ଦେଶ

ବିଶ୍ବକପ୍‌ ଦଳରେ ରାହୁଲ: ଅଶ୍ବିନ୍‌, ସଂଜୁ, ତିଳକ, ପ୍ରସିଦ୍ଧ, ଚହଲଙ୍କୁ ମିଳିଲାନି ସ‌ୁଯୋଗ – Ibnodisha

[ad_1]

ମୁମ୍ବାଇ: ମାସକ ପରେ ଭାରତରେ ଆରମ୍ଭ ହେବାକୁ ଥିବା ଦିନିକିଆ ବିଶ୍ବକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଦଳର ଘୋଷିତ ହୋଇଛି। ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଏହି ଦଳରେ ହାର୍ଦ୍ଦିକ ପାଣ୍ଡ୍ୟା ଉପଅଧିନାୟକ ଦାୟିତ୍ବ ପାଇଛନ୍ତି। ଦଳରେ କେଏଲ୍‌ ରାହୁଲ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ସଂଜୁ ସାମସନ୍‌ ଓ ଭେଟେରାନ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ବାଦ୍‌ ପଡ଼ିଛନ୍ତି। ଏହି ଦଳରେ ୭ ବ୍ୟାଟର, ୪ ବୋଲର ଓ ୪ ଅଲ୍‌ରାଉଣ୍ଡର୍‌ଙ୍କୁ ନିଆଯାଇଥିବା ନେଇ କାଣ୍ଡିରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚୟନ ସମିତି ଅଧ୍ୟକ୍ଷ ଅଜିତ ଅଗରକର ଓ ଅଧିନାୟକ ରୋହିତ ଏହି ଘୋଷଣା କରିଛନ୍ତି। ରୋହିତଙ୍କ ମତରେ, ମ୍ୟାଚ୍‌ ବେଳକୁ ଖେଳାଳିଙ୍କ ଲୟ ସହିତ ପ୍ରତିପକ୍ଷଠୁ ଆସୁଥିବା ଆହ୍ବାନକୁ ଦୃଷ୍ଟିରେ ରଖି ଚୂଡ଼ାନ୍ତ ଏକାଦଶ ଚୟନ କରାଯିବ। ତେଣୁ ସମ୍ଭବତଃ ଶ୍ରେଷ୍ଠ ଖେଳାଳିଙ୍କୁ ନେଇ ଦଳ ଗଠନ କରାଯାଇଛି। ଆମର ବ୍ୟାଟିଂରେ ଗଭୀରତା ରହିଛି। ଆମ ପାଖରେ ସ୍ପିନ୍‌ ଓ ଦ୍ରୁତ ବୋଲରଙ୍କ ବିକଳ୍ପ ରହିଛି। ଏହାକୁ ଦେଖିଲେ ହାର୍ଦ୍ଦିକ ପାଣ୍ଡ୍ୟା ସବୁକ୍ଷେତ୍ରରେ ଏକ ସମ୍ମିଶ୍ରଣ। ବିଶ୍ବକପ୍‌ ପାଇଁ ତାଙ୍କର ଲୟରେ ରହିବା ବହୁତ ଗୁରୁତ୍ବପୂର୍ଣ୍ଣ ବୋଲି ରୋହିତ କହିଛନ୍ତି। ମାଂସପେଶୀ ଜନିତ ଆଘାତ ପାଇଁ କେଏଲ୍‌ ରାହୁଲ୍‌ ଦୀର୍ଘ ସମୟ ଧରି କ୍ରିକେଟ୍‌ଠୁ ଦୂରେଇ ରହିଥିଲେ। ବର୍ତ୍ତମାନ ସେ ଏସିଆ କପ୍‌ ଦଳରେ ସ୍ଥାନ ପାଇବା ସହ ସୁପର୍‌ ଫୋର୍‌ରେ ଖେଳିବେ। ରାହୁଲଙ୍କ ସହ ଶ୍ରେୟସ ଓ ବୁମ୍‌ରା ଦଳକୁ ପ୍ରତ୍ୟାବର୍ତ୍ତନ କଲେଣି। ତେଣୁ ବିଶ୍ବକପ୍‌ରେ ଏହି ଖେଳାଳିମାନେ ଦଳର ସନ୍ତୁଳନ ରକ୍ଷା କରିପାରି‌ବେ ବୋଲି ରୋହିତ ପ୍ରକାଶ କରିଛନ୍ତି।

