ରାଜ୍ୟରେ ଏବେ ଚୋର ଓ ଦୁଷ୍କର୍ମକାରୀଙ୍କ ସୁବର୍ଣ୍ଣ ଯୁଗ ଚାଲିଛି: ବିଜେଡି

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଶନିବାର-ରବିବାର ରାତିରେ ବଡ଼ଧରଣର ଡକାୟତି ମାମଲାରେ ରବିବାର ବିଜୁ ଜନତା ଦଳ (ବିଜେଡି) ସାମ୍ବାଦିକ ସମ୍ମିଳନୀ କରିଛି। ଏଥିରେ ବିଜେଡି କହିଛି ରାଜଧାନୀ ଭୁବନେଶ୍ବରରେ ସାଧାରଣତନ୍ତ୍ର ଦିବସ ପାଳନର କଡ଼ା ସୁରକ୍ଷା ସତ୍ତ୍ୱେ ବରିଷ୍ଠ ନେତାଙ୍କ ଘରୁ ଯଦି ଡକାୟତି ହେଉଛି। ଏହା ଠାରୁ ଲଜ୍ଜାଜନକ ସ୍ଥିତି ଆଉ କଣ ହୋଇପାରେ?
ରାଜ୍ୟସଭା ସାଂସଦ ସୁଲତା ଦେଓ ଗଣମାଧ୍ୟମର ପ୍ରତିନିଧିଙ୍କୁ କହିଛନ୍ତି, ବରିଷ୍ଠ ରାଜନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି ଖବର ରାଜ୍ୟରେ ବିପର୍ଯ୍ୟସ୍ଥ ଆଇନଶୃଙ୍ଖଳା ସ୍ଥିତିର ନଗ୍ନ ଉଦାହରଣ। ତେବେ ସାଧାରଣ ଜନତାଙ୍କ ଧନଜୀବନ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାଜ୍ୟକୁ ଯେତେବେଳେ ପ୍ରଧାନମନ୍ତ୍ରୀ ଆସିବାର ଥାଏ, ଚୋର ଦୁଷ୍କର୍ମକାରୀ ସକ୍ରିୟ କେମିତି ହେଉଛନ୍ତି? ସୁଭଦ୍ରା ପାଇଁ ମୋଦୀ ଆସିଲେ, ଭରତପୁର ଘଟଣା ହେଲା। ପ୍ରବାସୀ ଭାରତୀୟ ଦିବସ ସକାଳେ ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ପୁଲିସ ମିତ୍ର ସହଦେବ ନାୟକଙ୍କୁ ହତ୍ୟା କରାଗଲା। ଆଜି ସାଧାରଣତନ୍ତ୍ର ଦିବସ ଓ ଦିନକ ପରେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍କର୍ଷ ଓଡ଼ିଶା କନ୍କ୍ଲେଭ୍ ପାଇଁ ଆସୁଛନ୍ତି। ସେତେବେଳେ ନିରଞ୍ଜନ ପଟ୍ଟନାୟକଙ୍କ ପରି ଭିଆଇପିଙ୍କ ଘରୁ ଚୋରି ହେଉଛି।