IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସାବଧାନ! ଖାଇବା ଲୁଣରେ ମିଶୁଛି ପ୍ଲାଷ୍ଟିକ୍‌, ଜାଣନ୍ତୁ ପୁରା ଘଟଣା

ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ହେଉଛି ସତ । ମାଇକ୍ରୋପ୍ଲାଷ୍ଟିକ୍‌ ଭାରତରେ ବିକ୍ରୟ ହେଉଥିବା ଅଧିକାଂଶ ଖାଇବା ଲୁଣରେ ମିଶିଛି । ଏହି ପ୍ଲାଷ୍ଟିକ୍‌ ପ୍ରଦୂଷିତ ସମୁଦ୍ର ପାଣିରୁ ଆସି ଲୁଣରେ ମିଶୁଛି । ଏ କଥା ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି- ବମ୍ବେର ଗବେଷକମାନେ ଜାଣିବାକୁ ପାଇଛନ୍ତି ।

ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲଜି- ବମ୍ବେର ସେଣ୍ଟର୍‌ ଫର୍‌ ଏନ୍‌ଭାଇରମେଣ୍ଟାଲ୍‌ ସାଇନ୍‌ସ୍‌ ଆଣ୍ଡ୍‌ ଇଞ୍ଜିନିୟରିଙ୍ଗ୍‌ର ଏକ ଦୁଇଜଣିଆ ଟିମ୍‌ ଭାରତର ଜନପ୍ରିୟ ଲୁଣ ବ୍ରାଣ୍ଡ୍‌ର ନମୁନାରୁ ପ୍ରାୟ ୬୨୬ଟି ମାଇକ୍ରୋ ପ୍ଲାଷ୍ଟିକ୍‌ କଣିକା ପାଇଛନ୍ତି। ଏହି ପ୍ଲାଷ୍ଟିକ୍‌ କଣିକାଗୁଡ଼ିକରୁ ୬୩% ହେଉଛି ପ୍ଲାଷ୍ଟିକ୍‌ ଖଣ୍ଡ ଏବଂ ୩୭% ହେଉଛି ପ୍ଲାଷ୍ଟିକ୍‌ ତନ୍ତୁ।

 

ସମୁଦ୍ର ପାଣିରୁ ଲୁଣ ମାରିବା କି, ଲୁଣ ତିଆରି ପ୍ରକ୍ରିୟା କାରଣରୁ ନୁହେଁ ବରଂ ପ୍ଲାଷ୍ଟିକ୍‌ ଆବର୍ଜନାରେ ସମୁଦ୍ର ପାଣି ପ୍ରଦୂଷିତ ହୋଇଥିବାରୁ ଲୁଣରେ ସୂକ୍ଷ୍ମ ପ୍ଲାଷ୍ଟିକ୍‌ କଣିକା ମିଶିଥିବା କଥା ଆଇଆଇଟି-ବି ଗବେଷକମାନେ କହିଛନ୍ତି।

 

ଆମେରିକାର ନେସ୍‌ନାଲ୍‌ ଓସେନିକ୍‌ ଆଣ୍ଡ୍‌ ଆଟ୍‌ମୋସ୍ଫିୟରିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ୫ ମିଲିମିଟର୍‌ରୁ କମ୍‌ ଆକାରର ପ୍ଲାଷ୍ଟିକ୍‌ କଣିକାକୁ ମାଇକ୍ରୋପ୍ଲାଷ୍ଟିକ୍‌ ଶ୍ରେଣୀଭୁକ୍ତ କରିଛି। ସମୁଦ୍ର ମଧ୍ୟରେ ଜମା ହେଉଥିବା ବଡ଼ ବଡ଼ ପ୍ଲାଷ୍ଟିକ୍‌ ଖଣ୍ଡ କ୍ରମେ ଭାଙ୍ଗିରୁଜି ଛୋଟ ଛୋଟ ହେବା ପରେ ମାଇକ୍ରୋପ୍ଲାଷ୍ଟିକ୍‌ରେ ପରିଣତ ହେଉଛି ଏବଂ ଲୁଗାପଟା ଧୋଇବାବେଳେ ମାଇକ୍ରୋଫାଇବର ବା ଅତି କ୍ଷୁଦ୍ର କୃତ୍ରିମ ତନ୍ତୁ ବାହାରି ପାଣିରେ ମିଶିଥାଏ। ମାଇକ୍ରୋପ୍ଲାଷ୍ଟିକ୍‌ ଓ ମାଇକ୍ରୋଫାଇବର୍‌ ସମୁଦ୍ର ଖାଦ୍ୟ ଏବଂ ଲୁଣ ଦ୍ୱାରା ଆମ ଖାଦ୍ୟ ମଧ୍ୟରେ ମିଶୁଛି।

 

୨୦୧୪ରେ ପବ୍ଲିକ୍‌ ଲାଇବ୍ରେରି ଅଫ୍‌ ସାଇନ୍‌ସ୍‌ ଜର୍ଣ୍ଣାଲ୍‌ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ବିଶ୍ୱର ସମୁଦ୍ରରେ ପ୍ରାୟ ୫ ଟ୍ରିଲିୟନ୍‌ରୁ ଅଧିକ ପରିମାଣର ପ୍ଲାଷ୍ଟିକ୍‌ ଭାସୁଛି। କେତେକ ଦେଶର ଲୁଣରେ ପ୍ଲାଷ୍ଟିକ୍‌ ରହୁଛି ବୋଲି ବୈଜ୍ଞାନିକମାନେ ରେକର୍ଡ କରିଛନ୍ତି। ଭାରତ ହେଉଛି ବିଶ୍ୱରେ ତୃତୀୟ-ବୃହତ୍‌ ଲୁଣ ଉତ୍ପାଦନକାରୀ ଦେଶ। ୨୦୧୭ରେ ଭାରତ ପ୍ରାୟ ୨୬ ମିଲିୟନ୍‌ ମେଟ୍ରିକ୍‌ ଟନ୍‌ ଖାଇବା ଲୁଣ ଓ ଶିଳ୍ପ ନିନ୍ତେ ଆବଶ୍ୟକ ଲବଣ ଉତ୍ପାଦନ କରିଛି । ଚୀନ୍‌ ଉତ୍ପାଦନ କରିଛି ୬୮ ମିଲିୟନ୍‌ ଟନ୍‌ ଏବଂ ଆମେରିକାର ଲୁଣ ଉତ୍ପାଦନ ୪୩ ମିଲିୟନ୍‌ ଟନ୍‌।

 

ଜଣେ ପ୍ରାପ୍ତ ବୟସ୍କ ଦୈନିକ ୫ ଗ୍ରାମ୍‌ ଲୁଣ ଖାଇବା ଉଚିତ ଏବଂ ସେହି ଅନୁସାରେ ହିସାବ କଲେ ଜଣେ ବର୍ଷକୁ ଲୁଣ ସହିତ ୧୧୭ ମାଇକ୍ରୋଗ୍ରାମ୍‌ ପ୍ଲାଷ୍ଟିକ କଣିକା ଖାଉଛି। ଏହି ମାତ୍ରାରେ ପ୍ଲାଷ୍ଟିକ୍‌ ଖାଇବା ଦ୍ୱାରା ଶରୀର ଉପରେ କି, ପ୍ରଭାବ ପଡ଼ିବ ତାହା ଜଣାପଡ଼ି ନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button