IBN ଓଡ଼ିଶା ବ୍ୟୁରୋ

ସଡ଼କ ସୁରକ୍ଷା, ଜୀବନ ରକ୍ଷା – Ibnodisha

[ad_1]

ନିରଞ୍ଜନ ବିଶ୍ୱାଳ, ବିଜ୍ଞାନ ଶିକ୍ଷକ (ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, କଞ୍ଚଣା) :  ୨୦୨୧ ବର୍ଷ ମଧ୍ୟରେ ଭାରତରେ ପ୍ରାୟତଃ ୪.୧୨ ଲକ୍ଷ ସଡ଼କ ଦୁର୍ଘଟଣା ହୋଇଅଛି, ଯାହାଦ୍ଵାରା ୧,୫୩,୯୭୨ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩.୮୪ ଲକ୍ଷ୍ୟରୁ ଅଧିକ ଲୋକ ଆଘାତପ୍ରାପ୍ତ ହୋଇଛନ୍ତି। ଏହି ସଂଖ୍ୟା ଦର୍ଶାଉଛି ଯେ ଭାରତର ପ୍ରତ୍ୟେକ ମିନିଟ୍ ରେ ଗୋଟିଏ ସଡ଼କ ଦୁର୍ଘଟଣା ହୋଇଥାଏ ଏବଂ ପ୍ରତ୍ୟେକ ୪ମିନିଟ୍ ରେ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥାଏ। ସଡ଼କ ଦୁର୍ଘଟଣା ବିଭିନ୍ନ କାରଣରୁ ହୋଇଥାଏ। ବହୁତ ଦୃତଗତିରେ ବାହାନ ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା, ଲାଲ୍ ବତୀକୁ ଲଙ୍ଘିବା, ହେଲମେଟ ବା ସିଟ୍ ବେଲ୍ଟ ଭଳି ସୁରକ୍ଷା ସାଧନକୁ ଉପେକ୍ଷା କରିବା, ବାହାନ ଚଳାଇବା ସମୟରେ ଖାଇବା ବା ପିଇବା, ମୋବାଇଲ୍ ରେ କଥାହେବା , ସଡ଼କଉପରେ ହଠାତ୍ ପଶୁମାନେ ପଶିଯିବା ବା ଧାଇଁବା ଟ୍ରାଫିକ ନିୟମ ନ ମାନିବା ଇତ୍ୟାଦି କାରଣରୁ ସଡ଼କଦୁର୍ଘଟଣାରେ ବହୁମୂଲ୍ୟ ଜୀବନହାନି ହୋଇଥାଏ । ଟ୍ରାଫିକ ନିୟମାବଳୀରେ ସଡ଼କ ଚିହ୍ନ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ଏହା ସଡକର ଅବସ୍ଥା ବିଷୟରେ ଚାଳକ ତଥା ଯାତାୟାତକାରି ମାନଙ୍କୁ ଧାରଣା ଦେଇଥାଏ। ସାଧାରଣ ଭୂଲ୍ ମାନ ସୁଧାରିବା ପାଇଁ ନିଜେ ଯତ୍ନଶୀଳ ନିହାତି ହେବା ଦରକାର।

