ନିଜ୍ଜର ହତ୍ୟାକାଣ୍ଡରେ ଭାରତୀୟ କୂଟନୀତିଜ୍ଞ ସାମିଲ ଅଭିଯୋଗ; କାନାଡା ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ଝଡ଼ – Ibnodisha

[ad_1]
ନୂଆଦିଲ୍ଲୀ : ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜରଙ୍କ ହତ୍ୟା ଘଟଣାକୁ ନେଇ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିସ ଟ୍ରୁଡୁ ବିବାଦୀୟ ବୟାନ ଦେବାପରେ ଭାରତ-କାନାଡା ସମ୍ପର୍କ ତିକ୍ତ ହୋଇପଡିଛି । ମଙ୍ଗଳବାର କାନାଡା ସରକାର ଜଣେ ବରିଷ୍ଠ ଭାରତୀୟ କୂଟନୀତିଜ୍ଞଙ୍କୁ ବହିଷ୍କାର କରିବାପରେ ଭାରତ ପକ୍ଷରୁ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଭାରତ ସରକାର ମଧ୍ୟ ନୂଆଦିଲ୍ଲୀରେ ଅବସ୍ଥାପିତ କାନାଡାର ଜଣେ ବରିଷ୍ଠ କୂଟନୀତିଜ୍ଞଙ୍କୁ ୫ ଦିନ ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।
କାନାଡା ସରକାର ବହିଷ୍କୃତ ଭାରତୀୟ କୂଟନୀତିଜ୍ଞଙ୍କ ନାମ ସାର୍ବଜନୀନ କରିନଥିଲେ ସୁଦ୍ଧା ସଂପୃକ୍ତ କୂଟନୀତିଜ୍ଞ କାନାଡାସ୍ଥିତ ଭାରତୀୟ ଦୂତାବାସରେ ରିସର୍ଚ୍ଚ ଆଣ୍ଡ୍ ଆନାଲିସିସ୍ ୱିଙ୍ଗ୍ ମୁଖ୍ୟଭାବେ କାର୍ଯ୍ୟ କରୁଥିବା ଜଣାପଡିଛି । ସୂଚନାଯୋଗ୍ୟ କାନାଡା ବର୍ତ୍ତମାନ ଖଲିସ୍ତାନ ଆନ୍ଦୋଳନର ନାଭିକେନ୍ଦ୍ର ପାଲଟିଥିବାବେଳେ ଟ୍ରୁଡୁ ସରକାର ସେମାନଙ୍କୁ ସବୁପ୍ରକାର ସହଯୋଗ କରିଆସୁଛନ୍ତି । ଏପରିକି ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀ ଅବସରରେ ମଧ୍ୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର କାନାଡା ପ୍ରତିପକ୍ଷଙ୍କ ସହ ଆଲୋଚନା କାଳରେ ଏହି ପ୍ରସଙ୍ଗ ଉତ୍ଥାପନ କରି ଭାରତର ଉଗ୍ବେଗ ସମ୍ପର୍କରେ ଅବଗତ କରାଇଥିଲେ । ତେବେ ସ୍ୱଦେଶ ଫେରିବାର କିଛିଦିନ ପରେ ଟ୍ରୁଡୁ କହିଛନ୍ତି ଯେ ଚଳିତବର୍ଷ ଜୁନ୍ରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜ୍ଜରଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ଜଣେ ଭାରତୀୟ କୂଟନୀତିଜ୍ଞଙ୍କ ପ୍ରଚ୍ଛନ୍ନ ହାତ ରହିଛି ।
