IBN ଓଡ଼ିଶା ବ୍ୟୁରୋ

କାହିଁକି ହୁଏ ବରେନ ଷ୍ଟ୍ରୋକ ବା ପାରାଲିସିସ, ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା- Dr Pradyut Ranjan Bhuyan

ଷ୍ଟ୍ରୋକ ଏପରି ଏକ ରୋଗ ଯେଉଁଥିରେ ଶରୀର କୌଣସି ଏକ ପାର୍ଶ୍ୱ କାର୍ଯ୍ୟ କରିବା ବନ୍ଦ କରିଦିଏ, କଥା କହିବାରେ ଅସୁବିଧା ହୁଏ, ବେଳେ ବେଳେ ଆଖିକୁ ଦେଖା ଯାଏ ନାହିଁ ଓ ହଠାତ୍ ଭାରସାମ୍ୟ ରଖିବାରେ ମଧ୍ୟ ସମସ୍ୟା ହୋଇଥାଏ ।

ଏହି ସବୁ ହେଉଛି ଷ୍ଟ୍ରୋକର ଲକ୍ଷଣ । ତେବେ ଷ୍ଟ୍ରୋକ ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍ । ସଠିକ୍ ସମୟରେ ଚିକିତ୍ସା କଲେ ଏହି ରୋଗରୁ ସୁସ୍ଥତା ମିଳିପାରିବ । ଲୋକଙ୍କ ଧାରଣା ରହିଛି ଯେ ଥରେ ଷ୍ଟ୍ରୋକ ହେଲା ପରେ ଆଗକୁ ବିଶେଷ କିଛି ସ୍ବାସ୍ଥ୍ଯୋନ୍ନତି ହେବାର ସମ୍ଭାବନା ନାହିଁ । ମାତ୍ର ଏହା ଭୁଲ୍ ଧାରଣ ଅଟେ । ଷ୍ଟ୍ରୋକ ହେବାର ୪ ଘଣ୍ଟା ମଧ୍ୟରେ ଚିକିତ୍ସା କଲେ ଅନେକ ମାତ୍ରାରେ ପଙ୍ଗୁ ହେବାକୁ ରୋକା ଯାଇ ପାରିବ ବା ସମ୍ପୂର୍ଣ୍ଣ ସୁସ୍ଥତା ମଧ୍ୟ ପାଇ ହେବ । ତେବେ ଷ୍ଟ୍ରୋକ ହେବାର ଅନେକ ଗୁଡ଼ିଏ କାରଣ ରହିଛି ।

ସେହୁଗୁଡ଼ିକ ହେଲା, ଡାଇବେଟିସ, ଉଚ୍ଚ ରକ୍ତଚାପ, କୋଲେଷ୍ଟେରୋଲ ସମସ୍ୟା, ଧୁମ୍ରପାନ, ମେଦ ବହୁଳତା, ଆଳସ୍ୟମୟ ଜୀବନ ଓ ନିୟମିତ ମଦ୍ୟପାନ ଆଦି । ଠିକ୍ ଭାବେ ଏହି ସବୁର ଚିକିତ୍ସା ଏବଂ ବଦଭ୍ୟାସ ଛାଡ଼ିବା ଦ୍ଵାରା ଷ୍ଟ୍ରୋକକୁ ନିୟନ୍ତ୍ରଣ କରା ଯାଇ ହେବ । ତେବେ ଷ୍ଟ୍ରୋକ ହୋଇଥିବା ରୋଗୀ ହସ୍ପିଟାଲରୁ ଘରକୁ ଗଲା ପରେ ମଧ୍ୟ ଅନେକ ଗୁଡ଼ିଏ ନିୟମ ମାନିବା ଆବଶ୍ୟକ ରହିଛି ।

ଡାକ୍ତରଙ୍କ ପରାମର୍ଶରେ ନିୟମିତ ଓଷଧ ସେବନ କରିବା, ନିୟମିତ ଡାଇବେଟିସ ଓ ରକ୍ତଚାପ ପରୀକ୍ଷା କରିବା, ରକ୍ତ ଶର୍କରା ଓ ରକ୍ତଚାପ ଅଧିକ ଥିଲେ ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା, କୋଲେଷ୍ଟେରୋଲ୍ ଅଧିକ ଥିଲେ ତା ପାଇଁ ମଧ୍ୟ ଔଷଧ ଖାଇବା, ରକ୍ତ ପତଳା ହେବା ପାଇଁ ଡାକ୍ତର ଦେଇଥିବା ଔଷଧ ନିୟମିତ ଖାଇବା ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ନିୟମିତ ବ୍ୟବଧାନରେ ଡାକ୍ତରଙ୍କୁ ଦେଖା କରିବା ଆଦି ଆବଶ୍ୟକ ଅଟେ ।

ଏହି ପ୍ରକାରେ ଷ୍ଟ୍ରୋକ ରୋଗୀ ପ୍ରତ୍ୟେକ ଜିନିଷ ଧ୍ୟାନରେ ରଖି ନିଜର ଯତ୍ନ ନେବା ଉଚିତ୍ । କାରଣ ଯେତେ ଅଧିକ ଯତ୍ନବାନ ହେବେ ସ୍ବାସ୍ଥ୍ୟରେ ସେତେ ଅଧିକ ଉନ୍ନତି ପରିଲକ୍ଷିତ ହେବ । ଅନେକ କ୍ଷେତ୍ରରେ ଷ୍ଟ୍ରୋକ ରୋଗୀ କଥା କହି ପାରନ୍ତି ନାହିଁ, ନିଜେ ଚାଲି ପାରନ୍ତି ନାହିଁ, ଝାଡା ପରିସ୍ରା ମଧ୍ୟ ଜାଣି ପାରନ୍ତି ନାହିଁ ।

ତେବେ ଏପରି ରୋଗୀ ମାନଙ୍କୁ ନିୟମିତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଫିଜିଓଥେରାପି ଓ ସ୍ପିଚ୍ ଥେରାପି ଆଦି ଦେବା ଆବଶ୍ୟକ ରହିଛି ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ରୋଗୀକୁ ମାନସିକ ଚାପ ଓ ବିଷାଦ ଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ରୋଗୀ ସହ ବାରମ୍ବାର କଥା ହେବା, ତାଙ୍କୁ ସାନ୍ତ୍ଵନା ଦେବା ଆଦି ଅନେକ ମାତ୍ରାରେ ରୋଗୀକୁ ସୁସ୍ଥ ହେବାରେ ଓ ମନକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।

ତେଣୁ ପରିବାର ଲୋକଙ୍କ ଭୂମିକା ମଧ୍ୟ ରୋଗୀ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ସମସ୍ତଙ୍କର ଧାରଣା ରହିଛି ଏହି ରୋଗୀମାନେ ଆଉ ସୁସ୍ଥ ହୋଇ ପାରନ୍ତିନି । ମାତ୍ର ଏପରି ଭାବିବା ସମ୍ପୂର୍ଣ୍ଣ ଭୁଲ୍ ଅଟେ । କାରଣ ସ୍ନାୟୁଗତ ରୋଗ ସୁସ୍ଥ ହେବା ପାଇଁ ଅନ୍ୟ ରୋଗ ଅପେକ୍ଷା ଟିକେ ଅଧିକ ସମୟ ନିଏ । ଏଥିପାଇଁ ଧୈର୍ଯ୍ୟର ସହ ଚିକିତ୍ସା କରିବା ଏବଂ ସକାରାତ୍ମକ ମନୋଭାବ ରଖିବା ଉଚିତ୍ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button