ଉତ୍ତରାଖଣ୍ଡରେ ଲାଗୁହେଲା ୟୁସିସି: ବହୁ ବିବାହ ଓ ‘ହଲାଲା’ ସମ୍ପୂର୍ଣ୍ଣ ନିଷିଦ୍ଧ
![](https://ibnodisha.com/wp-content/uploads/2025/01/BF8m3UndK3hMwVcrvS9m.webp)
ଡେରାଡୁନ: ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡରେ ଆଜିଠାରୁ ୟୁନିଫର୍ମ ସିଭିଲ କୋଡ୍ ବା ସମାନ ନାଗରିକ ସଂହିତା (ୟୁସିସି) ଲାଗୁ ହୋଇଛି। ସମସ୍ତ ଧର୍ମରେ ଥିବା ବ୍ୟକ୍ତିଗତ ଆଇନକୁ ମାନକୀକରଣ କରିବା ଉଦ୍ଦେଶ୍ୟରେ ଏହି ଆଇନ ପ୍ରଣୟନ କରାଯାଇଛି। ଆରମ୍ଭରୁ ଏହାକୁ ଉଭୟ ସମର୍ଥନ ଓ ବିରୋଧ ମିଳିଛି। ଏଥିରେ ପୁରୁଷ ଓ ମହିଳାଙ୍କ ପାଇଁ ସମାନ ବିବାହଯୋଗ୍ୟ ବୟସ ଓ ସମସ୍ତ ଧର୍ମରେ ଛାଡ଼ପତ୍ର ପାଇଁ ସମାନ ଆଧାର ନିର୍ଦ୍ଧାରଣ କରାଯିବା ସହ ବହୁ ବିବାହ ଓ ‘ହଲାଲା’କୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ହଲାଲା ହେଉଛି ଏକ ବିବାଦୀୟ ମୁସଲିମ ପ୍ରଥା ଯେଉଁଥିରେ ଛାଡ଼ପତ୍ର (ତଲାକ) ପାଇଥିବା ଜଣେ ସ୍ତ୍ରୀକୁ ସେହି ସ୍ବାମୀଙ୍କ ସହ ପୁନର୍ବିବାହ କରିବାକୁ ହେଲେ ତା’ ପୂର୍ବରୁ ଆଉ ଜଣେ ପୁରୁଷକୁ ବିବାହ କରି ଛାଡ଼ପତ୍ର ଦେବାକୁ ପଡ଼ିଥାଏ। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ କହିଛନ୍ତି, ଉତ୍ତରାଖଣ୍ଡରେ ଏହି ମୁହୂର୍ତ୍ତରୁ ସମାନ ନାଗରିକ ସଂହିତା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। ଏହି ମୁହୂର୍ତ୍ତରୁ ସମସ୍ତ ଧର୍ମର ମହିଳାଙ୍କୁ ସମାନ ଅଧିକାର ମିଳିଛି। ମୁଖ୍ୟମନ୍ତ୍ରୀ ଧାମୀ ସୋମବାର ଡେରାଡୁନରେ ମୁଖ୍ୟମନ୍ତ୍ରୀଙ୍କ କ୍ୟାମ୍ପ କାର୍ଯ୍ୟାଳୟରୁ ୟୁସିସି ପାଇଁ ଏକ ରୁଲ୍ସ ମାନୁଆଲ ଓ ଆବେଦନ ପାଇଁ ଏକ ପୋର୍ଟାଲ ମଧ୍ୟ ଉନ୍ମୋଚନ କରିଛନ୍ତି।