କାନାଡା ମାଟିରେ କାନାଡାର ଜଣେ ନାଗରିକଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ବିଦେଶୀ ସରକାରଙ୍କ ଷଡଯନ୍ତ୍ରକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ମଧ୍ୟ ଟ୍ରୁଡୁ କହିଛନ୍ତି । ଏହାଦ୍ୱାରା କାନାଡାର ସାର୍ବଭୌମତ୍ୱ ଉପରେ ଆଞ୍ଚ ଆସିଥିବା ସେ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଟ୍ରୁଡୁଙ୍କ ଏଭଳି ବିବାଦୀୟ ବୟାନରେ ଆମେରିକା ଓ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ କହିଛନ୍ତି ଯେ ଠୋସ୍ ପ୍ରମାଣ ବିନା ଭାରତ ବିରୋଧରେ ଏଭଳି ଅଭିଯୋଗ ଆଣିବା ଅଯୁକ୍ତିକର । ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲ୍ବାନିସ ମଧ୍ୟ ଟ୍ରୁଡୁଙ୍କ ବୟାନକୁ ସମାଲୋଚନା କରିଛନ୍ତି ।
ସଦ୍ୟ ସୂଚନା ଅନୁଯାୟୀ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାପରେ ଟ୍ରୁଡୁ ନିଜର ବୟାନ ବଦଳାଇଛନ୍ତି । ଆମେ ଏହି ପ୍ରସଙ୍ଗକୁ ଅଧିକ ସମ୍ବେଦନଶୀଳ କରିବାକୁ ଚାହୁଁନାହୁଁ ବରଂ ଭାରତ ସରକାରଙ୍କ ସହ ଆଲୋଚନା କରି ସମାଧାନର ବାଟ ବାହାର କରିବାକୁ ଉଦ୍ୟମ କରୁଛୁ ବୋଲି ଟ୍ରୁଡୁ କହିଛନ୍ତି ।
୪୬ ବର୍ଷୀୟ ନିଜ୍ଜର କାନାଡା ଅଧିବାସୀ ହୋଇଥିବାବେଳେ ‘ଖଲିସ୍ତାନୀ ଟାଇଗର ଫୋର୍ସ’ର ମୁଖ୍ୟ ଏବଂ ‘ଶିଖ୍ ଫର୍ ଜଷ୍ଟିସ’ ସଂଗଠନର କାନାଡା ଶାଖା ଅଧ୍ୟକ୍ଷଭାବେ କାର୍ଯ୍ୟ କରୁଥିଲା । ପଞ୍ଜାବର ଜଳନ୍ଧର ସହରରେ ଜନ୍ମିତ ନିଜ୍ଜର ୧୯୯୭ରେ ଭାରତ ଛାଡି କାନାଡା ପଳାଇଥିଲା । ନିଜ୍ଜର ବିରୋଧରେ ଭାରତରେ ବିଭିନ୍ନ ଅପରାଧିକ ମାମଲା ବିଚାରାଧୀନ ରହିଥିବାବେଳେ ତା ନେତୃତ୍ୱରେ କାନାଡାସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ବିକ୍ଷୋଭଠାରୁ ଆରମ୍ଭ କରି ଦୂତାବାସ ଉପରେ ଆକ୍ରମଣ ଘଟଣା ମଧ୍ୟ ଦେଖିବାକୁ ମିଳିଛି ।
ଭାରତ ସରକାରଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ କାନାଡା ସରକାର ଖଲିସ୍ତାନୀ ସଂଗଠନ ସଦସ୍ୟଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଗତବର୍ଷ ଜୁଲାଇରେ ଏନ୍ଆଇଏ ପକ୍ଷରୁ ନିଜ୍ଜର ବିରୋଧରେ ୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ନିଜ୍ଜର ୨୦୧୩-୧୪ରେ ପାକିସ୍ତାନ ଗସ୍ତକରି ସେଠାରେ ଆଶ୍ରୟ ନେଇଥିବା ‘ଖଲିସ୍ତାନ ଟାଇଗର ଫୋର୍ସ’ ନେତା ଜଗ୍ତାର ସିଂହ ତାରାଙ୍କ ସମେତ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇର କେତେକ ଅଧିକାରୀଙ୍କୁ ଭେଟିଥିଲା ।
[ad_2]