ଦାନ୍ତ ପାଇଁ ଦାମ୍ପତ୍ୟରେ ଫାଟ: ଘରୁ ତଡ଼ିଦେଲା ସ୍ୱାମୀ, ଥାନାରେ ନବବଧୂଙ୍କ ଧାରଣା – Ibnodisha
[ad_1]
ପୁରୀ : ବେଦୀରେ ବସି ବିବାହ କରିଥିଲେ । ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମ ପାଇଁ ହାତ ଧରିଥିଲେ । ହେଲେ ଘରକୁ ନେଇ ଦେଖିଲେ ନବବଧୂର ଗୋଟିଏ ଦାନ୍ତ ନାହିଁ । ଆଉ ଏହାପରେ ସୃଷ୍ଟି ହେଲା ସମ୍ପର୍କରେ ଫାଟ । ଦାନ୍ତ ପାଇଁ ଲାଗିଲା ଦାମ୍ପତ୍ୟ କଳହ । ଦେଢ଼ମାସ କାଳ ନିର୍ଯାତନା ଦେଇ ନବବଧୂକୁ ଘରୁ ତଡ଼ିଦେଲା ସ୍ୱାମୀ । ଶେଷରେ ଥାନାରେ ସୁରକ୍ଷା ଲୋଡ଼ିଲେ ନବବଧୂ । ବୁଧବାର କୋଣାର୍କ ଥାନା ଅଞ୍ଚଳରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ନବବଧୂଙ୍କ ବାପଘର ରାମଚଣ୍ଡୀ ଥାନା ଅଞ୍ଚଳରେ ହୋଇଥିବାବେଳେ କୋଣାର୍କ ଥାନା ଅଞ୍ଚଳରେ ତାଙ୍କ ଶାଶୂଘର । ଦେଢ଼ମାସ ତଳେ ହୋଇଥିଲା ଏହି ବିବାହ । ବିବାହ ପୂର୍ବରୁ ବର ପକ୍ଷ କନ୍ୟା ଘରକୁ ଯାଇ ଦେଖାସାକ୍ଷାତ କରିଥିଲେ । ଦୁଇ ପକ୍ଷର ବନ୍ଧୁ ପରସ୍ପରକୁ ଚିହ୍ନବା ପରେ ବେଦିରେ ପଡ଼ିଥିଲା ହାତଗଣ୍ଠି । ବିବାହ ପାଇଁ ମହିଳାଙ୍କ ବାପା ଜମି ମଧ୍ୟ ବିକ୍ରି କରିଥିଲେ । ଜମି ବିକ୍ରି ଟଙ୍କାରେ ଯୌତୁକ ଦେଇ ସେ ଝିଅକୁ ଶାଶୂଘର ପଠାଇଥିଲେ । ହେଲେ ବିବାହର ଗୋଟିଏ ଦିନ ପରେ ନିର୍ଯାତନା ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ପୀଡ଼ିତା । ତାଙ୍କର ଗୋଟିଏ ଦାନ୍ତ ନାହିଁ ବୋଲି ଜାଣିବାକୁ ପାଇଥିଲେ ଶାଶୂଘର ଲୋକେ ।
ଏହାପରେ ନବବଧୂଙ୍କୁ ମାନସିକ ନିର୍ଯାତନା ଦିଆଯିବା ଆରମ୍ଭ ହୋଇଥିଲା । ଏହାପରେ ବାପଘର ଲୋକେ ପହଞ୍ଚି ସମାଧାନ ପାଇଁ ଆଲୋଚନା କରିଥିଲେ । ଏହି ସମୟରେ ଅଧିକ ଯୌତୁକ ଦାବି କରିଥିଲେ ଶାଶୂଘର ଲୋକେ । ଡାକ୍ତରଖାନାରେ ଡାକ୍ତରଙ୍କ ସହ କଥା ହୋଇଛୁ, ଖୁବ୍ଶୀଘ୍ର ୧୦ ହଜାର ଟଙ୍କା ଖର୍ଚ୍ଚ କରି ଏକ ନକଲି ଦାନ୍ତ ଲଗାଇ ଦେବୁ ବୋଲି ବାପଘର ଲୋକେ କହିଥିଲେ । ହେଲେ ଏଥିରେ ବି ଶାଶୂଘର ଲୋକଙ୍କ ମନ ବୁଝି ନଥିଲା । ପ୍ରତିଦିନ ଶାରିରୀକ ଓ ମାନସିକ ନିର୍ଯାତନା ଦେଉଥିବା ନେଇ ନବବଧୂ ଜଣକ ଅଭିଯୋଗ କରିଛନ୍ତି । ୧ ଲକ୍ଷ ଟଙ୍କା ଦେଇ ତାଙ୍କୁ ବାପଘରକୁ ତଡ଼ିବାବେଳେ ପ୍ରତିବାଦ ଜଣାଇଥିଲେ ନବବଧୂ ।
ଦେଢ଼ମାସ କାଳ ନିର୍ଯାତନା ପରେ କିଛି ଭଦ୍ରଲୋକେ ଏଥିରେ ହସ୍ତକ୍ଷେପ କରିଥିଲେ । ୧ ଲକ୍ଷ ବଦଳରେ ୫ ଲକ୍ଷ ଟଙ୍କା ଦେଲେ ନବବଧୂଙ୍କୁ ଅନ୍ୟତ୍ର ବିବାହ କରାଯାଇ ପାରିବ ବୋଲି ଭଦ୍ରଲୋକେ ମତ ଦେଇଥିଲେ । ହେଲେ ଶାଶୂଘର ଲୋକେ ଏଥିରେ ନାରାଜ୍ ହୋଇଥିଲେ ବୋଲି ପୀଡ଼ିତା କହିଛନ୍ତି । ବୁଧବାର ସ୍ୱାମୀ ସହ ଶାଶୂଘର ଲୋକେ ନବବଧୂଙ୍କୁ ମାଡ଼ ମାରି ଘରୁ ତଡ଼ି ଦେଇଥିଲେ । ଏହାପରେ ନବବଧୂ ଜଣକ ଚାଲି ଚାଲି କୋଣାର୍କ ଥାକୁ ଆସି ଧାରଣା ଦେଇଛନ୍ତି । ମୋ ଶାଶୂଘର ଲୋକଙ୍କୁ ବୁଝାଇ ମୋତେ ସ୍ୱାମୀଙ୍କ ପାଖକୁ ପଠାଇଦିଅ ବୋଲି ପୁଲିସ ପାଖରେ ନବବଧୂ ଜଣକ ନେହୁରା ହୋଇଛନ୍ତି । ପୁଲିସ ଶାଶୂଘର ଲୋକଙ୍କୁ ଡକାଇଥିଲେ ବି ରାତି ସୁଧା କେହି ଥାନାକୁ ଆସିନଥିବା ଜଣାପଡ଼ିଛି ।
[ad_2]