ମେକ୍ ଇନ୍ ଇଣ୍ଡିଆ ବିଫଳ: ସଂସଦରେ ମୋଦୀ ସରକାରକୁ ଘେରିଲେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗନେଇ କେନ୍ଦ୍ର ସରକାରକୁ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଛନ୍ତି। ରାହୁଲ କହିଛନ୍ତି ଯେ ସରକାରଙ୍କ ‘ମେକ୍ ଇନ ଇଣ୍ଡିଆ’ ବିଫଳ ହୋଇଛି ଏବଂ ଏହି ବିଫଳତା ଯୋଗୁଁ ଚୀନ୍ ଭାରତୀୟ ପରିସରରେ ଏହାର ଉପସ୍ଥିତି ଜାହିର କରିଛି। ରାହୁଲ ମଧ୍ୟ ଚୀନ୍ ଉତ୍ପାଦ ଉପରେ ଭାରତର ନିର୍ଭରଶୀଳତା ଏବଂ ଜାତୀୟ ସୁରକ୍ଷା ଉପରେ ଏହାର ପ୍ରଭାବକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରାହୁଲ ଆଜି ଲୋକସଭାରେ ଅନ୍ୟ ଏକ ବିବାଦୀୟ ଟିପ୍ପଣୀ ଦେଇ କହିଛନ୍ତି ଯେ କେନ୍ଦ୍ର ସରକାର ଯଦି ଅର୍ଥତୈନିକ ନୀତିକୁ ଗୁରୁତ୍ବର ସହ ନେଇଥାନ୍ତେ ତେବେ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରିବା ନିମନ୍ତେ ବିଦେଶ ମନ୍ତ୍ରୀଙ୍କୁ ୩-୪ ଥର ଆମେରିକା ପଠାଇ ନଥାନ୍ତେ। ରାହୁଲ ଦାବି କରିଛନ୍ତି ଯେ ଯଦି ଭାରତର ଏଆଇ ଭଳି ଟେକ୍ନୋଲୋଜି ବିକାଶ କରିବାଭଳି ଉତ୍ତମ ଉତ୍ପାଦନ ପଦ୍ଧତି ଥାଆନ୍ତା ତେବେ ଆମେରିକା ରାଷ୍ଟ୍ରପତି ନିଜେ ଆସି ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥାନ୍ତେ।
ମେକ୍ ଇନ୍ ଇଣ୍ଡିଆ ବିଫଳ
ଭାରତୀୟ ପରିସରରେ ଚୀନ୍ର ପ୍ରଭାବ
ବେକାରୀ ସମସ୍ୟା ସମାଧାନରେ ୟୁପିଏ-ଏନ୍ଡିଏ ବିଫଳ
‘ପ୍ରଧାନମନ୍ତ୍ରୀଙ୍କୁ ଆମେରିକାର ନିମନ୍ତ୍ରଣ ସୁନିଶ୍ଚିତ କରିବାକୁ ଜୟଶଙ୍କର ଯାଇଥିଲେ’
ତେବେ ରାହୁଲଙ୍କ ଭାଷଣ ମଝିରେ ହସ୍ତକ୍ଷେପ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ ବିରୋଧୀ ଦଳ ନେତା ଏଭଳି ଅତି ଗୁରୁତର ମିଥ୍ୟା ଟିପ୍ପଣୀ ଦେବା ଅନୁଚିତ। ଏହା ୨ ରାଷ୍ଟ୍ର ମଧ୍ୟରେ ସମ୍ପର୍କର ବିଷୟ ଥିବା ବେଳେ ରାହୁଲ ଗାନ୍ଧୀ ତାଙ୍କ ଅଜ୍ଞାନତା ଯୋଗୁ ବେପରୁଆ ମନ୍ତବ୍ୟ ଦେଉଛନ୍ତି ବୋଲି ରିଜିଜୁ କହିଥିଲେ। ସେହିପରି ମହାରାଷ୍ଟ୍ର ନିର୍ବାଚନ ସଂକ୍ରାନ୍ତରେ ରାହୁଲ ଗାନ୍ଧୀ କହିଛନ୍ତି, ସମସ୍ତ ବିରୋଧୀ ଦଳ ମହାରାଷ୍ଟ୍ର ନିର୍ବାଚନ ସଂକ୍ରାନ୍ତ ତଥ୍ୟ ଚାହାନ୍ତି। କିନ୍ତୁ ମୁଁ ନିଶ୍ଚିତ ଯେ ନିର୍ବାଚନ କମିସନ ଆମକୁ ଏହି ତଥ୍ୟ ଦେବେନାହିଁ। ଦେଶରେ ନିଯୁକ୍ତି ସୁଯୋଗ ଉପରେ ଟିପ୍ପଣୀ ରଖି ରାହୁଲ କହିଛନ୍ତି, ୟୁପିଏ ନୁହେଁ କି ଏନ୍ଡିଏ ନୁହେଁ କେହି ବି ଦେଶରେ ବେକାରୀ ସମସ୍ୟାର ସମାଧାନ କରିପାରିନାହାନ୍ତି। ରାହୁଲ ଗାନ୍ଧୀ ଏସ୍ସି, ଏସ୍ଟି ଏବଂ ଓବିସିଙ୍କୁ ନେଇ ଦେଇଥିବା ଟିପ୍ପଣୀ ଉପରେ ଜବାବ ରଖି ରିଜିଜୁ କହିଛନ୍ତି, ‘ରାହୁଲ ଗାନ୍ଧୀ କ’ଣ ଦେଖିପାରୁନାହାନ୍ତି ଯେ ପ୍ରଧାନମନ୍ତ୍ରୀ ହେଉଛନ୍ତି ଓବିସି। ମୁଁ ଜଣେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଏବଂ ମୁଁ ଏସ୍ଟି। ଅର୍ଜୁନ ରାମ ମେଘୱାଲ ଜଣେ ଆଇନମନ୍ତ୍ରୀ ଏବଂ ସେ ଏସ୍ସି। ଏହା କ’ଣ ସେ ଦେଖିପାରୁନାହାନ୍ତି କି ବୋଲି ରିଜିଜୁ ପ୍ରଶ୍ନ କରିଛନ୍ତି।