ନିର୍ଦ୍ଦୟତାର ସବୁ ସୀମା ପାର୍ କଲେ ଶିକ୍ଷୟିତ୍ରୀ, ଗଣିତ ଖାତା ନଦେଖାଇବାରୁ ତୃତୀୟ ଶ୍ରେଣୀର ଛାତ୍ରକୁ ନିସ୍ତୁକ ମାଡ଼

ପାରାଦୀପ: ନିର୍ଦ୍ଦୟତାର ସବୁ ସୀମା ପାର୍ କଲେ ଶିକ୍ଷୟିତ୍ରୀ । ଗଣିତ ଖାତା ନଦେଖାଇବାରୁ ତୃତୀୟ ଶ୍ରେଣୀର ଛାତ୍ରଙ୍କୁ ଅମାନୁଷିକ ମାଡ଼ । ହଁ ଆଜ୍ଞା, ପାରାଦୀପର ଏକ ଘରୋଇ ସ୍କୁଲରୁ ସାମ୍ନାକୁ ଆସିଛି ଏଭଳି ଅଭାବନୀୟ ଘଟଣା । ଅନ୍ୟପଟେ ଅଭିଯୋଗ ନେଇ ଯାଇଥିବା ଅଭିଭାବକଙ୍କୁ ସ୍କୁଲ ଗେଟରୁ ଫେରାଇଦେଲେ ସ୍କୁଲ ପ୍ରିନ୍ସିପାଲ୍ । ଜଣେ ତୃତୀୟ ଶ୍ରେଣୀର ଛାତ୍ର ଗଣିତ ଖାତା ନଦେଖାଇବାରୁ ଶିକ୍ଷୟିତ୍ରୀ ତାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ମାଡ଼ ମାରି ନୋଳା ଫଟାଇଦେଇଛନ୍ତି ।
ଏନେଇ ପରିବାର ଲୋକେ ପାରାଦୀପ ଆଦର୍ଶ ଥାନାରେ ଅଭିଯୋଗ କରିଥିବା ବେଳେ ଛାତ୍ର ଜଣକର ଡାକ୍ତରୀ ପରୀକ୍ଷା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି, ଶିକ୍ଷୟିତ୍ରୀଙ୍କ ମାଡ଼ରେ ଗୁରୁତର ଛାତ୍ର ମାନସିକ ସ୍ତରରେ ଭାଙ୍ଗି ପଡିଥିବା ବେଳେ, ସ୍କୁଲର ପ୍ରିନ୍ସିପାଲ ଛାତ୍ରଙ୍କ ବାପାଙ୍କୁ ଗେଟ୍ ବାହାରେ ରହିବା ପାଇଁ ନିର୍ଦ୍ଦେଶ ଦେବା ଘଟଣା ପାରାଦ୍ଵୀପରେ ଆଲୋଡନ ସୃଷ୍ଟି କରିଛି ।
ସୂଚନା ମୁତାବକ, ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ଅନୁପ୍ରାସ ନାୟକ ଗତ ୨୯ ତାରିଖରେ ଗଣିତ କ୍ଲାସରେ ଗଣିତ କପି ଶିକ୍ଷୟତ୍ରୀ ଶୁଭଶ୍ରୀ ସାହୁଙ୍କୁ ଦେଖାଇ ନ ଥିବାରୁ ଶିକ୍ଷୟତ୍ରୀ SST କ୍ଲାସକୁ ଡାକି ଛାତ୍ର ଜଣଙ୍କୁ ସମସ୍ତ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ପ୍ରବଳ ମାଡ଼ ମାରିଥିଲେ । ସ୍କୁଲ ଛୁଟି ପରେ ଛାତ୍ର ଜଣଙ୍କ ଘରେ ପହଞ୍ଚି ବସି ଉଠି ନପାରିବାରୁ ପରିବାର ସଦସ୍ୟ ଘଟଣା ସମ୍ପର୍କରେ ଜାଣିବା ପରେ ପ୍ରିନ୍ସିପାଲଙ୍କୁ ଭେଟି ଅଭିଯୋଗ କରିଥିଲେ ।
ମାତ୍ର ପ୍ରିନ୍ସିପାଲ ଛାତ୍ରଙ୍କ ବାପାଙ୍କୁ ଗେଟ୍ ବାହାରକୁ ଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଦଣ୍ଡମୁକ୍ତ ଅଞ୍ଚଳରେ ଛାତ୍ରଙ୍କୁ ନିର୍ମମ ଭାବେ ବାଡେଇବା ଘଟଣାକୁ ନେଇ ଛାତ୍ରଙ୍କ ବାପା ପାରାଦ୍ଵୀପ ଆଦର୍ଶ ଥାନାରେ ଏତଲା ଦେଇଛନ୍ତି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ କିଛି ଦିନ ତଳେ ପାଠ କହି ନ ପାରିବାରୁ ନାବାଳକ ଛାତ୍ରକୁ ଦଣ୍ଡ ଦେଇଥିଲେ ଶିକ୍ଷୟିତ୍ରୀ । ଯାହାଫଳରେ ସ୍କୁଲ ଘର ସଫା ବେଳେ ସାପ କାମୁଡାର ଶିକାର ହୋଇଥିଲେ ଛାତ୍ର ।
ଏହି ଘଟଣାକୁ ସପ୍ତାହେ ନ ପୁରୁଣୁ ଏବେ ପୁଣିଥରେ ଏଭଳି ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି । ଶିଶୁଙ୍କୁ ଭଲ ମଣିଷ କରିବା ପାଇଁ ଶିକ୍ଷକ ସମାଜର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ ଜ୍ଞାନ ଦେଉଥିବା ଲୋକ ଯଦି ଏପରି ବ୍ୟବହାର କରିବେ ତେବେ ଅଭିଭାବକମାନେ କାହା ଉପରେ ବିଶ୍ୱାସ କରି ନିଜ ଛୁଆଙ୍କୁ ପାଠ ପଢ଼ାଇବାକୁ ବିଦ୍ୟାଳୟ ଛାଡିବେ ।