ମହାପ୍ରଭୁଙ୍କ ସହ ଖେଳ: ମଳିନ ପଡ଼ିଲାଣି ଶ୍ରୀମୁଖ – Ibnodisha
[ad_1]
ପୁରୀ: ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ପୁଣିଥରେ ବିବାଦ ଦେଖାଦେଇଛି। ନୀଳାଦ୍ରି ବିଜେ ଭଳି ଚଳିତ ଭାଦ୍ରବ ମାସରେ ବି ବନକଲାଗି ନୀତିରେ ଅହେତୁକ ବିଳମ୍ବ ଦେଖିବାକୁ ମିଳିଛି। ଶେଷ ଥର ଅଗଷ୍ଟ ୨୭ ତାରିଖରେ ବନକଲାଗି ହୋଇଥିଲା। ଇତିମଧ୍ୟରେ ମାସେ ପୂରିବାକୁ ବସିଥିଲେ ବି ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ହୋଇପାରିନି। ନୀଳାଦ୍ରି ବିଜେ ବେଳେ ଯେଉଁ ଦତ୍ତ ମହାପାତ୍ର ସେବକମାନେ ପ୍ରତି ଗୁରୁବାର ବନକଲାଗି କରିବାକୁ ଅଡ଼ି ବସିଥିଲେ, ସେମାନେ ବି ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି। ପୂର୍ବରୁ ଖୋଲାଖୋଲି ଏଭଳି ଅବ୍ୟବସ୍ଥାକୁ ବିରୋଧ କରୁଥିବା ଦତ୍ତ ମହାପାତ୍ର ସେବକ କାର୍ଯ୍ୟାନୁଷ୍ଠାନ ଚାପରେ ସ୍ବତ୍ବଲିପି ଭଙ୍ଗ ବ୍ୟବସ୍ଥାକୁ ବି ଗ୍ରହଣ କରିନେବାକୁ ଶ୍ରେୟ ମଣିଛନ୍ତି ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ଭକ୍ତଙ୍କୁ ଆନ୍ଦୋଳିତ କରୁଥିବା ପ୍ରସଙ୍ଗଟି ହେଉଛି ଯେ ମହାପ୍ରଭୁଙ୍କ ଶ୍ରୀମୁଖ ମଳିନ ପଡ଼ିଲାଣି। ଶ୍ରୀମନ୍ଦିର ପ୍ରଶାସନ ହେଉ କି ଦତ୍ତ ମହାପାତ୍ର ସେବକ, ମହାପ୍ରଭୁଙ୍କ ବନକଲାଗି ପାଇଁ କାହିଁକି ଏତେ ସମ୍ବେଦନହୀନ ହୋଇ ପଡ଼ୁଛନ୍ତି ବୋଲି ପ୍ରଶ୍ନ ଉଠିଲାଣି।
ମହାପ୍ରଭୁଙ୍କ ବନକଲାଗି କିପରି ହେବ, କେଉଁଦିନ ହେବ ଓ କେଉଁମାନେ କରିବେ, ଶ୍ରୀମନ୍ଦିର ସ୍ବତ୍ବଲିପି ଓ ବାମଦେବ ସଂହିତାରେ ସ୍ପଷ୍ଟ ଉଲ୍ଲେଖ ରହିଛି। ଶ୍ରୀମନ୍ଦିର ସ୍ବତ୍ବଲିପିର ୪୫ ନମ୍ବର ପୃଷ୍ଠାରେ ଉଲ୍ଲେଖ ରହିଛି, ପ୍ରତି ସପ୍ତାହରେ ବୁଧବାର କିମ୍ବା ଗୁରୁବାର ଦ୍ବିପ୍ରହର ଧୂପ ପରେ ଶ୍ରୀବିଗ୍ରହଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତି ହେବ। ଏହି ନୀତି ପାଇଁ ରତ୍ନଭଣ୍ଡାରରୁ ରୁପା ପିଙ୍ଗଣ ଓ ରୁପା ଷଢ଼େଇ ଯୋଗାଇ ଦିଆଯାଏ। ଚାଙ୍ଗଡ଼ା ମେକାପ ୩ ଖଣ୍ଡ ଶ୍ରୀକପଡ଼ା ଦିଅନ୍ତି। ରାଜାଙ୍କ ସୁପରିଟେଣ୍ଡେଣ୍ଟ ହିଙ୍ଗୁଳ, ହରିତାଳ, ଶଙ୍ଖ ୬ ଭରି ଲେଖାଏଁ, କେଶର ଓ କର୍ପୁର ୨ ଭରି ଲେଖାଏଁ, କଇଁଥ ଅଠା, କସ୍ତୁରି, କଳା ତେଲ ଆଦି ଯୋଗାଇ ଦେବେ। ମହାସ୍ନାନ ପାଇଁ ପଞ୍ଚାମୃତ ଯୋଗାଇଦେବେ। ୭ ପ୍ରକାର ସେବକ ବନକଲାଗି ସେବା ସଂପାଦନ କରିଥାନ୍ତି। ଏମାନେ ହେଲେ ପାଳିଆ ଖୁଣ୍ଟିଆ, ଗରାବଡ଼ୁ, ୩ଜଣ ପାଳିଆ ପୁଷ୍ପାଳକ, ଚାଙ୍ଗଡ଼ା ମେକାପ, ୩ଜଣ ଦତ୍ତ ମହାପାତ୍ର, ମୁଦୁଲି ଓ ପୂଜାପଣ୍ଡା। ପ୍ରାୟ ଦୁଇ ଘଣ୍ଟା ଧରି ବନକଲାଗି କରି ଦତ୍ତ ସେବକ ରତ୍ନ ସିଂହାସନରୁ ଓହ୍ଲାଇବା ପରେ ପାଳିଆ ମେକାପ ସିଂହାସନକୁ ଧୋଇଥାନ୍ତି। ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରିଥାନ୍ତି।
ମାସେ ହେବ ହୋଇନି ଶୃଙ୍ଗାର, ପୁଣି ସ୍ବତ୍ବଲିପି ଉଲ୍ଲଂଘନ
ଶ୍ରୀମନ୍ଦିର ପ୍ରଶାସନ ଆଡ଼କୁ ଆଙ୍ଗୁଠି ଉଠିଲା, ସମନ୍ବୟ ଅଭାବ ଜଳଜଳ
ସେହିଭଳି ବାମଦେବ ସଂହିତାର ତ୍ରୟୋଦଶ ଅଧ୍ୟାୟର ୧୫୯ ନମ୍ବର ପୃଷ୍ଠାରେ ମହାପ୍ରଭୁଙ୍କ ବନକଲାଗି ସମ୍ପର୍କରେ କୁହାଯାଇଛି। ଏଥିରେ ଉଲ୍ଲେଖ ରହିଛି କି ବୁଧବାରରେ ମହାପ୍ରଭୁ ଶୁକ୍ଳ, କୃଷ୍ଣ ଓ ପୀତବର୍ଣ୍ଣରେ ମଣ୍ଡନ ହୁଅନ୍ତି। ଯଦି ବୁଧବାରରେ କାର୍ଯ୍ୟ ଅଧିକ ହେତୁ ସମୟ ନ ହୁଏ, ତେବେ ଏହା ଗୁରୁବାରରେ ହେବ। ଏହି ସମୟରେ କେହି ମହାପ୍ରଭୁଙ୍କ ପାଖକୁ ଯିବେନି ବା ଦର୍ଶନ କରିବେନି। ଅଜ୍ଞାନବଶତଃ ଯଦି କେହି ପ୍ରଭୁଙ୍କ ନିକଟକୁ ଚାଲି ଯାଆନ୍ତି, ତେବେ ମହାପ୍ରଭୁ ସୁଖୀ ହୁଅନ୍ତି ନାହିଁ। ଏହା ହେଲେ ମନ୍ଦିରର ଭିତର ସର୍ବତ୍ର ପ୍ରକ୍ଷାଳନ ଓ ସିଂହାସନର ଚତୁଃପାର୍ଶ୍ବ ବୃହତ୍ ପ୍ରକ୍ଷାଳନ(ବଡ଼ ମହାସ୍ନାନ) ହେବାର ବିଧି ରହିଛି।
