ପୁଣି ରାଜରାସ୍ତାକୁ ଓହ୍ଲାଇଲେ ସରପଞ୍ଚ: ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେ ନାହିଁ – Ibnodisha

[ad_1]
ଶଙ୍ଖ ଭବନରେ ଆଲୋଚନା ବିଫଳ; ସୋମବାର ମନ୍ତ୍ରୀ, ଅଧିକାରୀ କଥାହେବେ
ଭୁବନେଶ୍ବର: ବିଜୁ ପଟ୍ଟନାୟକ କହିଥିଲେ, ‘ଗ୍ରାମ ପଞ୍ଚାୟତ ହେଉଛି ଏକ ଛୋଟ ବିଧାନସଭା’। ଆଜି ପଞ୍ଚାୟତ ହେଉଛି କ୍ଷମତା ଶୂନ୍ୟ। ପ୍ରଶାସନ ଗ୍ରାମପଞ୍ଚାୟତର ସମସ୍ତ କ୍ଷମତା ନେଉଛି। ସରପଞ୍ଚମାନେ କେବଳ ରବର ଷ୍ଟାମ୍ପ ହୋଇ ବାଧ୍ୟରେ ଖାଲି ଦସ୍ତଖତ କରୁଛୁ। ସରପଞ୍ଚ ପଦ ଏବେ ଏକ ପ୍ରହସନରେ ପରିଣତ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସୁଥିବା ସରପଞ୍ଚମାନେ ଏଭଳି ଅଭିଯୋଗ କରିଛନ୍ତି।
ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅସାମ୍ବିଧାନିକ ଭାବେ କ୍ଷୁର୍ଣ୍ଣ କରାଯାଉଥିବା ଅଭିଯୋଗ କରି ବିଧାନସଭା ସମ୍ମୁଖରେ ରାଜ୍ୟ ସରପଞ୍ଚ ମହାସଂଘ ପକ୍ଷରୁ ଧାରଣା ଦିଆଯାଇଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ସହ ଏହି ଆନ୍ଦୋଳନ ଚାଲିବ ବୋଲି ମହାସଂଘ ଚେତାବନୀ ଦେଇଛି। ମହାସଂଘ ପକ୍ଷରୁ କୁହାଯାଇଛି ଯେ, ୧୫ ଦଫା ଦାବି ନେଇ ସରପଞ୍ଚମାନେ ମହାତ୍ମାଗାନ୍ଧୀ ମାର୍ଗରେ ସମାବେଶ କରିଥିଲେ। ଦାବି ପୂରଣ ନେଇ ସେମାନେ ସରକାରଙ୍କୁ ୭ ଦିନର ମହଲତ ଦେଇଥିଲେ। କିନ୍ତୁ ସରକାର କୌଣସି ପଦକ୍ଷେପ ନ ନେବାରୁ ସେମାନେ କାର୍ଯ୍ୟବନ୍ଦ କରିବା ସହିତ ବିଧାନସଭା ସମ୍ମୁଖରେ ଆନ୍ଦୋଳନରେ ବସିଛନ୍ତି। ଆଜି ସରକାରଙ୍କ ତରଫରୁ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ବରେ ଶଙ୍ଖଭବନରେ ମହାସଂଘର ପ୍ରତିନିଧି ମଣ୍ଡଳୀ ସହ ଆଲୋଚନା କରାଯାଇଥିଲା। ହେଲେ ଆଲୋଚନା ବିଫଳ ହୋଇଛି। ସୋମବାର ମନ୍ତ୍ରୀ ଓ ସଚିବ ସ୍ତରୀୟ ଆଲୋଚନା କରାଯିବ। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ସରପଞ୍ଚମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ମହାସଂଘ ସ୍ପଷ୍ଟ କରିଛି।
ସଂଘ ପକ୍ଷରୁ କରାଯାଇଥିବା ଦାବି ଗୁଡ଼ିକ ହେଲା, ପଞ୍ଚାୟତିରାଜ ବ୍ୟବସ୍ଥାରେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୁଗ୍ମ ସ୍ବାକ୍ଷରରେ ସବୁ ଯୋଜନାର ଅର୍ଥ ପୈଠ ହେଉଥିଲା। ହେଲେ ଗ୍ରାମପଞ୍ଚାୟତକୁ ୫୦ ଲକ୍ଷରୁ ଅଧିକ ଟଙ୍କା ଆସୁଥିଲେ ବିଡିଓ କାଉଣ୍ଟର ସାଇନ କରିବା ପାଇଁ ସରକାର ଚିଠି ନଂ ୪୩୧୪ ତାରିଖ ୧୭.୧.୨୦୨୦ ରେ ଦର୍ଶାଇଲେ। କିନ୍ତୁ ପ୍ରକୃତରେ ଗ୍ରାମ ପଞ୍ଚାୟତକୁ ସେତିକି ଟଙ୍କା ଆସୁ ନ ଥିବାରୁ ବିଡିଓଙ୍କ ସାଇନ ହଟାଯାଉ। ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ବ ଦିଆଯାଉ ଏବଂ ଭାରତ ସରକାର ଓ ଓଡ଼ିଶା ସରକାରଙ୍କର ସମସ୍ତ ଯୋଜନା ଉନ୍ନୟନ ମୂଳକ କାର୍ଯ୍ୟ ଓ ହିତାଧିକାରୀଙ୍କ ଚୟନ ଗ୍ରାମ ସଭା ମାଧ୍ୟମରେ ଅନୁମୋଦନ କରାଯାଉ। ସରପଞ୍ଚମାନଙ୍କ ସମ୍ମାନସୂଚକ ଭତ୍ତା ୨୩୫୦ରୁ ବୃଦ୍ଧି କରାଯାଇ ୩୦ ହଜାର କରାଯାଉ ଓ ଅବସରକାଳୀନ ଭତ୍ତା ୫ ହଜାର ଦିଆଯାଉ ପ୍ରମୁଖ ଦାବି ମହାସଂଘ ପକ୍ଷରୁ କରାଯାଇଛି। ଏହି ଆନ୍ଦୋଳନରେ ମହାସଂଘର ସଭାପତି ରୋମାଞ୍ଚ ସାହୁ, ସାଧାରଣ ସମ୍ପାଦକ ତପନ କୁମାର ଚକ୍ରବର୍ତ୍ତୀ, ବୀରବର ସାହୁ, ଜ୍ୟୋର୍ତିମୟୀ ଦେହୁରୀ, କ୍ଷୀରୋଦ କୁମାର ପ୍ରଧାନ, ବିଜୟ କୁମାର ସାହୁ, ସତ୍ୟ ନାରାୟଣ ପାଣି, ସୁବୋଧ ରଣା, ସୁଦର୍ଶନ କଅଁର, ଶ୍ରୀଶା ରଞ୍ଜନ ନାୟକ, ଜଗମୋହନ ପ୍ରଧାନ, ବିଷ୍ଣୁ ପାତ୍ର ପ୍ରମୁଖ ଆନ୍ଦୋଳନରେ ନେତୃତ୍ବ ନେଉଛନ୍ତି।
[ad_2]




