IBN ଓଡ଼ିଶା ବ୍ୟୁରୋ

ଯମୁନାରେ ‘ବିଷ’ ବୟାନ: ଇସିଙ୍କ ନିକଟରେ ଜବାବ ରଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆଜି ନିର୍ବାଚନ କମିସନ (ଇସି)ଙ୍କ ନିକଟରେ ତାଙ୍କ ଯମୁନା ନଦୀ ଜଳ ଟିପ୍ପଣୀକୁ ନେଇ ଜବାବ ରଖିଛନ୍ତି। ଦିଲ୍ଲୀ ଆସୁଥିବା ଯମୁନା ନଦୀ ଜଳରେ ହରିୟାଣାର ବିଜେପି ‌ନେତୃତ୍ବାଧୀନ ସରକାର ବିଷ ମିଶାଉଛନ୍ତି ବୋଲି କେଜ୍ରିୱାଲ ଅଭି‌ଯୋଗ କରିବାପରେ ଇସି ଉକ୍ତ ମାମଲାରେ କେଜ୍ରିୱାଲଙ୍କୁ ୨ ଥର ନୋଟିସ୍‌ କରିଛନ୍ତି। ଦ୍ବିତୀୟ ନୋଟିସ୍‌ରେ ଇସି ଶୁକ୍ରବାର ପୂର୍ବାହ୍ନ ୧୧ଟା ସୁଦ୍ଧା କେଜ୍ରିୱାଲଙ୍କଠାରୁ ଜବାବ ମାଗିଥିଲେ। ଅରବିନ୍ଦ କେଜ୍ରିୱାଲ ଆଜି ଇସିଙ୍କ ନିକଟରେ ଜବାବ ରଖିଛନ୍ତି।

କେଜ୍ରିୱାଲଙ୍କ ସହ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଏବଂ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ ଆଜି ନୂଆଦିଲ୍ଲୀ ସ୍ଥିତ ଇସି ଅଫିସରେ ପହଞ୍ଚିଥିଲେ। ଇସିଙ୍କୁ ଲେଖିଥିବା ଚିଠିରେ କେଜ୍ରିୱାଲ ପୁଣିଥରେ ସେହି ସମାନ ଦାବି ଦୋହରାଇ କହିଛନ୍ତି ଯେ ହରିୟାଣାରୁ ଦିଲ୍ଲୀ ଯୋଗାଣ ହେଉଥିବା ଜଳରେ ଉଚ୍ଚ ଆମୋନିଆ ସ୍ତର ପାଇଁ ସେ ଏହି ଟିପ୍ପଣୀ ଦେଇଥିଲେ। ଅନ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ସେ ଏଭଳି ଟିପ୍ପଣୀ ଦେଇନାହାନ୍ତି । କେଜ୍ରିୱାଲ କହିଛନ୍ତି, ଜଳରେ ଆମୋନିଆ ସ୍ତର ଜାନୁଆରିରେ ଅତି ଭୟଙ୍କର ସ୍ତର ୭ ପିପିଏମ୍‌ରେ ପହଞ୍ଚିଛି। ଏହା ଜନସାଧାରଣଙ୍କ ସ୍ବାସ୍ଥ୍ୟ ପ୍ରତି ଅତ୍ୟନ୍ତ ବିପଜ୍ଜନକ। ଉକ୍ତ ସମସ୍ୟାର ସମାଧାନ ପାଇଁ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ ଏବଂ ଆଲୋଚନା ପାଇଁ ବାରମ୍ବାର ଚେଷ୍ଟା କରି ମଧ୍ୟ ସେ ବିଫଳ ହୋଇଥିବା କହିଛନ୍ତି। କେଜ୍ରିୱାଲ କହିଛନ୍ତି, ହରିୟାଣା ସରକାରଙ୍କଠାରୁ ପ୍ରତିଶ୍ରୁତି ମିଳିଥିଲେ ସୁଦ୍ଧା ଉକ୍ତ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ହରିୟାଣା ସରକାରଙ୍କ ବିଫଳତା ପାଇଁ ଦିଲ୍ଲୀରେ ଆପ୍‌ ସରକାର ବଦନାମ ହେବ।

ଆଜି ଇସି ଅଫିସ୍‌ ଯିବା ପୂର୍ବରୁ କେଜ୍ରିୱାଲ ସାମ୍ବାଦିକମାନଙ୍କୁ କହିଥିଲେ ଯେ ଦ୍ବିତୀୟ ନୋଟିସ୍‌ରୁ ଜଣାପଡ଼ୁଛି ଯେ ନିର୍ବାଚନ କମିସନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି। ସେ କହିଛନ୍ତି, ଆପ୍‌ ଦଳ ସ୍ବର ଉତ୍ତୋଳନ କରିବାକୁ ନିର୍ବାଚନ କମିସନ୍‌ ଆପ୍‌ ଉପରେ ହିଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କେଜ୍ରିୱାଲ ଦାବି କରିଛନ୍ତି ଯେ ବିଷାକ୍ତ ଆମୋନିଆ ଦ୍ବାରା ଜଳକୁ ବିଷାକ୍ତ କରି ଅଧା‌ ଦିଲ୍ଲୀରେ ଜଳ ସଙ୍କଟ ସୃଷ୍ଟି କରିବାପାଇଁ ଏକ ରାଜନୈତିକ ଷଡ୍‌ଯନ୍ତ୍ର ହୋଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button