ସେହିପରି ଈଶାନ କିଶନ ପାକିସ୍ତାନ ବିପକ୍ଷରେ ୮୧ ରନ୍‌ର ପାଳି ଖେଳି ଦଳରେ ଦ୍ବିତୀୟ ୱିକେଟରକ୍ଷକ ଭାବେ ସ୍ଥାନ ପାଇଛନ୍ତି। ଏହା ଫଳରେ ସଂଜୁ ସାମସନ୍‌ ବିଶ୍ବକପ୍‌ ଦଳରେ ସ୍ଥାନ ପାଇପାରିନାହାନ୍ତି। ସଂଜୁ ଏବେ ଶ୍ରୀଲଙ୍କାରେ ଥିଲା ବେଳେ ରାହୁଲଙ୍କ ସଂରକ୍ଷିତ ଖେଳାଳି ଭାବେ ଭାରତୀୟ ଦଳ ସହିତ ଭ୍ରମଣ କରୁଛନ୍ତି। କିନ୍ତୁ ବିଶ୍ବକପ୍‌ ପାଇଁ ରାହୁଲ ପ୍ରଥମ ୱିକେଟରକ୍ଷକ ଭାବେ ୫ ନମ୍ବର ସ୍ଥାନରେ ଖେଳିବେ ବୋଲି ଅଗରକର ସ୍ପଷ୍ଟ କରିଛନ୍ତି। କିନ୍ତୁ ୱିକେଟ୍‌ ପଛରେ ବାରମ୍ବର ଉଠ-ବସ କରିବାକୁ ଥିବାରୁ ତାଙ୍କ ଉପରେ ଦଳ ନଜର ରଖିବ। କାରଣ ହାର୍ମଷ୍ଟ୍ରିଂଗ ଆଘାତରୁ ସେ ଏବେ ସୁସ୍ଥ ହୋଇଛନ୍ତି ଏବଂ ମ୍ୟାଚ୍‌ରେ ସେ କିପରି କିପିଂ କରୁଛନ୍ତି ତାହା ନଦେଖି ବିଶ୍ବକପ୍‌ ଦଳରେ ନିଆଯାଇଥିବାରୁ ଅନ୍ୟମାନଙ୍କ ମନରେ ବି ଶଙ୍କା ରହୁଛି। ଈଶାନ ମଧ୍ୟ ଦଳରେ ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ହୋଇଗଲେଣି। ତେଣୁ ମ୍ୟାଚ୍‌ରେ ହୁଏତ ଈଶାନଙ୍କୁ ୱିକେଟ୍‌ ପଛ ଦାୟିତ୍ବ ମିଳିପାରେ। ଭାରତର ବ୍ୟାଟିଂ ଗଭୀରତାକୁ ଦୃଢ କରିବା ପାଇଁ ଶାର୍ଦ୍ଦୁଳ ଠାକୁରଙ୍କୁ ନିଆଯାଇଛି। ଏଥିସହିତ ତୃତୀୟ ଦ୍ରୁତ ବୋଲରର ଆବଶ୍ୟକତାକୁ ମଧ୍ୟ ସେ ପୂରଣ କରିବେ। ‌ଦିନିକିଆରେ ସନ୍ତୋଷଜନକଠୁ ବି କମ୍‌ ପ୍ରଦର୍ଶନ ଦେଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି। ଟ୍ବେଣ୍ଟି-୨୦ ଭଳି ଦିନିକିଆରେ ତାଙ୍କ ବ୍ୟାଟ୍‌ ଗର୍ଜନ କରିବ ବୋଲି ଦଳ ଆଶା ରଖିଛି।

