ବିବାହ ପରେ କରନ୍ତୁ ନାହିଁ ଏହି ସବୁ ଭୁଲ୍, ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଆସିପାରେ ତିକ୍ତତା

ଉତ୍ତମ ଜୀବନସାଥୀ ମିଳିବା ସବୁ ଭାଗ୍ୟ ଉପରେ ନିର୍ଭର କରିଥାଏ। କିନ୍ତୁ ସମ୍ପର୍କକୁ ଠିକ୍ ଭାବେ ନିଭାଇବା ଏବଂ ଏଥିରେ ପ୍ରେମ, ଆକର୍ଷଣ ଓ ମଧୁରତା ବଜାୟ ରଖିବା ଖୋଦ୍ ସ୍ୱାମୀସ୍ତ୍ରୀଙ୍କ ହାତରେ ଥାଏ। ହେଲେ ଅନେକ କ୍ଷେତ୍ରରେ ଦେଖାଯାଇଛି, ବିବାହର କିଛି ବର୍ଷ ପରେ ସମ୍ପର୍କରେ ତିକ୍ତତା ଆସିବା ଆରମ୍ଭ ହୋଇଯାଏ। ଏପରି କି, ଛାଡ଼ପତ୍ର ପଯ୍ୟର୍ନ୍ତ ମଧ୍ୟ କଥା ଚାଲିଯାଏ। ଯଦି ଛାଡ଼ପତ୍ର ନ ହୁଏ, ସବୁବେଳେ ସ୍ୱାମୀସ୍ତ୍ରୀଙ୍କ ଭିତରେ ମନୋମାଳିନ୍ୟ ଲାଗିରହିଥାଏ, ଯାହାଫଳରେ ସାରାଜୀବନ ଦୁଃଖକୁ ଆପଣାଇ ନେବାକୁ ପଡ଼ିଥାଏ। ଆସନ୍ତୁ ଜାଣିବା ଏହି କାରଣଗୁଡ଼ିକୁ, ଯେଉଁଥିପାଇଁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ।
ସମାଜର ଦଖଲ
ଅନେକାଂଶରେ ଦେଖାଯାଏ, ଲୋକେ ନିଜ ପାର୍ଟନରଙ୍କ ବିଷୟରେ ସାଙ୍ଗସାଥି, ସମ୍ପର୍କୀୟଙ୍କୁ କହିବାରେ ଲାଗିଥାଆନ୍ତି। ଯେବେ ଆପଣ ତାଙ୍କ ବିରୋଧରେ ଅନ୍ୟ ଆଗରେ ଗପିବେ, ତା’ହେଲେ ତାଙ୍କ ବିଷୟରେ ଖରାପ ହିଁ ଶୁଣିବାକୁ ମିଳିବ, ଯାହାଫଳରେ ଆପଣଙ୍କ ଭାବନା ନକାରାତ୍ମକ ହୋଇଯିବ। ଆଉ ଏହି କାରଣରୁ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଯିବ।

ଜଣେ ଅନ୍ୟଜଣଙ୍କ ଭୁଲ୍ ବାହାର କରିବା
ପରସ୍ପର ମଧ୍ୟରେ ଝଗଡ଼ା ହେବା କୌଣସି ନୂଆ କଥା ନୁହେଁ। କିନ୍ତୁ ସବୁଥର ଝଗଡ଼ା ସମୟରେ ପଛ ଭୁଲ୍ଗୁଡ଼ିକୁ ଘାଣ୍ଟିଲେ, କେବେ ବି ଝଗଡ଼ା ବନ୍ଦ ହେବନି। ତେଣୁ ଭଲ ହେବ, ଆପଣ ପୁୁରୁଣା କଥା ଛାଡ଼ି ଆଗକୁ ବଢ଼ିବାକୁ ଚେଷ୍ଟା କରନ୍ତୁ।
ମୌନ ହୋଇଯିବା
ଯଦି ଜଣେ ଝଗଡ଼ା କରିବା ମୁଡ୍ରେ ଅଛି, ତା’ହେଲେ ଆଉ ଜଣଙ୍କୁ ଏହି ସମୟରେ ଚୁପ୍ ରହିବା ଦରକାର। କିନ୍ତୁ ଏହି ମୌନକୁ ଅଧିକ ଲମ୍ବା ସମୟ ଯାଏ ଟାଣନ୍ତୁ ନାହିଁ। ଯଦି ଦୁହେଁ ନିଜ ନିଜ ଭିତରେ କଥାବାର୍ତ୍ତା ବନ୍ଦ କରିଦେବେ, ତା’ହେଲେ ସମ୍ପର୍କ ଭାଙ୍ଗିିଯିବା ସ୍ୱାଭାବିକ୍ ଅଟେ।

ମା’-ବାପାଙ୍କ ବିରୋଧରେ କହିବା
କାହାକୁ ବି ନିଜ ମା’-ବାପାଙ୍କ ବିରୋଧରେ ଶୁଣିବା ଭଲ ଲାଗି ନ ଥାଏ। ଯଦି ସମ୍ପର୍କରେ ତିକ୍ତତା ଆଣିବାକୁ ଚାହୁଁ ନ ଥାଆନ୍ତି, ତା’ହେଲେ ଉଭୟ ଉଭୟଙ୍କ ଅଭିଭାବକଙ୍କ ପ୍ରତି ସମ୍ମାନ ଦେବାର ଭାବନା ରଖନ୍ତୁ।
ଅନ୍ୟ ସହ ତୁଳନା
ନିଜ ଜୀବନସାଥୀଙ୍କ ତୁଳନା ଆଉ କାହା ଜୀବନସାଥୀ ସହ କରନ୍ତୁ ନାହିଁ। ସବୁ ମଣିଷର ନିଜସ୍ୱ ସ୍ୱତନ୍ତ୍ରତା ରହିଛି। ହୋଇପାରେ, ଦୂରରୁ ଯେଉଁ ମଣିଷର ସ୍ୱଭାବ ଭଲ ଲାଗିଥାଏ, ପାଖରୁ ସେମିତି ନ ଲାଗି ନ ପାରେ।




