ଇସିଆଇ ଟିମ୍ ସଦସ୍ୟଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ; ତାଲିକାରୁ ୩.୪୫ ଲକ୍ଷ ମୃତ ଭୋଟରଙ୍କ ନାମ କାଟ୍ – Ibnodisha

[ad_1]
ଭୁବନେଶ୍ୱର: ବୁଥ୍ସ୍ତରୀୟ ଅଧିକାରୀଙ୍କ ଦ୍ୱାରା ନିକଟ ଅତୀତରେ ଘରକୁ ଘର ବୁଲି କରାଯାଇଥିବା ସର୍ଭେରୁ ଓଡ଼ିଶାରେ ୩ ଲକ୍ଷ ୪୫ ହଜାର ମୃତ ଭୋଟରଙ୍କ ନାମ ତାଲିକାରେ ଥିବା ଜଣାପଡ଼ିଛି । ସେଥିପାଇଁ ତୁରନ୍ତ ଏମାନଙ୍କ ନାମ ଭୋଟର୍ ତାଲିକାରୁ ବାଦ୍ ଦେବାକୁ ହେବ । ସେହିପରି ଶତ ପ୍ରତିଶତ ଭୋଟ୍ ଦାନ ଉପରେ ଫୋକସ୍ କରିବା ସହ ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ କରିବାକୁ ପଡ଼ିବ ।
ଓଡ଼ିଶା ଗସ୍ତରେ ଥିବା ଇସିଆଇ ଟିମ୍ ଜିଲ୍ଲାପାଳମାନଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି । ବୁଧବାର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ଜିଲ୍ଲାପାଳମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ନିର୍ବାଚନ ଆୟୋଗଙ୍କ ତରଫରୁ ବରିଷ୍ଠ ଡେପୁଟି ନିର୍ବାଚନ କମିଶନର ଧର୍ମେନ୍ଦ୍ର ଶର୍ମା, ସିନିଅର ଡିଇସି ନୀତେଶ ବ୍ୟାସ୍ ଓ ଡେପୁଟି ନିର୍ବାଚନ କମିଶନର ମନୋଜ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାୱାରୀ ଭୋଟର୍ ତାଲିକା ପ୍ରସ୍ତୁତି ଓ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଥିଲେ ।
ଜିଲ୍ଲାପାଳଙ୍କୁ ଇସିଆଇ ସଦସ୍ୟମାନେ କହିଛନ୍ତି ଯେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମୟରେ ଜଣେ ହେଲେ ବି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି, ସେଥିପ୍ରତି ସଜାଗ୍ ରହିବାକୁ ପଡ଼ିବ । ସେହିପରି ମୃତ ଭୋଟରଙ୍କ ନାମ ତାଲିକାରୁ ବାଦ୍ ଦେବା ସହିତ ଗୋଟିଏ ନିର୍ବାଚନ ମଣ୍ଡଳୀରୁ ଅନ୍ୟ ଗୋଟିଏ ନିର୍ବାଚନ ମଣ୍ଡଳୀକୁ ସ୍ଥାନାନ୍ତର ହେଲେ ଭୋଟର୍ମାନଙ୍କୁ ନିର୍ଦ୍ଧାରିତ ଫର୍ମରେ ଆବେଦନ କରି ବୁଥ୍ସ୍ତରୀୟ ଅଧିକାରୀଙ୍କ ଜରିଆରେ ଦାଖଲ କରିବାକୁ ସଚେତନ କରିବାକୁ ପଡ଼ିବ । ଭୋଟର୍ମାନେ ନିଜେ ଭୋଟର୍ ହେଲପ୍ଲାଇନ୍ ଆପ୍ କିମ୍ବା ଏନ୍ଭିଏସ୍ପି ପୋର୍ଟାଲରେ ଅନ୍ଲାଇନ୍ ମାଧ୍ୟମରେ ଘରେ ରହି ତାଲିକାରେ ନାମ ଯୋଗ, ତାଲିକାରୁ ନାମ ବାଦ୍ଦେବା, ସ୍ଥାନାନ୍ତର ଓ ତ୍ରୁଟି ସଂଶୋଧନ କରିପାରିବେ । ଏହାଦ୍ୱାରା ସଠିକ୍ ଓ ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ସମ୍ଭବ ହେବ ।
ଇସିଆଇ ଟିମ୍ ସଦସ୍ୟ ପୁଣି କହିଛନ୍ତି ଯେ ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ଯୋଗ୍ୟ ଭୋଟରମାନଙ୍କୁ ଫଟୋ ଭୋଟର ପରିଚୟ ପତ୍ର ରେଜେଷ୍ଟ୍ରି ଡାକ ଯୋଗେ ଯୋଗାଇ ଦେବାକୁ ପଡ଼ିବ । ଏନେଇ ଜିଲ୍ଲା ନିର୍ବାଚନ ଅଧିକାରୀମାନେ ବିଶେଷ ଦୃଷ୍ଟି ଦେବାକୁ ହେବ । ଶତ ପ୍ରତିଶତ ଭୋଟ୍ ଦାନ କିପରି ହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ସେମାନେ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ସମୀକ୍ଷା ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳ, ରାଜସ୍ୱ କମିଶନର, ନିର୍ବାଚନ ଆୟୋଗଙ୍କ ବରିଷ୍ଠ ଅଧିକାରୀ ରାକେଶ କୁମାର, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ସଂଘମିତ୍ରା ଶତପଥୀ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ, ଅର୍ଥ ପରାମର୍ଶଦାତା ତଥା ଯୁଗ୍ମ ସଚିବ ସଂଜୟ କୁମାର ଲୁଗୁନ୍, ଉପମୁଖ୍ୟ ନିର୍ବାଚନ ଅଧିକାରୀ ଲକ୍ଷ୍ମୀପ୍ରସାଦ ସାହୁ ଓ ପଦ୍ମଜା ଦାଶଙ୍କ ସମେତ ନିର୍ବାଚନ କାର୍ଯ୍ୟାଳୟର ବରିଷ୍ଠ ଅଧିକାରୀ ଓ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।
[ad_2]