ରାଜନୀତି

କ୍ୟାମ୍ପସ୍‌ରୁ ବାହାରିବେନି ଭବିଷ୍ୟତ ନେତା: ବାଟ ଓଗାଳିଲେ ସରକାର – Ibnodisha

[ad_1]

କ୍ୟାମ୍ପସ୍ କେବଳ ଡାକ୍ତର, ଇଞ୍ଜିନିୟର୍‌, ପ୍ରଶାସକ ଗଢ଼େନି। ରାଜନେତାଙ୍କୁ ବି ତିଆରି କରେ। କ୍ୟାମ୍ପସ୍‌ରେ ରାଜନୀତିର ଖଡ଼ି ଛୁଇଁଥିବା ବହୁ ଛାତ୍ର ଭବିଷ୍ୟତରେ ସଫଳ ରାଜନେତା ପାଲଟିଛନ୍ତି। ରାଜ୍ୟ ତଥା ଦେଶର ଶାସନର ଡୋରି ଧରି ଅନେକ ଯୁଗାନ୍ତକାରୀ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ ଆମ ରାଜ୍ୟରେ ଭବିଷ୍ୟତ ନେତା ତିଆରି ପ୍ରକ୍ରିୟାରେ ବାଟ ଓଗାଳିଛନ୍ତି ଖୋଦ୍ ସରକାର। ବିଭିନ୍ନ ଆଳ ଦେଖାଇ ଛଅ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନକୁ ବନ୍ଦ କରିଦେଇଛନ୍ତି। କାହିଁକି ନିର୍ବାଚନ ବନ୍ଦ କରାଗଲା, ତାହାର ଠୋସ୍‌ ଉତ୍ତର ସରକାରଙ୍କ ପାଖରେ ନାହିଁ। ସରକାରଙ୍କର ଏହା ଏକ ଅଦୂରଦର୍ଶୀ ନିଷ୍ପତ୍ତି ବୋଲି ମତ ଦେଇଛନ୍ତି ବହୁ ସଚେତନ ନାଗରିକ ତଥା ବୁଦ୍ଧିଜୀବୀ। ସରକାର ଷଡ଼ଯନ୍ତ୍ର କରି ଶିକ୍ଷିତ ଓ ଦକ୍ଷ ରାଜନେତା ତିଆରି କରିବାକୁ ଚାହୁନାହାନ୍ତି ବୋଲି ଆରୋପ ଲଗାଇଛନ୍ତି। ସବୁଠାରୁ ବିଡ଼ମ୍ବନାର ବିଷୟ ହେଲା ଯେ ବର୍ତ୍ତମାନ ଶାସକ ଦଳର ବହୁ ରାଜନେତା ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିଲେ ବି ଏବେ ସେମାନେ ନିରବ। ବିଭିନ୍ନ ଅଞ୍ଚଳରେ ଛାତ୍ର ନେତାରୁ ରାଜନେତା ପାଲଟିଥିବା କିଛି ବ୍ୟକ୍ତିଙ୍କୁ ନେଇ ଏହି ସ୍ବତନ୍ତ୍ର ଉପସ୍ଥାପନା।

ବ୍ରହ୍ମପୁର: ରାଜ୍ୟ ରାଜନୀତିରେ ଗଞ୍ଜାମ ଜିଲ୍ଲାର ଏକ ସ୍ବତନ୍ତ୍ର ସ୍ଥାନ ରହିଛି।ଜିଲ୍ଲାରେ ଏବେ ଯେତେଜଣ ଆଗଧାଡ଼ିର ନେତା ରହିଛନ୍ତି, ସମସ୍ତେ ଛାତ୍ର ରାଜନୀତିରୁ ଆସିଛନ୍ତି। ସେମାନଙ୍କ ମଧ୍ୟରେ ସ୍ବର୍ଗତ ସୂର୍ଯ୍ୟନାରାୟଣ ପାତ୍ର, ସାଂସଦ ଚନ୍ଦ୍ରଶେଖର ସାହୁ ଓ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ଅନ୍ୟତମ। ୨୦୧୭ରୁ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ଛାତ୍ରନେତୃତ୍ବର କଣ୍ଠରୋଧ କରୁଛନ୍ତି ବୋଲି ବିଭିନ୍ନ ଛାତ୍ର ସଂଗଠନ ତରଫରୁ ମତ ପ୍ରକାଶ ପାଇଛି। ଫଳରେ ଭବିଷ୍ୟତରେ ଦ୍ବିତୀୟ ସୂର୍ଯ୍ୟ, ଚନ୍ଦ୍ର ଓ ରାମଙ୍କ ଭଳି ନେତା ଆଉ ସୃଷ୍ଟି ହୋଇ ପାରିବେ ନାହିଁ ବୋଲି ଆଲୋଚନା ହେଲାଣି।

