ଭଲ ଖବର: ଗାଁକୁ କାଠପୋଲ, ରାସ୍ତା ନିର୍ମାଣ କଲେ ଯୁବଗୋଷ୍ଠୀ – Ibnodisha
[ad_1]
ଜନନୀ ଯନ୍ତ୍ରଣା ପାଇଁ ଅପବାଦ ମୁଣ୍ଡାଇଥିଲା କହ୍ନେଇଗୋଳା, ପ୍ରଶାସନ କଲାନି, ଚାନ୍ଦା ଆଦାୟ କରି ରାସ୍ତା ନିର୍ମାଣ କଲେ
ହରିଚନ୍ଦନପୁର: ଜନନୀ ଯନ୍ତ୍ରଣା ପାଇଁ ଅପବାଦ ମୁଣ୍ଡାଇଥିଲା କେନ୍ଦୁଝର ଜିଲ୍ଲା ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ କହ୍ନେଇଗୋଳା ଗ୍ରାମ। ଗାଁକୁ ସବୁଦିନିଆ ରାସ୍ତା ଓ ତିନିଟି ପାହାଡ଼ି ନାଳ ଉପରେ ପୋଲ ନଥିବାରୁ ଗର୍ଭବତୀମାନେ କେତେବେଳେ ଭାରାରେ ବୁହା ହେଉଥିଲେ ତ ଆଉ କେତେବେଳେ ଚାଲିଚାଲି ସେମାନଙ୍କୁ ନାଳ ପାର ହେବାକୁ ପଡ଼ୁଥିଲା। ଜନନୀ ଯନ୍ତ୍ରଣାର ଏଭଳି ବିକଳ ଚିତ୍ର ବାରମ୍ବାର ସାମ୍ନାକୁ ଆସିବା ସତ୍ତ୍ବେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଗ୍ରାମର ଯୁବଗୋଷ୍ଠୀ ନିଜେ ଚାନ୍ଦା କରି ରାସ୍ତା ନିର୍ମାଣ କରିବା ସହ ନାଳ ଉପରେ କାଠପୋଲ ନିର୍ମାଣ କରିଛନ୍ତି।
ବଡ଼ପଳାଶପାଳ ପଞ୍ଚାୟତର ଦୁର୍ଗମ ରାଣୀପଦା, ନୋଲ, କହ୍ନେଇଗୋଳା ଓ ବାଉଁରୁ ଗ୍ରାମରେ ଜୁଆଙ୍ଗ ଜନଜାତିର ଲୋକେ ବାସ କରନ୍ତି। ଦୁଇବର୍ଷ ତଳେ ବଡ଼ପଳାଶପାଳରୁ ରାଣୀପଦା ଗ୍ରାମ ପର୍ଯ୍ୟନ୍ତ ୮କିଲୋମିଟର ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ କରାଯାଇଥିଲା। ରାଣୀପଦାରୁ କହ୍ନେଇଗୋଳା ଗ୍ରାମର ଦୂରତା ଅଢ଼େଇ କିଲୋମିଟର। ଗାଁକୁ ଯିବାକୁ ହେଲେ ଛୋଟଛୋଟ ୪ଟି ନାଳ ପାର ହେବାକୁ ପଡ଼ିଥାଏ। ବର୍ଷାଦିନେ ଏହି ପାହାଡ଼ି ନାଳଗୁଡ଼ିକରେ ପାଣିର ପ୍ରଖର ସ୍ରୋତ ଯୋଗୁଁ କହ୍ନେଇଗୋଳା ଗ୍ରାମକୁ ଗାଡ଼ିମୋଟର ଯାଇପାରେ ନାହିଁ। ଗତ ଦେଢ଼ମାସ ମଧ୍ୟରେ ଗାଁକୁ ଆମ୍ବୁଲାନ୍ସ ଯାଇନପାରିବାରୁ ୩ଜଣ ଗର୍ଭବତୀ ନାଳପାର ହୋଇ ଅଢ଼େଇ କିଲୋମିଟର ରାସ୍ତା ଚାଲିଚାଲି ରାଣୀପଦା ଗ୍ରାମ ପର୍ଯ୍ୟନ୍ତ ଆସିଥିଲେ। ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନା ନିଆଯାଇଥିଲା।
ସେହିପରି କହ୍ନେଇଗୋଳା ଗ୍ରାମରେ ଥିବା ଆଶ୍ରମ ସ୍କୁଲରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ରହିଛି। ରାସ୍ତା ନଥିବାରୁ ବର୍ଷାଦିନେ ସ୍କୁଲ କର୍ତ୍ତୃପକ୍ଷ ରାଣୀପଦା ଗ୍ରାମରୁ ପିଲାଙ୍କ ଖାଦ୍ୟ ସାମଗ୍ରୀ ଭାର କରିନେଇଥା’ନ୍ତି। ବାରମ୍ବାର ପ୍ରଶାସନକୁ ଅବଗତ କରିବା ସତ୍ତ୍ବେ ଏଠାରେ ରାସ୍ତା ଓ ପୋଲ ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ। ଶେଷରେ ଗ୍ରାମର ଯୁବକମାନେ ରାସ୍ତା ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଲେ। ଟ୍ରାକ୍ଟର୍ରେ ମୋରମ୍ ବୋହି ଆଣି ରାସ୍ତାରେ ପକାଇବା ସହ ଜେସିବି ମେସିନ୍ ଲଗାଇ ସମତୁଲ କରିଛନ୍ତି। ସେହିପରି ୩ଟି ନାଳ ଉପରେ କାଠଗଣ୍ଡି ପକାଇ ଅସ୍ଥାୟୀ ପୋଲ ନିର୍ମାଣ କରିଛନ୍ତି। ମୂଷଳ ନାଳ ଉପରେ ଯାତାୟାତ ପାଇଁ ପଥର ପକାଇଛନ୍ତି। ଏବେ ଗ୍ରାମକୁ ବାଇକ୍ ଓ ଛୋଟଛୋଟ ଗାଡ଼ି ଯାତାୟାତ କରିପାରିବ ବୋଲି ଗ୍ରାମର ଯୁବକମାନେ ଜଣାଇଛନ୍ତି। ରାସ୍ତା ମରାମତି ଓ କାଠପୋଲ ନିର୍ମାଣ ପାଇଁ ୨୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ଏସବୁ ସେମାନେ ଚାନ୍ଦା କରି ଯୋଗାଡ଼ କରିଥିବା କହିଛନ୍ତି। ତୁରନ୍ତ ରାଣୀପଦାରୁ କହ୍ନେଇଗୋଳା ଗ୍ରାମ ପର୍ଯ୍ୟନ୍ତ ସବୁଦିନିଆ ପକ୍କାରାସ୍ତା ନିର୍ମାଣ କରିବାକୁ ଗ୍ରାମର ଯୁବକ ସଞ୍ଜୟ କୁମାର ମହକୁଡ଼, କୁନୁ ଅରୁକ, ମାନସ ଅରୁକ, ବିଜୁ ମହାକୁଡ଼, ହଳଧର ଜୁଆଙ୍ଗ, ଦୁଃଶାସନ ଜୁଆଙ୍ଗ, ପୂର୍ଣ୍ଣ ଜୁଆଙ୍ଗ, ଜଟେଶ୍ୱର ଜୁଆଙ୍ଗ, ଯଦୁ ମହାକୁଡ଼, ବିଦେଶୀ ବେହେରା, ବିନୋଦ ଜୁଆଙ୍ଗ, ଶୈଳ ଜୁଆଙ୍ଗ ପ୍ରମୁଖ ଦାବି କରିଛନ୍ତି।
[ad_2]