ପରମ୍ପରା ଅନୁଯାୟୀ, ନୀଳାଦ୍ରି ବିଜେ ପରେ ପରେ ପଡ଼ୁଥିବା ବୁଧବାର ଅବା ଗୁରୁବାରରେ ଶ୍ରୀବିଗ୍ରହଙ୍କୁ ବନକଲାଗି କରାଯାଉଥିଲା। କିନ୍ତୁ ଚଳିତ ବର୍ଷ ଏଥିରେ ବ୍ୟତିକ୍ରମ ଦେଖା ଦେଇଥିଲା। ରଥଯାତ୍ରା ସାରି ମହାପ୍ରଭୁ ଯେତେବେଳେ ନୀଳାଦ୍ରି ବିଜେ କଲେ, ସେତେବେଳେ କେଉଁଦିନ ମହାପ୍ରଭୁଙ୍କ ବନକଲାଗି ହେବ, ତାକୁ ନେଇ ଦତ୍ତ ମହାପାତ୍ର ସେବକ ଓ ଶ୍ରୀମନ୍ଦିର ପ୍ରଶାସନ ଭିତରେ ଟଣାଓଟରା ଲାଗିଥିଲା। ଶ୍ରୀମନ୍ଦିର ପ୍ରଶାସନ ବୁଧବାରରେ ବନକଲାଗି କରିବାକୁ ଜିଦ୍ ଧରିଥିଲା। କିନ୍ତୁ ଦତ୍ତ ମହାପାତ୍ର ସେବକ ଗୁରୁବାରରେ ବନକଲାଗି କରିବାକୁ ଜିଦ୍ ଧରିଥିଲେ। ଏହି ବାଦବିବାଦ ଭିତରେ ନୀଳାଦ୍ରି ବିଜେର ମାସେ ପରେ ବି ମହାପ୍ରଭୁଙ୍କ ବନକଲାଗି ହୋଇପାରିନଥିଲା। ଶେଷରେ ପର ମାସ ସେହି ବୁଧବାରରେ ମହାପ୍ରଭୁଙ୍କ ବନକଲାଗି କରାଗଲା।
ଏବେ ପୁଣିଥରେ ବନକଲାଗିକୁ ନେଇ ବିବାଦ ମୁଣ୍ଡ ଟେକିଛି। ଦତ୍ତ ମହାପାତ୍ର ସେବକଙ୍କ କହିବା କଥା, ପ୍ରତି ସପ୍ତାହରେ ବନକଲାଗି ହେବା କଥା। କିନ୍ତୁ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ, ରାଧାଷ୍ଟମୀ, ବଳଭଦ୍ର ଜନ୍ମ ଆଦିର ଆଳ ଦେଖାଇ ଶ୍ରୀମନ୍ଦିର ପ୍ରଶାସନ ବନକଲାଗି କରୁନି। ୨୦୨୨ ମସିହାରେ କିନ୍ତୁ ଏହି ନୀତିକାନ୍ତି ଚାଲିଥିବା ବେଳେ ବି ମହାପ୍ରଭୁ ବନକଲାଗି ହୋଇଥିଲେ। ବନକଲାଗି ନ ହେଲେ, ଦୀପ କଳାରେ ଠାକୁର ଅସୁନ୍ଦର ଦିଶିବେ। ବରିଷ୍ଠ ଦଇତାପତି ସେବକ ବିଶ୍ବାବସୁ ବିନାୟକ ଦାସମହାପାତ୍ର କହିଛନ୍ତି, ଭାଦ୍ରବ ମାସରେ ଶ୍ରୀମନ୍ଦିରରେ ଅନେକ ନୀତିକାନ୍ତି ରହିଛି, ଯେଉଁଥିପାଇଁ ମହାପ୍ରଭୁଙ୍କ ବନକଲାଗି ହୋଇପାରିନି। ସ୍ବତ୍ବଲିପି ଅନୁଯାୟୀ, ବନକଲାଗି ପ୍ରତି ସପ୍ତାହରେ ହେବା କଥା। ଏଠି କେଉଁଠି ନା କେଉଁଠି ସମନ୍ବୟର ଘୋର ଅଭାବ ଦେଖାଦେଇଛି ବୋଲି ଶ୍ରୀ ଦାସମହାପାତ୍ର କହିଛନ୍ତି। ଏ ସମ୍ପର୍କରେ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କିନ୍ତୁ କିଛି କହିବାକୁ ମନା କରି ଦେଇଛନ୍ତି।
[ad_2]