ଏମାନଙ୍କ ବ୍ୟତୀତ ‌ବିରାଟ କୋହଲି, ଶୁବମନ ଗିଲ୍‌, ଶ୍ରେୟସ ଆୟରଙ୍କ ସ୍ଥାନ ନିଶ୍ଚିତ ଥିବାରୁ ସବୁଠୁ ଅଧିକ ଆଲୋଚ୍ୟ ଖେଳାଳି ତିଳକ ବର୍ମା ବିଶ୍ବକପ୍‌ ଦଳରେ ସ୍ଥାନ ପାଇପାରିନାହାନ୍ତି। ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, ମହମ୍ମଦ ସାମି ଦ୍ରୁତ ବୋଲିଂ ସମ୍ଭାଳିବାକୁ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶାର୍ଦ୍ଦୁଳ ଠାକୁର ଦ୍ରୁତ ବୋଲିଂ ଅଲରାଉଣ୍ଡର ଭୂମିକାରେ ରହିବେ। ଏଥିପାଇଁ ଏସିଆ କପ୍‌ ଦଳରେ ଶ୍ରୀଲଙ୍କା‌ ଯାଇଥିବା ପ୍ରସିଦ୍ଧ କୃଷ୍ଣ ବିଶ୍ବକପ୍‌ ଦଳରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି। ଚଳିତ ବର୍ଷ ଭାରତ ପାଇଁ ଦିନିକିଆରେ ସର୍ବାଧିକ ୱିକେଟ୍‌ ପାଇଥିବା କୁଲଦୀପ ଯାଦବଙ୍କ ସ୍ପିନରଙ୍କ ମଧ୍ୟରେ ପ୍ରାଥମିକତା ପାଇଛନ୍ତି। ରବୀନ୍ଦ୍ର ଜାଦେଜା ଓ ଅକ୍ଷର ପଟେଲ୍‌ ସ୍ପିନ୍ ଅଲରାଉଣ୍ଡର ଭାବେ ସୁଯୋଗ ପାଇଛନ୍ତି। ଏଥିପାଇଁ ଅଶ୍ବିନ ଓ ୟୁଝବେନ୍ଦ୍ର ଚହଲଙ୍କୁ ବାଦ୍‌ ଦିଆଯାଇଛି।

ଭାରତୀୟ ଦଳ: ରୋହିତ ଶର୍ମା (ଅଧିନାୟକ), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ଶୁବମନ ଗିଲ୍‌, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସିରାଜ, କୁଲଦୀପ ଯାଦବ, ମହମ୍ମଦ ସାମି, ଅକ୍ଷର ପଟେଲ, ଈଶାନ କିଶନ, ସୂର୍ଯ୍ୟକୁମାର ଯାଦବ।

