ଦୁବାଇରୁ ୧୫ ଦାଦନ ଶ୍ରମିକ ଗାଁକୁ ଫେରିଲେ – Ibnodisha

[ad_1]
ଖଲ୍ଲିକୋଟ: ଖଲ୍ଲିକୋଟ ଅଞ୍ଚଳର ୧୫ ଜଣ ଦାଦନ ଶ୍ରମିକ ଦୁବାଇରେ ନିର୍ଯାତନାର ଶିକାର ହୋଇ ଫସି ରହିଥିବା ବେଳେ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେଠାରୁ ଉଦ୍ଧାର କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ । ଏ ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଓଡ଼ିଶା ମୋ ପରିବାର ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଥିଲା । ଓଡ଼ିଶା ପରିବାର ପକ୍ଷରୁ ଓଏସଡି ପ୍ରୀତିଶ ପଣ୍ଡା ଓ ଲକ୍ଷ୍ମୀଧର ବେହେରା ଦୁବାଇରେ ଫସି ରହିଥିବା ଶ୍ରମିକଙ୍କ ସହ ଯୋଗାଯୋଗ କରିଥିଲେ ।
ଓଡ଼ିଶା ସରକାରଙ୍କ ଉଦ୍ୟମ କ୍ରମେ ଗତ ୩୧ ତାରିଖରେ ୮ ଜଣ ଶ୍ରମିକ ଓଡ଼ିଶା ଫେରିଥିବା ବେଳେ ଆଜି ଆଉ ୭ ଜଣ ଶ୍ରମିକ ଗାଁକୁ ଫେରିଛନ୍ତି । ଶ୍ରମିକମାନେ ଦୁବାଇରୁ ଆସି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ସେମାନଙ୍କୁ ଓଡ଼ିଶା ପରିବାର ପକ୍ଷରୁ ଓ ଏସଡି ପ୍ରୀତିଶ ପଣ୍ଡା ଓ ଲକ୍ଷ୍ମୀଧର ବେହେରା ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହାପରେ ସେମାନେ ନିଜ ନିଜର ଗାଁକୁ ଯାଇଥିଲେ ।
ସୂଚନା ଯୋଗ୍ୟ ଯେ, ଖଲ୍ଲିକୋଟ ବ୍ଲକର ତେନ୍ତୁଳିଆ, କୈଠଡା, ବାକୁଟୁ ଗାଁ, ଲଂଗଳେଶ୍ୱର ଓ ଗଞ୍ଜାମ ବ୍ଲକ ପାଲୁରୁ ଗ୍ରାମର ୨୦ ଜଣ ବ୍ୟକ୍ତି ଗତ ୧୦ ମାସ ତଳେ ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇ ଯାଇଥିଲେ । ଲଙ୍ଗଳେଶ୍ୱର ଓ ବାକୁଟୁ ଗାଁର ଦୁଇ ଜଣ ଠିକାଦାର ଜଣ ପିଛା ଏକ ଲକ୍ଷ ଦଶ ହଜାର ଟଙ୍କା ନେଇ ସେମାନଙ୍କୁ ଦୁବାଇ ପଠାଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ୨୦ ଜଣ ବ୍ୟକ୍ତିଙ୍କୁ ମାସିକ ୩୫ ହଜାର ଟଙ୍କା ପାରିଶ୍ରମିକ ମିଳିବାର ପ୍ରତିଶ୍ରୁତି ଦେଇ ଶ୍ରମିକ ଭାବେ କାମ କରିବା ପାଇଁ ଦୁବାଇର ଏକ ଘରୋଇ କମ୍ପାନୀ ୱାଟ ଅଲୁରକୁ ଠିକାଦାର ପଠେଇ ଥିଲେ ବୋଲି ଅଭିଯୋଗ ହୋଇଥିଲା ।
ତେବେ ସେଠାରେ କାମ କରିବା ପରେ କମ୍ପାନୀ ଠିକ ଭାବେ ପାରିଶ୍ରମିକ ଦେଉ ନ ଥିଲା । ଚାରି ମାସରେ ଗୋଟିଏ ମାସର ଟଙ୍କା ଦେଉଥିଲା । ଅତ୍ୟନ୍ତ ନିମ୍ନମାନର ଖାଇବା ଦେଉଥିଲା । ଟଙ୍କା ମାଗିଲେ କମ୍ପାନୀ କର୍ତ୍ତୃପକ୍ଷ ନିର୍ଯାତନା ଦେଉଛନ୍ତି ବୋଲି ଶ୍ରମିକ ମାନେ ଭିଡିଓରେ ଅଭିଯୋଗ କରିଥିଲେ । ସେମାନେ ଗ୍ରାମକୁ ଫେରିବାକୁ ଚାହିଁଲେ ମଧ୍ୟ ସେମାନଙ୍କୁ କମ୍ପାନୀ ଛାଡୁ ନ ଥିଲା ।
ତେବେ ୪ ଜଣ ଶ୍ରମିକ ଗାଁକୁ ଫେରିବା ପରେ ନିର୍ଯାତନା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ । ସମସ୍ତ ବିଷୟ ଜାଣିବା ପରେ ଉକ୍ତ ଦୁଇ ଠିକାଦାରଙ୍କୁ ବାନ୍ଧିବା ସହ ଦୁବାଇରେ ଫସି ରହିଥିବା ୧୫ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ସେମାନଙ୍କ ପରିବାର ଲୋକେ ଭେଜିପୁଟ ପୋଲିସ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ।
[ad_2]