ଏହାଦ୍ବାରା ଆମେ ବହୁମାତ୍ରାରେ ସଡ଼କ ଦୁର୍ଘଟଣା କମାଇ ପାରିବା। ସେଗୁଡିକ ହେଲା ଗାଡି ଚଳେଇବା ସମୟରେ ନିଦ୍ରା ଆସୁଥିଲେ ରହିଯିବା ବା ବିଶ୍ରାମ ନେବା,ଲମ୍ବା ଯାତ୍ରା କରିବାକୁ ଥିଲେ ପୂର୍ବରୁ ପର୍ଯ୍ୟାପ୍ତ ବିଶ୍ରାମ ନେବା, ଗାଡ଼ି ଚଲେଇବା ସମୟରେ କେବଳ ନିଜ ଯାତ୍ରା ଉପରେ ହଁ ଧ୍ୟାନ କରିବା, ଡ୍ରାଇଭିଂ ସମୟରେ ମୋବାଇଲ୍ ରେ କଥା ନ ହେବା, ବର୍ଷା ବା କୁହୁଡି ସମୟର ଯାନର ଗତି କମ୍ କରିବା, ଅନ୍ୟ ବାହାନ ଓ ନିଜ ବାହାନ ମଧ୍ୟରେ ଉଚିତ୍ ବ୍ୟବଧାନ ରଖିବା, ପ୍ରତି ସପ୍ତାହରେ ଗାଡ଼ିର ରକ୍ଷଣାବେକ୍ଷଣ ଯାଞ୍ଚ କରିବା ଇତ୍ୟାଦି ନିୟମମାନ ମାନି ଚଳିବାକୁ ହେବ। ପଦଯାତ୍ରୀମାନେ ମଧ୍ୟ ସାମ୍ନା ଦିଗରୁ ଆସୁଥିବା ଯାନବାହାନକୁ ଦେଖି ଚାଲିବା ଉଚିତ । ଯେଉଁଠାରେ ଗାଡ଼ିଚାଳକ ରାସ୍ତା ଦେଖିପାରୁ ନଥିବେ, ସେହିଭଳି ସ୍ଥାନରେ ରାସ୍ତାକୁ ଅତିକ୍ରମ କରନ୍ତୁ ନାହିଁ। ସର୍ବଦା ପିଲାମାନଙ୍କ ସହ ସଡ଼କ ଅତିକ୍ରମ କରିବା ସମୟରେ ତାଙ୍କର ହାତ ଜୋର୍ କରି ଧରି ରଖିବା ଉଚିତ। ସକାଳେ ପାଦରେ ଚାଲିବା ଏବଂ ଦୌଡ଼ିବା ପାଇଁ ସଡ଼କକୁ ବ୍ୟବହାର କରିବା ଅନୁଚିତ ଅଟେ। ସଡ଼କ ଅତିକ୍ରମ କରିବା ସମୟରେ ନଜର ରଖିବା ପାଈଁ ସବୁଦିଗ ଆଡ଼କୁ ଧ୍ୟାନ ଦେବା ଉଚିତ। ପ୍ରତ୍ୟେକ ଥର ସଡ଼କ ଅତିକ୍ରମ କରିବା ସମୟରେ ସର୍ବଦା ଅଟକିବା,ଦେଖିବା ଏବଂ ଚିନ୍ତା କରିବା ନିୟମକୁ ଅନୁସରଣ କଲେ କିଛି ଅସୁବିଧା ହେବନାହିଁ। କୁହୁଡି ସମୟର ମଧ୍ୟ ଅଧିକ ସଡ଼କ ଦୁର୍ଘଟଣା ହେବାର ଉଦାହରଣ ରହିଛି। ଏହି ଅବସ୍ଥା ଉପୁଜିଲେ ପ୍ରଥମେ ଗାଡିର ଗତିକୁ କମ୍ କରିବା ଏବଂ ହେଡ୍ ଲାଇଟ୍ କୁ ଅନ୍ କରିବା। ସର୍ବଦା ହେଡ଼ଲାଇଟ୍ କୁ ତଳ ବିମ୍ ରେ ରଖିବା ଯାହାଦ୍ଵାରା ଆପଣ ସଡ଼କକୁ ଲକ୍ଷ କରିପାରିବେ। କୌଣସି ଉଚ୍ଚ ପାହାଡ ଉପରେ ଯାତାୟାତ କରିବାକୁ ହେଲେ, ପ୍ରଥମେ ଆସୁଥିବା କିମ୍ବା ଯାଉଥିବା ଅନ୍ୟ ବାହାନକୁ ରାସ୍ତା ଦେଇଦେବା ଠିକ୍ ହେବ।

ମୋଡ଼, ବୁଲାଣି ଏବଂ ପୋଲ ଆଦି ସ୍ଥାନରେ ଓଭର୍ ଟେକ୍ କରିବା ନାହିଁ। ମୋଡ଼ କିମ୍ବା ବୁଲାଣି ଥିଲେ ସର୍ବଦା ହର୍ଣ ବଜେଇବା ଠିକ୍। ରାତ୍ରୀରେ ମଧ୍ୟ ଯାତାୟାତ କରୁଥିଲେ ଧୀର ଗତିରେ ଯିବା। ରାତ୍ରି ସମୟରେ ରାସ୍ତା ଉପରେ କେବେ ବି ବାହାନ ଛିଡ଼ା କରିବା ନାହିଁ। ଜଣେ ଭଲ ବାହାନ ଚାଳକ ହିସାବରେ ପ୍ରଥମେ ନିଜ ଗତି ଉପରେ ଧ୍ୟାନ ରଖିବା, ନିଜର ଧର୍ଯ୍ୟ ରଖିବା, ଅନ୍ୟ ଗାଡିଚାଳକ ବା ବ୍ୟକ୍ତିଙ୍କୁ ସମୟ ଏବଂ ସ୍ଥାନ ଦେବା, ଅନ୍ୟ ଗାଡି ଚାଳକ ଭୁଲ୍ କରିବା ପୂର୍ବରୁ ନିଜକୁ ପ୍ରସ୍ତୁତ ରଖିବା, ଆମ୍ବୁଲାନ୍ସ କୁ ବାଟ ଛାଡ଼ିବା ଏବଂ ନିଜର ଡ୍ରାଇଭିଂ ବା ଯାତାୟାତ ଉପରେ ଧ୍ୟାନ କେନ୍ଦ୍ରିତ କରି ରଖିବା ଉଚିତ।

ଗାଡ଼ିଚାଳକ କେଉଁ ପ୍ରମାଣପତ୍ର ରଖିବେ?

