ରାଜ୍ୟ

କୋର୍ଟ ଆଦେଶ ବି ଗିଳିଦେଲେ, ୧୦ ବର୍ଷରେ ୫ ନୀତି ବନ୍ଦ, ଅପୂଜା, ଉପାଷ ରହୁଛନ୍ତି ଦିଅଁ

ଭୁବନେଶ୍ବର: ପ୍ରଭୁ ଲିଙ୍ଗରାଜଙ୍କର ଗୋଟିଏ ପରେ ଗୋଟଏ ନୀତି ବନ୍ଦ ହେବାରେ ଲାଗିଛି। ଯାହାଙ୍କ ସେବାପୂଜା ପାଇଁ ଶହଶହ ସେବାୟତ ରହିଛନ୍ତି, ସେହି ସେବାୟତଙ୍କ ବିବାଦ ପାଇଁ ପ୍ରଭୁ ଅପୂଜା ଓ ଉପାଷରେ ରହୁଛନ୍ତି। କେବଳ ଏତିକି ନୁହେଁ, ବରଂ ଗତ ୧୦ ବର୍ଷ ଭିତରେ ଲିଙ୍ଗରାଜଙ୍କ ୫ରୁ ଅଧିକ ଗୁରତ୍ବପୂର୍ଣ୍ଣ ନୀତି ବନ୍ଦ ହୋଇଗଲାଣି। ବିବାଦ ସମାଧାନ କରିବାରେ ପ୍ରଶାସନ ତଥା ସରକାର ସଫଳ ହେଉନାହାନ୍ତି। ନୀତି ବନ୍ଦ ଯୋଗୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ନୀତି ବନ୍ଦ କରୁଥିବା ସେବାୟତଙ୍କ ସହ ସାଲିସ୍‌ ନୁହେଁ ବରଂ ଶାସନ କରିବା ଆବଶ୍ୟକ ବୋଲି ଭକ୍ତ କହିଛନ୍ତି। ୨୦୧୫ ମସିହାରେ କପିଳେଶ୍ବର ମନ୍ଦିରରେ ମଲିଆ ଓ ଖୁଣ୍ଟିଆ ସେବାୟତଙ୍କ ବିବାଦ ଯୋଗୁ କପିଳନାଥଙ୍କ ନୀତି ବନ୍ଦ ରହିଲା। କପିଳେଶ୍ବର ମନ୍ଦିରକୁ ଶ୍ରୀଲିଙ୍ଗରାଜ ଯାଇ ନପାରିବାରୁ ନୀତି ବିଶୃଙ୍ଖଳା ହେଲା। ଯାତ୍ରା ପୂଜା ପରେ ଥିବା କୌଣସି ନୀତି ହୋଇପାରିଲା ନାହିଁ। ଶ୍ରୀଲିଙ୍ଗରାଜ ଉପବାସ ରହିଲେ। ଗତ ୧୦ ବର୍ଷ ଧରି ମହାପ୍ରଭୁଙ୍କ ହାଣ୍ଡିଭଙ୍ଗା ଯାତ ହୋଇପାରୁ ନଥିବା ବେଳେ ଏଥିପ୍ରତି ସରକାରୀ ଆନ୍ତରିକତାର ସ୍ପଷ୍ଟ ଅଭାବ ବାରି ହୋଇ ପଡ଼ୁଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ଏହି ମାମଲାର ବିଚାର କରି ଗତ ୩ ବର୍ଷ ତଳେ ହାଇକୋର୍ଟ ଚୂଡ଼ାନ୍ତ ରାୟ ଶୁଣାଇଥିଲେ। ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ହାଣ୍ଡିଭଙ୍ଗା ଯାତ୍ରା କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏ ଯାବତ୍‌ ପ୍ରଶାସନ ଏହି ହାଣ୍ଡି ଭଙ୍ଗାଯାତ୍ରା ଆରମ୍ଭ କରିପାରିଲା ନାହିଁ। ହାଣ୍ଡି ଭଙ୍ଗା ଯାତ୍ରା ବନ୍ଦ ହେବାରୁ ଶ୍ରୀଲିଙ୍ଗରାଜଙ୍କ ବିବାହ ତଥା ୨୨ ଦିନ ଧରି ବିନ୍ଦୁସାଗରରେ ହେଉଥିବା ଚାପ ଖେଳରେ କପିଳେଶ୍ବର ଯୋଗଦେଉନାହାନ୍ତି।

ଅପୂଜା, ଉପାଷ ରହୁଛନ୍ତି ଦିଅଁ
ଚରମସୀମାରେ ସେବାୟତଙ୍କ ମନମାନି
‘ସାଲିସ ନୁହେଁ ଶାସନ ଦରକାର’

