ ଏବଂ ସ୍ବଚ୍ଛ ପ୍ରକ୍ରିୟାରେ ୫୦ ହଜାର ସରକାରୀ ପଦବୀ ପୂରଣ କରିବ। ୧୭୦୦ରୁ ଅଧିକ କଲୋନି‌ରେ ଥିବା ଶରଣାର୍ଥୀଙ୍କୁ ଏହା ମାଲିକାନା ଅଧିକାର ପ୍ରଦାନ କରିବ। ଶାହ କହିଛନ୍ତି, ଦିଲ୍ଲୀରେ ସିଲ୍‌ ହୋଇଥିବା ୧୩ ହଜାର ଦୋକାନ ପୁଣିଥରେ ଦଳ ଖୋଲିବ। ଶାହ କହିଛନ୍ତି, ଦିଲ୍ଲୀରେ କ୍ଷମତାକୁ ଆସିବାପରେ ବିଜେପି ୩ ବର୍ଷ ମଧ୍ୟ‌ରେ ଯମୁନା ନଦୀ ସଫା କରିବ। ଦିଲ୍ଲୀରେ ସରକାର ଗଠନ କରିବାପରେ ବିଜେପି ପ୍ରଥମ କ୍ୟାବିନେଟ୍‌ ବୈଠକରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରିବ ଶାହ ଦିଲ୍ଲୀବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button