ପୂର୍ବତନ ବାଚସ୍ପତି ସ୍ବର୍ଗତ ସୂର୍ଯ୍ୟନାରାୟଣ ଗାନ୍ଧୀନଗର ବାରାକ୍ସ ହାଇସ୍କୁଲରୁ ହାଇସ୍କୁଲ ଶିକ୍ଷା ସମାପ୍ତ କରିଥିଲେ। ଖଲ୍ଲିକୋଟ କଲେଜରେ ପାଠପଢ଼ି ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ। ସତୁରୀ ଦଶକରେ ସେ ଛାତ୍ର ସଂସଦର ସମ୍ପାଦକ ହୋଇଥିଲେ।। କଲେଜ ଶିକ୍ଷା ପରେ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିଲେ। ୧୯୭୭ରେ ସେ ବ୍ରହ୍ମପୁର ପୌରପାଳିକା କାଉନ୍‌ସିଲର୍‌ ଭାବେ ନିର୍ବାଚିତ ହୋଇ ରାଜନୈତିକ କ୍ୟାରିୟର୍‌ ଆରମ୍ଭ କରିଥିଲେ। ସ୍ବର୍ଗତ ସୂର୍ଯ୍ୟନାରାୟଣ ମୋହନା ଓ ଦିଗପହଣ୍ଡି ନିର୍ବାଚନମଣ୍ଡଳୀରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ ୧୨ଥର ବିଭିନ୍ନ ମନ୍ତ୍ରୀ ପଦରେ ରହି ଶେଷରେ ବାଚସ୍ପତି ଆସନ ଅଳଂକୃତ କରିଥିଲେ। ଛାତ୍ର ରାଜନୀତିରୁ ହିଁ ଆରମ୍ଭ ହୋଇଥିଲା ସ୍ବର୍ଗତ ପାତ୍ରଙ୍କ ଲମ୍ବା ରାଜନୈତିକ କ୍ୟାରିୟର୍‌। ସେହିପରି ପ୍ରତ୍ୟକ୍ଷ ଛାତ୍ର ରାଜନୀତିରୁ ଆସିଥିବା ଅନ୍ୟତମ ନେତା ହେଉଛନ୍ତି ବ୍ରହ୍ମପୁର ସାଂସଦ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର। ସେ ଖଲ୍ଲିକୋଟ କଲେଜରେ ପାଠ ପଢ଼ୁଥିବା ବେଳେ ଛାତ୍ର ରାଜନୀତିରେ ଯୋଗ ଦେଇଥିଲେ। ୧୯୬୯ରେ ଛାତ୍ର ସଂସଦର ସାଧାରଣ ସମ୍ପାଦକ ଓ ୧୯୭୧-୭୨ରେ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ ଆଇନ ପାଠ ପଢ଼ିବା ସମୟରେ ୧୯୭୨-୭୩ରେ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ସେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ‌ଷ୍ଟୁଡେଣ୍ଟ୍‌ କାଉନ୍‌ସିଲ୍‌ର ସଦସ୍ୟ ଭାବେ ୧୯୭୧-୭୨ ଏବଂ ୧୯୭୨-୭୩ରେ ରହିଥିଲେ। ୧୯୭୯ରେ ବ୍ରହ୍ମପୁର ପୌରପାଳିକା କାଉନ୍‌ସିଲର୍‌ ଭାବେ ନିର୍ବାଚିତ ହୋଇ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। କାଉନ୍‌ସିଲର୍‌ ପରେ ୧୯୯୨ରେ ହୋଇଥିବା ପ୍ରତ୍ୟକ୍ଷ ନିର୍ବାଚନରେ ବ୍ରହ୍ମପୁର ପୌରାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସରୁ ବ୍ରହ୍ମପୁର ଲୋକସଭା ଆସନରୁ ଜିତି ସେ ୨୦୦୪ରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ।