୨୦୨୦ ମସିହାରେ ଲିଙ୍ଗରାଜଙ୍କ ପଇତା ଲାଗି ନୀତିକୁ ନେଇ ପୂଜାପଣ୍ଡା ଓ ବଡ଼ୁ ନିଯୋଗ ଭିତରେ ବିବାଦ ଦେଖା ଦେଇଥିଲା। ଚତୁର୍ଦଶୀ ପୂର୍ବ ଦିନ ପଇତା ଧୋଇ ପୂଜା ପଣ୍ଡା ପ୍ରଭୁଙ୍କୁ ୩ଟି ପଇତା ଲାଗି କରିଥା’ନ୍ତି। ମାତ୍ର ବଡୁ ସେବାୟତ ନିଜେ ୨ଟି ପଇତା ଓ ପୂଜା ପଣ୍ଡା ପଟିଏ ପଇତା ଲାଗି କରିବାକୁ ଦାବି କରିଥିଲେ। ପୂଜା ପଣ୍ଡା ନିଯୋଗ ଏହାକୁ ଗ୍ରହଣ କରିପାରି ନଥିଲା। ଏହି ବିବାଦ ଯୋଗୁ ପଇତା ଲାଗି ନୀତି ୫ ବର୍ଷ ହେଲା ବନ୍ଦ ହୋଇଯାଇଛି। ଏ ପ୍ରସଙ୍ଗରେ ଦେବୋତ୍ତର କମିସନଙ୍କ ନିକଟରେ ମାମଲା ଗଡ଼ୁଥିଲେ ହେଁ ସମ‌ାଧାନ ହୋଇପାରୁନାହିଁ। ଠିକ୍‌ ସେମିତି ପୂଜା ପଣ୍ଡା ଓ ପାଳିଆ ବଡ଼ୁଙ୍କ ମଧ୍ୟରେ ବିବାଦ ଯୋଗୁ ୨୦୨୨ ମସିହାରୁ ପ୍ରଭୁ ଲିଙ୍ଗରାଜଙ୍କ ଓଢ଼ଣୀ ଷଷ୍ଠୀ ବା ପ୍ରାବରଣ ଷଷ୍ଠୀ ନୀତି ବନ୍ଦ ରହିଛି। ଶୀତରୁ ରକ୍ଷା ପାଇବା ପାଇଁ ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରୁ ଶିବରାତ୍ରୀ ଯାଏ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କୁ ଘୋଡ଼ଲାଗି କରାଯାଇଥାଏ। କିନ୍ତୁ ବିବାଦ ଯୋଗୁ ଏ ନୀତି ମଧ୍ୟ ବନ୍ଦ ରହିଛି।

ଚଳିତ ବର୍ଷ ବଡୁ ଓ ପୂଜାପଣ୍ଡା ସେବାୟତଙ୍କ ମଧ୍ୟରେ ବିବ‌ାଦ ଯୋଗୁ ଆଉ ଏକ ନୀତି ବନ୍ଦ ହୋଇଯାଇଛି। ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥା’ନ୍ତି। ଏହାପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ। ମକର ସଂକ୍ରାନ୍ତିରେ ଘୃତ କମଳ ଲାଗି ହୋଇଥାଏ। କିନ୍ତୁ ବଡ଼ୁ ସେବାୟତ ଏକୁଟିଆ ଏହି ନୀତି କରିବାକୁ ଦାବି କରିଥିଲେ। ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ବଡ଼ୁ ନୀତିରେ ସହଯୋଗ କରି ନଥିଲେ। ସେବାୟତଙ୍କ ବିବାଦ ଲାଗି ମହାପ୍ରଭୁ ୨ ଦିନ ଶୀତକାକରରେ ଅପୂଜା, ଉପାଷରେ ମକର ମଣ୍ଡପରେ ବସି ରହିଥିଲେ। ମକର ସଂକ୍ରାନ୍ତିରେ ହଜାର ହଜାର ଭକ୍ତ ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନିକଟରେ ମକର ଚାଉଳ ଲାଗି କରିବାକୁ ଆସି ନିରାଶ ହୋଇ ଫେରିଥିଲେ। ଆଇନମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଦୈନଦିନ ନୀତି ପୁନଃ କରାଯାଇଥିଲା। ବଡ଼ କଥା ହେଲା, କିଏ କେଉଁ ନୀତି କରିବେ ସେ ସମ୍ପର୍କରେ ମନ୍ଦିର ପ୍ରଶାସନ ପାଖରେ ସତ୍ବଲିପି ନାହିଁ। କେବଳ କେଉଁ ଦିନ କିଏ ପାଳି କରିବେ ସେ ସମ୍ପର୍କରେ ‘ପାଳିଆ ନୀତି’ରହିଛି। ସ୍ବତ୍ବଲିପି ସହ ପୁରୀ ଶ୍ରୀମନ୍ଦିର ପରି ସ୍ବତନ୍ତ୍ର ଲିଙ୍ଗରାଜ ଆଇନ ନଥିବାରୁ ସେବାୟତଙ୍କ ମନମାନି ଚରମସୀମାରେ ପହଞ୍ଚିଥିବା ବୁଦ୍ଧିଜୀବୀ ମତ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button