ଜଣେ ଗାଡିଚାଳକ ସର୍ବଦା ନିମ୍ନଲିଖିତ ପ୍ରମାଣପତ୍ର ସାଙ୍ଗରେ ରଖିବା ଉଚିତ।

କ) ଡ୍ରାଇଭିଂ ଲାଇସେନ୍ସ

ଖ) ଶୁଳ୍କର ପ୍ରମାଣପତ୍ର

ଗ) ରେଜିଷ୍ଟ୍ରିକରଣର ପ୍ରମାଣପତ୍ର

ଘ) ବିମାର ପ୍ରମାଣପତ୍ର

e) ସ୍ବାସ୍ଥ୍ୟ ପ୍ରମାଣପତ୍ର

ଚ) ପ୍ରଦୂଷଣ ନିୟନ୍ତ୍ରଣର ପ୍ରମାଣପତ୍ର

ଜଣେ ଗାଡିଚାଳକ ସଡ଼କର ନିୟମାବଳୀ ଉଲଘଂନ କଲେ ମୋଟରଯାନ (ସଂଶୋଧନ) ଅଧିନିୟମ ୨୦୧୯ଅନୁଯାୟୀ ନିମ୍ନଲିଖିତ ଦଣ୍ଡର ବ୍ୟବସ୍ଥା ରହିଛି। ଲାଇସେନ୍ସ ବିନା ଚଳାଇଲେ ଅନୁଛେଦ ୧୮୧ ଅନୁଯାୟୀ ୫୦୦୦ ଟଙ୍କାର ଜୋରିମାନା ଏବଂ/କିମ୍ବା ୩ମାସ ପର୍ଯ୍ୟନ୍ତ କାରାବାସ, ମଦ୍ୟପାନ କରି ଗାଡି ଚଳାଇଲେ ଅନୁଛେଦ ୧୮୫ ଅନୁଯାୟୀ ପ୍ରଥମ ଥର ଅପରାଧ କଲେ ୧୦୦୦୦ ଟଙ୍କା ଜୋରିମାନା ଏବଂ/କିମ୍ବା ୬ମାସ ପର୍ଯ୍ୟନ୍ତ କାରାବାସ, ଦ୍ଵିତୀୟ ଥର ଅପରାଧ କଲେ ୧୫୦୦୦ ଟଙ୍କାର ଜୋରିମାନା ଏବଂ/କିମ୍ୱା ୨ ବର୍ଷ ପର୍ଯ୍ୟନ୍ତ କାରାବାସ, ହେଲମେଟ ନ ପିନ୍ଧି ଗାଡ଼ି ଚଳାଇଲେ ଅନୁଛେଦ ୧୯୪ଘ ଅନୁଯାୟୀ ୧୦୦୦ ଟଙ୍କାର ଜୋରିମନା ଏବଂ ୩ମାସ ପାଇଁ ଲାଇସେନ୍ସ ରଖିବାର ଆଯୋଗ୍ୟତା, ବିନା ବିମାରେ ଗାଡ଼ି ଚଳାଇଲେ ଅନୁଛେଦ ୧୯୬ ଅନୁଯାୟୀ ପ୍ରଥମ ଅପରାଧରେ ୨୦୦୦ ଟଙ୍କା ଜୋରିମନା ଏବଂ/କିମ୍ବା ୩ମାସ ପର୍ଯ୍ୟନ୍ତ କାରାବାସ, ଦ୍ଵିତୀୟ ଅପରାଧରେ ୪୦୦୦ ଟଙ୍କା ଜୋରିମାନା ଏବଂ/କିମ୍ବା ୩ ମାସ ପର୍ଯ୍ୟନ୍ତ କାରାବାସ ହେବାର ଇତ୍ୟାଦି ଦଣ୍ଡବିଧାନମାନ ରହିଛି ।

ତେଣୁ ଆମେ ସମସ୍ତେ ଉପଯୁକ୍ତ ସଡ଼କ ଚିହ୍ନ , ସଡ଼କ ସୁରକ୍ଷା ନିୟମାବଳୀ, ଟ୍ରାଫିକ ସଂକେତ ମାନିକରି ଗାଡ଼ି ଚଳାଇବା ଏବଂ ଯାତାୟାତ କରିବା । ଏହାଦ୍ବାରା ନିଜର ତଥା ଅନ୍ୟମାନଙ୍କର ବହୁମୂଲ୍ୟ ଜୀବନ ସୁରକ୍ଷିତ ହୋଇପାରିବ ଏବଂ ଏକ ସଚେତନ ସମାଜ ନିର୍ମାଣ ହୋଇପାରିବ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button