ଛାତ୍ର ରାଜନୀତିରୁ ଆସିଥିବା ଗଞ୍ଜାମ ଜିଲ୍ଲାର ଅନ୍ୟତମ ଜଣାଶୁଣା ନେତା ହେଉଛନ୍ତି ଶ୍ରୀ ପଣ୍ଡା। ସେ ସ୍ବର୍ଗତ ପାତ୍ରଙ୍କ ସମସାମୟିକ। ଏକାସାଙ୍ଗରେ ଉଭୟେ ଛାତ୍ର ରାଜନୀତିରେ ପାଦ ଦେଇଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଆନ୍ଦୋଳନରେ ଉଭୟେ ସାମିଲ ହୋଇଥିଲେ। ଶ୍ରୀ ପଣ୍ଡା ବର୍ତ୍ତମାନ ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ଉପଦେଷ୍ଟା ଦାୟିତ୍ବରେ ରହିଛନ୍ତି। ସେହିପରି ୨୦୦୦ରୁ ୨୦୦୪ ପର୍ଯ୍ୟନ୍ତ ସେ ଛତ୍ରପୁର ବିଧାୟକ ଭାବେ ନିର୍ବାଚିତ ହୋଇ ଓଡ଼ିଶା ବିଧାନସଭାର ଉପବାଚସ୍ପତି ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଛନ୍ତି। କେବଳ ଏହି ତିନିଜଣ ନୁହଁନ୍ତି, ୨୦୦୯ରୁ ବିଭିନ୍ନ ବିଭାଗର ମନ୍ତ୍ରୀ ରହିଥିବା ବର୍ତ୍ତମାନର ଅର୍ଥମନ୍ତ୍ରୀ ତଥା ଭଞ୍ଜନଗରରୁ ଲଗାତାର ୬ଥର ବିଧାୟକ ଓ ବାଚସ୍ପତି ମଧ୍ୟ ଥିବା ବିକ୍ରମ କେଶରୀ ଆରୁଖ, ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ.ପ୍ରଦୀପ ପାଣିଗ୍ରାହୀ, ବର୍ତ୍ତମାନ ବ୍ରହ୍ମପୁର ବିଧାୟକ ଥିବା ବିକ୍ରମ ପଣ୍ଡା, ସିପିଏମ୍‌ ରାଜ୍ୟ ସଂପାଦକ ଅଳିକିଶୋର ପଟ୍ଟନାୟକଙ୍କ ଭଳି ନେତା ଛାତ୍ର ରାଜନୀତିରୁ ହିଁ ସୃଷ୍ଟି ହୋଇଥିଲେ, ଯେଉଁମାନେ ଆଜି ରାଜ୍ୟ ରାଜନୀତିରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛନ୍ତି।

