IBN ଓଡ଼ିଶା ବ୍ୟୁରୋ
ବଳକା ଇଡ୍ଲିରେ ଘରେ ପ୍ରସ୍ତୁତ କରନ୍ତୁ ଚଟ୍ପଟା ଇଡ୍ଲି ଚାଟ୍

ଘରେ ସାଧାରଣତଃ ଏକ ପୁଷ୍ଟିକର ଖାଦ୍ୟ ଭାବେ ଇଡ୍ଲି ଖିଆଯାଏ। ବେଳେ ବେଳେ ଆମେ ଅଧିକ ଇଡ୍ଲି ବନାଇ ଦେଇଥାଉ, ଯାହାକୁ ଖାଇପାରିନଥାଉ। ଏଭଳି ସ୍ଥିତିରେ ବଳକା ଇଡ୍ଲିକୁ କ’ଣ କରାଯିବ ଭାବି ମହିଳାମାନେ ଚିନ୍ତିତ ହୋଇଥାନ୍ତି। ତେବେ ଆଜି ଆମେ ଆପଣଙ୍କୁ ବଳକା ଇଡ୍ଲିରେ ପ୍ରସ୍ତୁତ ଏକ ଚଟ୍ପଟା ଆଇଟମ୍ ଇଡ୍ଲି ଚାଟ୍ ବିଷୟରେ କହିବାକୁ ଯାଉଛୁ। ଯାହା ପାଟିକୁ ଟେଷ୍ଟି ଲାଗିବା ସହ ଶରୀର ପାଇଁ ମଧ୍ୟ ହେଲ୍ଦି ହୋଇଥାଏ। ଖାସ୍ କରି ଛୋଟ ଛୁଆଙ୍କୁ ଏହି ଆଇଟମ୍ ଖୁବ୍ ପସନ୍ଦ ଆସିବ। ଆସନ୍ତୁ ଜାଣିବା ଇଡ୍ଲି ଚାଟ୍ର ପ୍ରସ୍ତୁତି ପ୍ରଣାଳୀ…

ଆବଶ୍ୟକୀୟ ସାମଗ୍ରୀ:
୫ଟି ଇଡ୍ଲି
୧ ଚାମଚ କଶ୍ମୀରୀ ଲଙ୍କାଗୁଣ୍ଡ
୧/୪ ଚାମଚ ଲୁଣ
୧ କପ୍ ଦହି
୨ଟି କଞ୍ଚା ଲଙ୍କା
କିଛି ଧନିଆ ପତ୍ର
ଭୃସଙ୍ଗ ପତ୍ର
୧ ଚାମଚ ଚାଉଳ ଗୁଣ୍ଡ
ଅଧ ଚାମଚ ହେଙ୍ଗୁ
ଅଧ କପ୍ ପାଣି
ଅଧ କପ୍ କୋରା ନଡ଼ିଆ
୧ ଇଞ୍ଚ ଅଦା
୧/୪ ଚାମଚ ସୋରିଷ
୨ଟି ପିଆଜ

ପ୍ରସ୍ତୁତି ପ୍ରଣାଳୀ:
- ଇଡ୍ଲିକୁ ଛୋଟ ଛୋଟ ଖଣ୍ଡରେ ବର୍ଗାକାର ଆକାରରେ କାଟନ୍ତୁ।
- ଏବେ ଚାଉଳ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ, ଲୁଣ ଓ ପାଣି ମିଶାଇ ଏକ ପତଳା ଘୋଳ ତିଆରି କରନ୍ତୁ।
- ବର୍ତ୍ତମାନ ମଧ୍ୟମ ଆଞ୍ଚରେ ଏକ କଡ଼େଇ ବସାଇ ନଡ଼ିଆ ତେଲକୁ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ କଟା ଇଡ୍ଲିକୁ ଘୋଳରେ ବୁଡ଼ାଇ ଛାଣନ୍ତୁ। ଇଡ୍ଲିର ରଙ୍ଗ୍ ଲାଲ୍ ହୋଇଗଲେ ତାକୁ ଏକ ଶୁଖିଲା ପାତ୍ରରେ କାଢ଼ି ଅଲଗା ରଖନ୍ତୁ।
- ଏବେ ନଡ଼ିଆ, କଞ୍ଚା ଲଙ୍କା, ଅଦା, ଧନିଆ ପତ୍ର ଓ ଲୁଣକୁ ଏକାଠି ମିଶାଇ ଚଟଣି ପ୍ରସ୍ତୁତ କରନ୍ତୁ। ଏବେ ଏଥିରେ ଦୁଇଚାମଚ ଦହି ମିଶାଇ ଟେଷ୍ଟି ଚଟଣି ତିଆରି କରନ୍ତୁ।
- ବର୍ତ୍ତମାନ ମଧ୍ୟମ ଆଞ୍ଚରେ ଏକ ପ୍ୟାନ୍ ଗରମ କରି ଟିକେ ନଡ଼ିଆ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କିଛି ସୋରିଷ ଫୁଟାନ୍ତୁ। ସୋରିଷ ଫୁଟିବା ପରେ କିଛି ବିରି ଡାଲି ନେଇ ସେଥିରେ ପକାନ୍ତୁ। ଏହା ଭାଜି ହୋଇଗଲେ ତେଲରେ କିଛି କଞ୍ଚା କଟା ପିଆଜ, ଅଦା ଓ କଞ୍ଚା ଲଙ୍କା ପକାନ୍ତୁ। ଏବେ ଗ୍ୟାସ୍ ବନ୍ଦ କରିଦିଅନ୍ତୁ। ବର୍ତ୍ତମାନ ଏଥିରେ ଏକ ଚିମୁଟା ହେଙ୍ଗୁ ପକାନ୍ତୁ।
- ଏବେ ଏକ ବଡ଼ ପାତ୍ରରେ ଇଡଲିକୁ ରଖି ତା ଉପରେ ଦହି ଚଟଣୀ ଓ ପିଆଜ୍ ଭଜା ପକାନ୍ତୁ। କଟା ଧନିଆ ପତ୍ର ଓ ଲଙ୍କାରେ ସଜାଇ ପରଷନ୍ତୁ ଇଡ୍ଲି ଚାଟ୍।




