IBN ଓଡ଼ିଶା ବ୍ୟୁରୋ

ବସନ୍ତ ପଞ୍ଚମୀରେ ତ୍ରିବେଣୀରେ ତୃତୀୟ ଅମୃତ ସ୍ନାନ: ବୁଡ଼ ପକାଇଲେ ୨ କୋଟିରୁ ଅଧିକ

ପ୍ରୟାଗରାଜ: ଫେବ୍ରୁଆରି ୩ ତାରିଖ ସୋମବାର ମହାକୁମ୍ଭମେଳାରେ ବସନ୍ତ ପଞ୍ଚମୀର ତୃତୀୟ ଅମୃତ ସ୍ନାନ ଅନୁଷ୍ଠିତ ହୋଇଛି। ଏଥିରେ ମଧ୍ୟାହ୍ନ ସୁଦ୍ଧା ୧୨.୫ ନିୟୁତ ଓ ସନ୍ଧ୍ୟା ସୁଦ୍ଧା ୨ କୋଟିରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ସ୍ନାନ କରିଛନ୍ତି। ସୋମବାର ସକାଳ ୮ଟା ସୁଦ୍ଧା ସଙ୍ଗମରେ ୬୨ ଲକ୍ଷ ଶ୍ରଦ୍ଧାଳୁ ସ୍ନାନ କରି ଏକ ଐତିହାସିକ ମାଇଲଖୁଣ୍ଟ ଛୁଇଁଛନ୍ତି। ଏହି ଅବସରରେ ହେଲିକପ୍ଟରରୁ ସେମାନଙ୍କ ଉପରକୁ ଫୁଲ ବର୍ଷା କରାଯାଇଥିଲା। ୟୁପି ମନ୍ତ୍ରୀ ଏକେ ଶର୍ମା କହିଛନ୍ତି ଯେ ରାଜ୍ୟ ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ମୌନୀ ଅମାବାସ୍ୟା ପରଠାରୁ ସେ ନିଜେ ଏହି ଅଞ୍ଚଳରେ ଉପସ୍ଥିତ ରହି ବ୍ୟବସ୍ଥା ଯାଞ୍ଚ କରୁଛନ୍ତି।
ପ୍ରୟାଗରାଜଠାରେ ଗଙ୍ଗା, ଯମୁନା ଓ ସରସ୍ୱତୀ ନଦୀର ପବିତ୍ର ସଂଗମରେ ଋଷି, ସାଧୁ, ଶ୍ରଦ୍ଧାଳୁ, କଳ୍ପବାସୀ ଓ ତୀର୍ଥଯାତ୍ରୀମାନେ ରୁଣ୍ଡ ହୋଇଛନ୍ତି।

ମହାକୁମ୍ଭ ଆରମ୍ଭରୁ ଅଦ୍ୟାବଧି ଗଙ୍ଗାରେ ସ୍ନାନ କରିଥିବା ଶ୍ରଦ୍ଧାଳୁଙ୍କ ସଂଖ୍ୟା ୩୫୦ ନିୟୁତ (୩୫ କୋଟି) ଅତିକ୍ରମ କରିଛି। ମହାକୁମ୍ଭକୁ ଆଉ ୨୩ ଦିନ ବାକି ଥିବା ବେଳେ ସମୁଦାୟ ସଂଖ୍ୟା ୫୦ କୋଟି ଟପିବ ବୋଲି ଅନୁମାନ କରାଯାଉଛି। ପ୍ରୟାଗରାଜରେ ଆଧ୍ୟାତ୍ମିକ ଉତ୍ସାହ ଅତୁଟ ରହିଛି, ସାରା ଭାରତ ଓ ସମଗ୍ର ବିଶ୍ୱରୁ ଲକ୍ଷ ଲକ୍ଷ ଲୋକ ପବିତ୍ର ସ୍ନାନ ମାଧ୍ୟମରେ ଈଶ୍ୱରଙ୍କ ଆଶୀର୍ବାଦ ନେବାକୁ ପ୍ରତିଦିନ ଆସୁଛନ୍ତି। ଆଜି ତୃତୀୟ ଅମୃତ ସ୍ନାନ ଥିବାରୁ ଅନେକ ଆଖଡ଼ା ଓ ନାଗା ସାଧୁ ଶୋଭାଯାତ୍ରାରେ ତ୍ରିବେଣୀକୁ ଗାଧୋଇବାକୁ ଯାଇଥିଲେ। ରବିବାର ପ୍ରାୟ ୨ କୋଟି ଶ୍ରଦ୍ଧାଳୁ ଏହି ରୀତିନୀତିରେ ଅଂଶଗ୍ରହଣ କରିଥିଲେ, ଯାହା ଫଳରେ ସମୁଦାୟ ସଂଖ୍ୟା ୩୫୦ ନିୟୁତ ଅତିକ୍ରମ କରିଥିଲା। ସେମାନଙ୍କ ମଧ୍ୟରେ ବିଶ୍ୱର ୧୦ ଲକ୍ଷ କଳ୍ପବାସୀ, ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ଥିଲେ।

ମୌନୀ ଅମାବାସ୍ୟାରେ ସର୍ବାଧିକ ୮୦ ନିୟୁତ ଶ୍ରଦ୍ଧାଳୁ ସଙ୍ଗମରେ ସ୍ନାନ କରିଥିଲେ। ଏହା ପରେ ମକର ସଂକ୍ରାନ୍ତିରେ ୩୫ ନିୟୁତ, ଜାନୁଆରି ୩୦ ଓ ଫେବ୍ରୁଆରି ୧ରେ ୨୦ ନିୟୁତ ଓ ପୌଷ ପୂର୍ଣ୍ଣିମାରେ ୧୭ ନିୟୁତରୁ ଅଧିକ ଶ୍ରଦ୍ଧାଳୁ ସ୍ନାନ କରିଥିଲେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ସଙ୍ଗମରେ ସ୍ନାନ କରିଛନ୍ତି। ଜାନୁଆରି ୧୩ରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଫେବ୍ରୁଆରି ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାକୁମ୍ଭରେ ସ୍ନାନ କରିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ କାଣ୍ଟଛାଣ୍ଟ କରାଯାଇଛି ଏବଂ ସେ ପ୍ରୟାଗରାଜରେ କେବଳ ୧ ଘଣ୍ଟା ରହିବେ ବୋଲି ଜଣାପଡ଼ିଛି।

 

Related Articles

Leave a Reply

Your email address will not be published. Required fields are marked *

Back to top button