ଜଗତସିଂହପୁର: କ୍ୟାମ୍ପସ୍ ପାଲଟିଥିଲା ନେତା ଗଢ଼ା କାରଖାନା

ଜଗତସିଂହପୁର: ରାଜ୍ୟ ରାଜନୀତିରେ ଜଗତସିଂହପୁରର ସ୍ଥାନ ସର୍ବଦା ସ୍ବତନ୍ତ୍ର ରହି ଆସିଛି। ଗୁରୁତ୍ବପୂର୍ଣ୍ଣ କଥା ହେଲା ଯେଉଁ ରାଜନେତାମାନେ ଏଯାଏ ଜିଲ୍ଲା ଅଥବା ରାଜ୍ୟ ରାଜନୀତିରେ ନିଜ ନେତୃତ୍ବ ଜାହିର କରିପାରିଛନ୍ତି, ସେମାନେ ଛାତ୍ର ଜୀବନରୁ ହିଁ ରାଜନୀତି ସହ ସମ୍ପୃକ୍ତ ରହି ଆସିଛନ୍ତି। ଜିଲ୍ଲାରେ ଜଣେ ଚର୍ଚ୍ଚିତ ରାଜନେତା ଥିଲେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ବିଷ୍ଣୁ ଚରଣ ଦାସ। ୭୦ ଦଶକରେ ବିଷ୍ଣୁ ଏସ୍‌ଭିଏମ୍ କଲେଜ୍‌ରେ ତିନି ତିନି ଥର ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ନଜରକୁ ଆସିବା ପରେ ରାଜ୍ୟ ରାଜନୀତି ମଇଦାନରେ ପାଦ ରଖିଥିଲେ। ପରେ ପରେ ସେ ଛଅ ଥର ବିଧାୟକ, ଥରେ ରାଜ୍ୟସଭା ସାଂସଦ ଓ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିଥିଲେ। ଗଣଶିକ୍ଷା ବିଭାଗର ମନ୍ତ୍ରୀ ମଧ୍ୟ ହୋଇଥିଲେ।

ସେହିଭଳି ଶାସକ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ରାଜନୈତିକ କ୍ୟାରିୟର ମଧ୍ୟ ଛାତ୍ର ରାଜନୀତିରୁ ଆରମ୍ଭ ହୋଇଛି। ପ୍ରଶାନ୍ତ ଛାତ୍ର ସଂସଦ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଏହାପରେ ସେ ଲଗାତର ଭାବେ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ରାଜ୍ୟ ରାଜନୀତିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ବିଧାୟକ ରଘୁନନ୍ଦନ ଦାସ ଛାତ୍ର ସଂସଦ ନିର୍ବାଚନରେ ହାରିଥିଲେ ବି ଛାତ୍ର ରାଜନୀତିରୁ ଆସି ଆଜି ଜଣେ ସଫଳ ରାଜନେତା ହୋଇପାରିଛନ୍ତି। ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ରାଜ୍ୟ ମନ୍ତ୍ରିମଣ୍ତଳରେ ସ୍ଥାନ ମିଳିଥିଲା। ଏହି ନେତାମାନଙ୍କୁ ବାଦ୍‌ ଦେଲେ ପୂର୍ବତନ ବିଧାୟକ ଜ୍ୟୋତିଷ ଦାସ ମଧ୍ୟ ଏସ୍‌ଭିଏମ୍‌ କଲେଜ ଛାତ୍ର ସଂସଦର ସଭାପତି ଥିଲେ। ପୂର୍ବତନ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ର ଦାସ ଛାତ୍ର ରାଜନୀତିରୁ କ୍ୟାରିୟର୍‌ ଆରମ୍ଭ କରି ସଫଳ ହେବା ସହ ଆଜି ରାଜ୍ୟର ଜଣେ ଚର୍ଚ୍ଚିତ ରାଜନେତା ଭାବେ ଉଭା ହୋଇପାରିଛନ୍ତି। ଏହାସହ ଜଗତସିଂହପୁର ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ବିପ୍ଲବ ଚୌଧୁରୀ ଏସ୍‌ଭିଏମ୍ କଲେଜ୍‌ ଛାତ୍ର ସଂସଦର ଉଭୟ ସଭାପତି ଓ ଉପସଭାପତି ହେବାର ସୁଯୋଗ ପାଇଛନ୍ତି। ଛାତ୍ର ରାଜନୀତିରୁ ଆସିଥିବା ବର୍ତ୍ତମାନ କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ, ବିଷ୍ଣୁ ବାରିକ, ବିଜେପି ନେତା ପ୍ରତାପ ମିଶ୍ର, ଅଭୟ ସାହୁ, ମଧୁସୂଦନ ସାହୁଙ୍କ ଭଳି ନେତାମାନଙ୍କର ଲମ୍ବା ତାଲିକା ରହିଛି। କିନ୍ତୁ ଛାତ୍ର ସଂସଦ ନିର୍ବାଚନ ବନ୍ଦ ଯୋଗୁଁ ବିକଳ୍ପ ନେତୃତ୍ବ ସଂକଟ ବଢିବାରେ ଲାଗିଛି।

 



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button