ଦଳ ଚୟନ ବେଳେ କିଛି କଠୋର ପଦକ୍ଷେପ ନେବାକୁ ପଡ଼ିଛି: ରୋହିତ
ମୁମ୍ବାଇ: ଗତ ୧୦ ବର୍ଷ ହେଲାଣି ଭାରତ କୌଣସି ଆଇସିସି ଟ୍ରଫି ଜିତିନାହିଁ। ‌ଏଥର ନିଜ ଘରେ ଦିନିକିଆ ବିଶ୍ବକପ୍‌ ଆୟୋଜିତ ହେଉଥିବାରୁ ଏହି ଟ୍ରଫି ମରୁଡ଼ିର ଅନ୍ତ ଘଟାଇବାକୁ ବିସିସିଆଇ ପ୍ରୟାସ କରୁଛି। ‌ମଙ୍ଗଳବାର ୧୫ ଜଣିଆ ବିଶ୍ବକପ୍‌ ଦଳ ଘୋ‌ଷଣା କରାଯାଇଥିଲା ବେଳେ ଚର୍ଚ୍ଚିତ ଚେହେରା କେଏଲ୍‌ ରାହୁଲ ଓ ସୂର୍ଯ୍ୟକୁମାର ଯାଦବ ଏଥିରେ ସ୍ଥାନ ପାଇଛନ୍ତି। ରାହୁଲ ଏପର୍ଯ୍ୟନ୍ତ ଦିନିକିଆ ଏକାଦଶକୁ ଫେରିପାରିନଥିଲା ବେଳେ ସୂର୍ଯ୍ୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏସବୁ ସତ୍ତ୍ବେ ସଂଜୁ ସାମସନ୍‌ ଓ ଯୁବ ପ୍ରତିଭା ତିଳକ ବର୍ମା ବିଶ୍ବକପ୍‌ ଟିକେଟ୍‌ ପାଇପାରିନାହାନ୍ତି। ଏମାନଙ୍କ ବ୍ୟତୀତ ୟୁଝବେନ୍ଦ୍ର ଚହଲ ଓ ରବିଚନ୍ଦ୍ରନ ଅଶ୍ବିନ ମଧ୍ୟ ବିଶ୍ବକପ୍‌ ଦଳରେ ସ୍ଥାନ ପାଇପାରିନାହାନ୍ତି। ତେଣୁ ଆମ ପାଖରେ ଅନେକ ଦକ୍ଷ ଖେଳାଳି ଉପଲବ୍ଧ ଥିଲେ ବି ବିଶ୍ବକପ୍‌ର ପ୍ରତିଦ୍ବନ୍ଦ୍ବିତାକୁ ଦୃଷ୍ଟିରେ ରଖି ଆମକୁ କିଛି କଠିନ ପଦକ୍ଷେପ ନେବାକୁ ପଡ଼ିଥିବା ରୋହିତ ଦଳ ଘୋ‌ଷଣା ସମୟରେ ପ୍ରତିକ୍ରିୟା ଦେଇଛନ୍ତି। ଖେଳାଳିମାନେ ଦଳରେ ସ୍ଥାନ ପାଇବାକୁ ସୁସ୍ଥ ପ୍ରତିଦ୍ବନ୍ଦ୍ବିତା କରିବା କିଛି ଖରାପ ନୁହେଁ। ଏହାଦ୍ବାରା ଆଗକୁ ଅଧିକ ଆହ୍ବାନ ଆସୁଥିଲା ବେଳେ ଚୟନ ମଧ୍ୟ ଅଧିକ କଷ୍ଟକର ହୋଇଯାଇଥାଏ। ହେଲେ କିଏ ଲୟରେ ଅଛି, କିଏ ପ୍ରତିପକ୍ଷ ଏବଂ ଏଭଳି ପରିସ୍ଥିତିରେ କେଉଁ‌ ଖେଳାଳି ଦଳକୁ ଅଧିକ ଫାଇଦା ଦେଇପାରିବେ ତାହାକୁ ଦେଖିବାକୁ ପଡୁଛି। ପ୍ରତ୍ୟେକ ମ୍ୟାଚ୍‌ରେ ଏପରି ପରିସ୍ଥିତିର ସାମ୍ନା କରିବାକୁ ପଡୁଥିବା ରୋହିତ କହିଛନ୍ତି। ସେହିପରି ଅଗରକର କହିଛନ୍ତି ଯେ, ରାହୁଲ ଏବେ ଭଲ ଟଚ୍‌ରେ ଅଛନ୍ତି। ଦଳରେ ସେ ସନ୍ତୁଳନ ରକ୍ଷା କରିପାରିବେ। ବେଙ୍ଗାଲୁରୁରେ ‌ହୋଇଥିବା ଅଭ୍ୟାସ ଶିବିରରେ ସେ ଭଲ ପ୍ରଦର୍ଶନ ଦେଉଥିଲେ ଏବଂ ଯେଉଁ ଛୋଟ ଫିଟ୍‌ନେସ୍‌ ସମସ୍ୟା ଥିଲା, ସେଥିରୁ ମଧ୍ୟ ସେ ମୁକୁଳି ସାରିଛନ୍ତି। ମ୍ୟାଚ୍‌ ବେଳକୁ ରାହୁଲଙ୍କ ସହ ଈଶାନ ମଧ୍ୟ ଫିଟ୍‌ ରହିବା ଜରୁରୀ। ସ୍ଥିତି ଦେଖିବା ପରେ କାହାକୁ ଖେଳାଯିବ ବିଚାର କରାଯିବ। ତଥାପି ଉଭୟ ଦଳରେ ଖେଳନ୍ତୁ ବୋଲି ସମସ୍ତେ ଆଶା ରଖିପାରିବା। ଏସିଆ କପ୍‌ରେ ଈଶାନ ପାକିସ୍ତାନ ବିପକ୍ଷରେ ଯେଉଁ ଭଳି ଖେଳିଛନ୍ତି, ସେ ନିଶ୍ଚିତ ଭାବେ ପ୍ରଶଂସାର ଯୋଗ୍ୟ। ‌ତଥାପି ମ୍ୟାଚ୍‌ ପୂର୍ବରୁ ପରିସ୍ଥିତିକୁ ବି‌ଶ୍ଳେଷଣ କରିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button