IBN ଓଡ଼ିଶା ବ୍ୟୁରୋ

ବ୍ୟାଙ୍କ ବିରୋଧରେ ହାଇକୋର୍ଟ ଗଲେ ମାଲ୍ୟା: ‘ବହୁ ଗୁଣା ଅସୁଲ କରିସାରିଲେଣି, ଆହୁରି ଅସୁଲି ଚାଲିଛି’

ନୂଆଦିଲ୍ଲୀ: ଭାରତରେ ଋଣ ଠକେଇ କରି ବ୍ରିଟେନ୍ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ଭାରତୀୟ ବ୍ୟାଙ୍କଗୁଡ଼ିକ ବିରୋଧରେ ଗମ୍ଭୀର ଅଭିଯୋଗ ଆଣି କର୍ଣ୍ଣା‌ଟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ବ୍ୟାଙ୍କଗୁଡ଼ିକ ‌ଆବଶ୍ୟକତାଠାରୁ ଯଥେଷ୍ଟ ଅଧିକ ଟଙ୍କା ଅସୁଲ କରିସାରିଲେଣି। ପ୍ରକୃତରେ ବ୍ୟାଙ୍କଗୁଡ଼ିକ କେତେ ଟଙ୍କା ପାଇବାର ଅଛି, ତାହାର ଏକ ଷ୍ଟେଟ୍‌ମେଣ୍ଟ ଦେବା ନିମନ୍ତେ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେବା ଲାଗି ସେ କୋର୍ଟଙ୍କୁ ନିବେଦନ କରିଛନ୍ତି। ଏହି ମାମଲାରେ ଜଷ୍ଟିସ୍ ଆର୍‌ ଦେବଦାସ ବ୍ୟାଙ୍କଗୁଡ଼ିକୁ ନୋଟିସ୍ ଜାରି କରିଛନ୍ତି।

ମାଲ୍ୟାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସାଜନ ପୁଭୟା କୋର୍ଟଙ୍କୁ ଜଣାଇଛନ୍ତି ଯେ ତାଙ୍କ ଦୁଇ କମ୍ପାନି କିଙ୍ଗଫିସର ଏୟାରଲାଇନ୍ସ ଓ ମଦ କମ୍ପାନି ୟୁନାଇଟେଡ୍‌ ବ୍ରୁୱେରିଜ୍ ହୋଲ୍‌ଡିଂସ୍‌ ବନ୍ଦ ହେବା ନେଇ ଚୂଡ଼ାନ୍ତ ହୋଇଯାଇଛି। ସୁପ୍ରିମକୋର୍ଟ ମଧ୍ୟ ତାହାକୁ ସ୍ପଷ୍ଟ କରିଛନ୍ତି। ବ୍ୟାଙ୍କଗୁଡ଼ିକ ନିଜ ପ୍ରାପ୍ୟ ଅନୁସାରେ ଟଙ୍କା ଅସୁଲ କରିସାରିଛନ୍ତି। ଏବେ ଅତିରିକ୍ତ ଟଙ୍କା ଅସୁଲ କରୁଥିବା ସେ ଅଭିଯୋଗ କରିଛନ୍ତି। ମାଲ୍ୟାଙ୍କଠାରୁ ୬୨୦୦ କୋଟି ଟଙ୍କା ଅସୁଲ କରାଯିବାର ଥିଲା। କିନ୍ତୁ ୧୦,୨୦୦ କୋଟି ଟଙ୍କା ଅସୁଲ କରାଯାଇସାରିଲାଣି। ନିକଟରେ ସଂସଦରେ ସରକାର ସୂଚନା ଦେଇଥିଲେ ଯେ ମାଲ୍ୟାଙ୍କଠାରୁ ୧୪,୦୦୦ କୋଟି ଟଙ୍କା ଅସୁଲ କରାଯାଇଛି। ମାଲ୍ୟାଙ୍କ ବିରୋଧରେ ଭାରତୀୟ ବ୍ୟାଙ୍କରେ ୯୦୦୦ କୋଟି ଟଙ୍କା ଋଣ ଠକେଇ କରିଥିବା ଅଭିଯୋଗ ରହିଛି। ୨୦୧୬ରେ ସେ ଭାରତରୁ ଲୁଚି ପଳାଇଥିଲେ। ତା’ ପରଠାରୁ ସେ ବ୍ରିଟେନ୍‌ରେ ରହୁଛନ୍ତି। ତାଙ୍କୁ ଭାରତ ଫେରାଇ ଆଣିବା ଲାଗି ସରକାରୀ ଏଜେନ୍ସିଗୁଡ଼ିକ ଉଦ୍ୟମ କରୁଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button